ବରିଷ୍ଠ ସାହିତ୍ୟ ଗବେଷକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସହ ବାର୍ତ୍ତାଳାପ

ଓଡ଼ିଆରେ ଗବେଷଣାର ଗୁଣବତ୍ତା ଉପରେ ସନ୍ଦେହର ପ୍ରଶ୍ନବାଚୀ ବହୁତ ଅଛି। ଅବଶ୍ୟ କିଛି ବ୍ୟତିକ୍ରମୀ ଗବେଷକ ମଧ୍ୟ ଅଛନ୍ତି ଯେଉଁମାନେ ଉଚ୍ଚକୋଟୀର ଗବେଷଣା କରିଛନ୍ତି।

ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଏକାଧାରରେ ଜଣେ ବିଶିଷ୍ଟ ସାହିତ୍ୟ ଗବେଷକ, ଲେଖକ ତଥା ଶିକ୍ଷାବିତ୍। ସଂସ୍କୃତ ସାହିତ୍ୟର ଜଣେ ଅଗ୍ରଣୀ ବିଦ୍ୱାନ ଭାବରେ ମଧ୍ୟ ସେ ସୁପରିଚିତ। ଉତ୍କଳ ବିଶ୍ୱବିଦ୍ୟାଳୟ, ସଂସ୍କୃତ ବିଭାଗର ପ୍ରଫେସର ଓ ବିଭାଗାଧ୍ୟକ୍ଷ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ତଥା ବିହାରସ୍ଥିତ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ଭଳି ବହୁ ଦାୟିତ୍ୱସମ୍ପନ୍ନ ପଦ ମଣ୍ଡନ କରିବା ପରେ ସେ ଏବେ ଭୁବନେଶ୍ୱରରେ ଅବସରକାଳୀନ ଜୀବନ ଯାପନ କରୁଛନ୍ତି। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆପଣ ସଂସ୍କୃତ ସାହିତ୍ୟକୁ ଓଡ଼ିଆ କବିମାନଙ୍କର ଅବଦାନ ଉପରେ ବ୍ୟାପକ ଗବେଷଣା କରିଛନ୍ତି। ତେବେ ଆପଣ କ’ଣ ଭାବନ୍ତି ଯେ ସେମାନଙ୍କର ଏହି ଅବଦାନ ବିଶେଷ ଉଚ୍ଚ ସ୍ତରକୁ ଯାଇପାରିଛି?
ପ୍ରଫୁଲ୍ଲ ମିଶ୍ର: ନିଶ୍ଚୟ। ବିଶେଷ କରି ଓଡ଼ିଶାର ଆଳଙ୍କାରିକମାନେ ସର୍ବଭାରତୀୟ ସ୍ତରରେ ପ୍ରାମାଣିକ ଅଳଙ୍କାରିକ ଭାବରେ ଗୃହୀତ ହୋଇଛନ୍ତି। ସେମାନେ ହେଲେ ବିଦ୍ୟାଧର ଯିଏ କି ‘ଏକାବଳୀ’ ଲେଖିଛନ୍ତି, ବିଶ୍ୱନାଥ କବିରାଜ ଯିଏ ‘ସାହିତ୍ୟ ଦର୍ପଣ’ ଲେଖିଛନ୍ତି; ଯାହା ଏବେ ଭାରତବର୍ଷର ଅଧିକାଂଶ ବିଶ୍ୱବିଦ୍ୟାଳୟରେ ପଢ଼ାଯାଉଛି। ଓଡ଼ିଶାର ଅନେକ ପ୍ରଥିତଯଶା ସଂସ୍କୃତ କବି ମଧ୍ୟ ଆମ ଦେଶରେ ଉଚ୍ଚସ୍ତରୀୟ ସ୍ୱୀକୃତି ପାଇଛନ୍ତି। ସମସ୍ତେ ଜାଣନ୍ତି ଯେ ସେମାନଙ୍କ ମଧ୍ୟରେ ଏକ ନମ୍ବର ହେଲେ ଜୟଦେବ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ପ୍ରାଚୀନ ଓ ମଧ୍ୟଯୁଗୀୟ ଲେଖକ ତଥା କବିଙ୍କ କଥା କହିଲେ। କିନ୍ତୁ କିଛି ଦିନ ତଳେ ଆପଣ ଆମ ପତ୍ରିକାରେ ଗୋଟିଏ ପ୍ରବନ୍ଧ ଲେଖିଥିଲେ, ଯାହାର ଶୀର୍ଷକ ଥିଲା, ‘ଉତ୍ତର ଆଧୁନିକ ସଂସ୍କୃତ କବି ପରମ୍ପରାରେ ଓଡ଼ିଶା।’ ସେମାନଙ୍କ ବିଷୟରେ କ’ଣ କହିବେ?
ପ୍ରଫୁଲ୍ଲ ମିଶ୍ର: ଗୋଟିଏ କଥା କହିବି, ଯେପରି ଭାରତର ଅନ୍ୟ ଭାଷାଗୁଡ଼ିକରେ ସାମ୍ପ୍ରତିକ ଯୁଗ ଓ ସାମ୍ପ୍ରତିକ ଶୈଳୀକୁ ଆଧାର କରି ରଚନା ସବୁ ଲେଖାଚାଲିଛି, ସେମିତି ସଂସ୍କୃତରେ ମଧ୍ୟ ଚାଲିଛି। ଏହା ଗୋଟିଏ ମ୍ୟୁଜିଅମ୍‌ର ଭାଷା ନୁହେଁ।

ସାହିତ୍ୟ ଚର୍ଚ୍ଚା: ତେବେ ସଂସ୍କୃତ ସାହିତ୍ୟର ଏହି ଆଧୁନିକ ଧାରା ପ୍ରତି ଓଡ଼ିଆ କବିମାନଙ୍କର ଅବଦାନ କ’ଣ?
ପ୍ରଫୁଲ୍ଲ ମିଶ୍ର: ସେମିତି ଅନେକ ଅଗ୍ରଗଣ୍ୟ କବି ଓ ଲେଖକ ଅଛନ୍ତି। ସଂସ୍କୃତ ସାହିତ୍ୟ ପାଇଁ ନିକଟରେ ଅରୁଣ ଚନ୍ଦ୍ର ମିଶ୍ର ଓ କେଶବ ଚନ୍ଦ୍ର ଦାଶ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ହରେକୃଷ୍ଣ ଶତପଥୀ ମଧ୍ୟ ପାଇଛନ୍ତି। ସେହିଭଳି ପ୍ରବୋଧ କୁମାର ମିଶ୍ର ସଂସ୍କୃତରେ ଅନେକ କବିତା ଲେଖିଛନ୍ତି। ଏହିଭଳି ବିଭିନ୍ନ ଦୃଷ୍ଟିରୁ ଦେଖିଲେ ସମକାଳୀନ ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ସାହିତ୍ୟିକମାନଙ୍କର ଅବଦାନ କିଛି କମ୍‌ ନୁହେଁ।
ସାହିତ୍ୟ ଚର୍ଚ୍ଚା: ପିଏଚ୍‌.ଡିରେ ଆପଣ ଏହାର ପାଖାପାଖି ଏକ ପ୍ରସଙ୍ଗକୁ ନେଇ ଗବେଷଣା ମଧ୍ୟ କରିଛନ୍ତି। ଆପଣଙ୍କର ବିଷୟବସ୍ତୁ ଥିଲା, ‘ସଂସ୍କୃତ ସାହିତ୍ୟର ପୋଏଟିକ୍ସ୍‌କୁ ଓଡ଼ିଶାର ଅବଦାନ’।
ପ୍ରଫୁଲ୍ଲ ମିଶ୍ର: ଏଥିରେ ମୁଁ ଆଲୋଚନା କରିଛି ଯେ କେବଳ ସର୍ଜନଶୀଳ ସାହିତ୍ୟ ନୁହଁ, ସମାଲୋଚନାତ୍ମକ ସଂସ୍କୃତ ସାହିତ୍ୟରେ ମଧ୍ୟ ଓଡିଶାର ଏକ ଭୂମିକା ରହିଛି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏ କଥା ସେତେ ସର୍ବବିଦିତ ନୁହଁ କାହିଁକି?
ପ୍ରଫୁଲ୍ଲ ମିଶ୍ର: ଯେହେତୁ ଓଡ଼ିଆ ଲୋକମାନେ ଟିକିଏ ଲଜ୍ଜାଶୀଳ, ଆତ୍ମପ୍ରଚାର ବିମୁଖ, ସେମାନେ ଚାରିଆଡ଼େ ନିଜର ଡିଣ୍ଡିମ ପିଟନ୍ତି ନାହିଁ; ସେମାନେ ନିରବରେ ଲେଖିଚାଲନ୍ତି। ପ୍ରମୋଦ ନାୟକ ସଂସ୍କୃତରେ ଚମତ୍କାର ବ୍ୟଙ୍ଗ ଲେଖୁଛନ୍ତି; ନାରଣ ଦାଶ ସଂସ୍କୃତରେ ଗୋଇନ୍ଦା କାହାଣୀ ଲେଖୁଛନ୍ତି; ଏ କଥା ବିଶେଷ ପ୍ରଚାରିତ ହୋଇପାରିନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ମଧ୍ୟ ତ ଦୁଇଟି ଉପନ୍ୟାସ ଲେଖିଛନ୍ତି ସଂସ୍କୃତ ଭାଷାରେ।
ପ୍ରଫୁଲ୍ଲ ମିଶ୍ର: ହଁ, ସେ ଦୁଇଟି ହେଲା, ‘ପତ୍ରପ୍ରିୟା’ ଓ ‘ପରିବ୍ରାଜକ’।
ସାହିତ୍ୟ ଚର୍ଚ୍ଚା: ଫକୀରମୋହନଙ୍କର ଦୁଇଟି କୃତିକୁ ମଧ୍ୟ ଆପଣ ସଂସ୍କୃତରେ ଅନୁବାଦ କରିଛନ୍ତି, ‘ରେବତୀ’, ଓ ‘ଛ’ମାଣ ଆଠ ଗୁଣ୍ଠ’। ଏଥିରେ ଆପଣ ସେ କାଳର କଥିତ ଭାଷାକୁ ସଂସ୍କୃତରେ ଉପସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି। ଏହାର ଅନୁବାଦ କ୍ରମରେ ଆପଣଙ୍କୁ କିଛି ପ୍ରତିବନ୍ଧକର ସାମନା କରିବାକୁ ପଡ଼ିଥିଲା କି?
ପ୍ରଫୁଲ୍ଲ ମିଶ୍ର: ଦେଖନ୍ତୁ, ସଂସ୍କୃତ ଭାଷାଟା ପ୍ରାଚୀନ କାଳରୁ ଆଜିଯାଏଁ ଚାଲିଛି। ଯେହେତୁ ଏହା ଲୋକମୁଖରେ ବ୍ୟବହାର ହେଉନାହିଁ, ସେହେତୁ ଫକୀରମୋହନଙ୍କ ରଚନାର କେତେକ ସ୍ଥଳରେ ଥିବା ସୂକ୍ଷ୍ମ ଭାବଗୁଡ଼ିକ ବ୍ୟକ୍ତ କରିବାରେ ମୁଁ ହୁଏତ କିଛି ପ୍ରତିବନ୍ଧକର ସାମନା କରିଛି।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଭାଷାରେ ଆପଣଙ୍କର ତିନୋଟି ମୌଳିକ କାବ୍ୟକୃତି ପ୍ରକାଶିତ ହୋଇଛି, ‘ଅନେକ ମୁହୂର୍ତ୍ତ’, ‘ଦୂର ଗାଁ’ ଓ ‘ଜହ୍ନରାତି’। ପୁରୀ ସହରରେ ଆପଣଙ୍କର ଜନ୍ମ ଓ ତାହାର ସଂସ୍କୃତି ସହିତ ମଧ୍ୟ ଅଛି ନିବିଡ଼ ସମ୍ପର୍କ। ତେବେ ଗୋଟିଏ ସମୟରେ ସେଠାରେ ଦେଖା ଦେଇଥିବା ଅନାମ କାବ୍ୟ ଆନ୍ଦୋଳନର କିଛି ପ୍ରଭାବ ପଡ଼ିଥିଲା କି ଆପଣଙ୍କ ରଚନାରେ?
ପ୍ରଫୁଲ୍ଲ ମିଶ୍ର: ଯେତେବେଳେ ମୁଁ ପ୍ରଥମେ ପ୍ରଥମେ ଲେଖୁଥିଲି ସେତେବେଳେ ଏହାର ପ୍ରଭାବ ଅବଶ୍ୟ ପଡ଼ିଥିଲା। ଅନାମ ଆନ୍ଦୋଳନଟା ହେଉଛି ସମାଜରେ ଦେଖାଦେଇଥିବା ବିଭେଦ ଓ ବୈଷମ୍ୟ ବିରୋଧରେ ଏକ ପ୍ରତିକ୍ରିୟା। ସେତେବେଳେ ଓଡ଼ିଶାରେ ଯେଉଁ ବଡ଼ ବଡ଼ ଅଫିସରିଆ ସାହିତ୍ୟ ସୃଷ୍ଟି ହେଲା, ସେଥିରୁ ମୁକ୍ତ ଏକ ନୂଆ ଧାରା ସୃଷ୍ଟି କଲା ଅନାମ ଆନ୍ଦୋଳନ। ମୋ’ର କିଛି ବନ୍ଧୁ ସେଥିରେ ଥିଲେ। ସେମାନେ ମୋତେ ଡ଼ାକିକରି ନେଲେ; ମୁଁ ଅନାମ ବିଷୟରେ କିଛି ପ୍ରବନ୍ଧ ଓ କାବ୍ୟ ମଧ୍ୟ ଲେଖିଲି। ଏହା ହେଉଛି ସେହି ଧାରାର କାବ୍ୟ ଯେଉଁଥିରେ କୌଣସି ଚାପ ନାହିଁ, କୌଣସି ଖୋସାମତି ନାହିଁ, ପରମ୍ପରାର ବନ୍ଧନ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସଂକଳନ ‘ଅନେକ ମୁହୂର୍ତ୍ତ’ରୁ କବିତାଟିଏ ପଢ଼ୁଥିଲୁ, ଯେଉଁଥିରେ ଆପଣ ଲେଖିଛନ୍ତି, “ନ ହେଜିଲୁ ମତ୍ତ ଗରବରେ / ଯାହା ଇଚ୍ଛା ତାହା କଲୁ / ଦାଣ୍ଡେ ଘାଟେ ଇଜ୍ଜତ ସାରିଲୁ / ମାରିଦେବୁ ମହା କୋପେ ମୋତେ / ଏବେ କିଆଁ ଲେଡ଼ି ଗୁଡ଼ କହୁଣୀକୁ / ବୋହିଗଲା ପରେ / ସକଉ ମିଛରେ?” ଏଥିରେ କୁମାର ମହାନ୍ତିଙ୍କ କାବ୍ୟସ୍ୱରର କିଛି କିଛି କିଛି ପ୍ରଭାବ ଦିଶିଯାଏ ନାହିଁ କି!
ପ୍ରଫୁଲ୍ଲ ମିଶ୍ର: ଏଇଟା ପୁରୀର ପ୍ରଭାବ। ମଝିରେ ମଝିରେ ‘ବାଇମନ’, ‘ବାଇରେ’ ଆଦିର ପ୍ରୟୋଗ ମଧ୍ୟ ପାଇବେ ଆପଣ। ଏକଥା କୁମାର ଭାଇ କରିଛନ୍ତି; ମୁଁ ବି କରିଛି କେତେକ ସ୍ଥଳରେ।
ସାହିତ୍ୟ ଚର୍ଚ୍ଚା: ଆପଣ ଏକଦା ‘ଜାତୀୟ ମାନୁସ୍କ୍ରିପ୍ଟ ମିଶନ’ର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ତୁଲାଇଥିଲେ। ବିଭିନ୍ନ ପ୍ରାଚୀନ ପୋଥିର ସଂଗ୍ରହ ଓ ସଂରକ୍ଷଣ ସହିତ ଆପଣ ମଧ୍ୟ ଜଡ଼ିତ ଥିଲେ । ତେବେ କୁହାଯାଏ ଯେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ପ୍ରାଚୀନ ପୋଥିର ସମ୍ଭାର ଅଛି। ଏହା କ’ଣ ସତ?
ପ୍ରଫୁଲ୍ଲ ମିଶ୍ର: ଓଡ଼ିଶାରେ ପ୍ରାଚୀନ ପୋଥି ଯାହା ଥିଲା, ଧୀରେ ଧୀରେ ସେସବୁ ନଷ୍ଟ ହେବାକୁ ବସିଲାଣି। ବଢ଼ି ଓ ଝଡ଼ି ଇତ୍ୟାଦିରେ ମଧ୍ୟ ଆମେ ଅନେକ ପୋଥି ହରାଇଛେ। ତଥାପି ମ୍ୟୁଜିଅମରେ, ବିଭିନ୍ନ ଲାଇବ୍ରେରୀରେ, ବିଭିନ୍ନ ମଠ ଓ ମନ୍ଦିରରେ ଅନେକ ପୋଥି ମହଜୁଦ ଅଛି।
ସାହିତ୍ୟ ଚର୍ଚ୍ଚା: ତା’ମଧ୍ୟରୁ ଅନେକ ଅନାବିଷ୍କୃତ ହୋଇ ପଡ଼ିରହିଥିବ।
ପ୍ରଫୁଲ୍ଲ ମିଶ୍ର: ବହୁତ। ମୁଁ ଯେତେବେଳେ ନ୍ୟାସନାଲ ମାନୁସ୍କ୍ରିପ୍ଟ ମିଶନର ଡାଇରେକ୍ଟର ଥିଲି, ଦେଖିଲି ଯେ ସରକାରଙ୍କ ପାଖରେ ପ୍ରାଚୀନ ପୋଥିଗୁଡ଼ିକର ଯେଉଁ ତାଲିକା ଅଛି, ତାହା କେବଳ ‘ଟିପ୍ ଅଫ୍ ଦି ଆଇସ୍‌ବର୍ଗ’। ଦିନେ ବୃନ୍ଦାବନ ଯାଇଥିଲି; ସେଠାରେ ଜଣେ କହିଲେ ଯେ ତାଙ୍କ ପାଖରେ ଅଶୀ ହଜାର ମାନୁସ୍କ୍ରିପ୍ଟ ଅଛି। ନାଳନ୍ଦାର ଗୋଟିଏ କବାଡ଼ି ଦୋକାନରୁ ଥରେ ୭୦ଟି ପୁରାତନ ପୋଥି ଜବତ ହେଲା। ଏହା ହେଉଛି ସ୍ଥିତି।
ସାହିତ୍ୟ ଚର୍ଚ୍ଚା: ଡେନମାର୍କ୍‌ର ବିଶିଷ୍ଟ ଗବେଷକ ଜି. ଜିସ୍କଙ୍କ ସହାୟତାରେ ଆପଣ ଭାରତୀୟ କାମଶାସ୍ତ୍ର ଉପରେ ମଧ୍ୟ ଏକ ଗବେଷଣା ପ୍ରୋଜେକ୍ଟରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ କ’ଣ ଥିଲା?
ପ୍ରଫୁଲ୍ଲ ମିଶ୍ର: ଯେତେବେଳେ ମୁଁ ମୋ’ର ପିଏଚ୍‌.ଡି ପାଇଁ ଗବେଷଣା କରୁଥିଲି ବିଦ୍ୟାଧରଙ୍କ ଉପରେ, ସେ ତ ଥିଲେ ଜଣେ ପ୍ରସିଦ୍ଧ ଆଳଙ୍କାରିକ। ତେବେ ବିଦ୍ୟାଧରଙ୍କ ନାମରେ ଆଉ ଗୋଟିଏ ବହି ଥିଲା। ସେ ରାଜା ନରସିଂହ ଦେବଙ୍କର ସଭାକବି ଥିଲେ। ସେ ‘କେଳି ରହସ୍ୟ’ ବୋଲି ଗୋଟିଏ ବହି ଲେଖିଥିଲେ, ଯେଉଁ ବହିର ନାମ ପାଠ୍ୟପୁସ୍ତକମାନଙ୍କରେ ମଧ୍ୟ ଲେଖା ଅଛି। କିନ୍ତୁ ସେହି ବହି କେହି ଦେଖିନାହାନ୍ତି। ଏହା ବିଷୟରେ ଅନୁସନ୍ଧାନ କରିବା ଆମ ପ୍ରୋଜେକ୍ଟର ଉଦ୍ଦେଶ୍ୟ ଥିଲା।
ସାହିତ୍ୟ ଚର୍ଚ୍ଚା: ଏ ସମ୍ପର୍କରେ କିଛି ନୂଆ ତଥ୍ୟ ପାଇଲେ କି?
ପ୍ରଫୁଲ୍ଲ ମିଶ୍ର: ୧୯୦୩ ମସିହାରେ ଛପା ହୋଇଥିବା ଗୋଟିଏ କ୍ୟାଟଲଗ୍‌ରେ ସେହି ବହିର ନାମୋଲ୍ଲେଖ ମିଳିଲା। ସେଇଟି ଏସିଆଟିକ୍ ସୋସାଇଟି, କଲିକତାରେ ରଖାଯାଇଥିବା କଥା ମଧ୍ୟ ସେଥିରେ ସୂଚିତ ଥିଲା। ଏସିଆଟିକ ସୋସାଇଟିରୁ ବହିଟି ଆଣି ମୁଁ ହାତରେ ଲେଖି ତା’ର ଗୋଟିଏ ନକଲ ପ୍ରସ୍ତୁତ କଲି। ଡେନମାର୍କର ପ୍ରଫେସର ଜିଷ୍ଟ ହେଉଛନ୍ତି କାମଶାସ୍ତ୍ରର ଜଣେ ବିଶେଷଜ୍ଞ। ସେ କହିଲେ ଯେ ‘କେଳି ରହସ୍ୟ’ ପୁସ୍ତକ ‘ରତି ମଞ୍ଜରୀ’ ନାମରେ ଉପଲବ୍ଧ ଅଛି। ତେଣୁ ମୁଁ ଦେଖିଲି ଯେ ଏତେ ପରିଶ୍ରମ କରି ‘କେଳି ର଼ହସ୍ୟ” ନାମରେ ମୁଁ ଯେଉଁ କାମଟି କଲି, ତାହା ହେଉଛି ‘ରତି ମଞ୍ଜରୀ’।
ସାହିତ୍ୟ ଚର୍ଚ୍ଚା: ଏହି ‘କେଳି ରହସ୍ୟ’ କେଉଁ କାଳଖଣ୍ଡରେ ରଚିତ ହୋଇଥିଲା?
ପ୍ରଫୁଲ୍ଲ ମିଶ୍ର: ଏହା ତ୍ରୟୋଦଶ ଶତାବ୍ଦୀର ରଚନା। ଏ ବିଷୟରେ ମୁଁ ଏକ ବିସ୍ତୃତ ପ୍ରବନ୍ଧ ଲେଖିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ଶିକ୍ଷା ଜଗତରେ ପ୍ରଶାସନିକ ଅଭିଜ୍ଞତା ସହିତ ଜଡ଼ିତ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଆପଣ ତିନିବର୍ଷ ଧରି କୁଳପତି ଭାବରେ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକାଳ ଭିତରେ ଆପଣଙ୍କର ମୁଖ୍ୟ ଉପଲବ୍ଧି କ’ଣ ଥିଲା?
ପ୍ରଫୁଲ୍ଲ ମିଶ୍ର: କେବଳ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନୁହେଁ, ଏହାଠାରୁ ଅଧିକ ସମୟ ବରଂ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିତାଇଛି।
ସାହିତ୍ୟ ଚର୍ଚ୍ଚା: ହଁ, ସେଠାରେ ଅଧ୍ୟାପନା କରିବା ପରେ ପି.ଜି କାଉନ୍‌ସିଲ୍‌ର ଚେୟାରମ୍ୟାନ ଭାବରେ ମଧ୍ୟ ଆପଣ ଦାୟିତ୍ୱ ନିର୍ବାହ କରିଥିଲେ।
ପ୍ରଫୁଲ୍ଲ ମିଶ୍ର: ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଗୋଟାଏ ବଡ଼ ବିଶ୍ୱବିଦ୍ୟାଳୟ, ଏବଂ ସମସ୍ୟା ବହୁଳ ମଧ୍ୟ। ଆମ ସେଣ୍ଟ୍ରାଲ୍ କାଉନସିଲ୍ ଅଧୀନରେ ୫୬ଟି ବିଭାଗ ଥିଲା। ଏହାର ପ୍ରଶାସନିକ ଦାୟିତ୍ୱ ସବୁ ମୋତେ ସମ୍ଭାଳିବାକୁ ପଡ଼ୁଥିଲା। ସେହି ଅଭିଜ୍ଞତା ମୋତେ ପରେ ବହୁତ ସାହାଯ୍ୟ କଲା।
ସାହିତ୍ୟ ଚର୍ଚ୍ଚା: ଗୋଟିଏ ଧାରଣା ଅଛି ଯେ ଆପଣ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ କୁଳପତି ଭାବରେ ଯିବା ପରେ ସେଠାରେ ଅନେକ ସଂଖ୍ୟକ ବିଦ୍ୱାନ ଓ ଗବେଷକଙ୍କୁ ଅନରାରୀ ଡି଼.ଲିଟ୍ ଉପାଧି ଦିଆଯାଇଥିଲା।
ପ୍ରଫୁଲ୍ଲ ମିଶ୍ର: ସେତେବେଳେ ବହୁସଂଖ୍ୟକ ଲୋକଙ୍କୁ ଏହା ଦିଆଯାଇଥିଲା ବୋଲି କହିହେବ ନାହିଁ। ଆମେ ଡି.ଲିଟ୍‌ର ମାନରେ କୌଣସି ସାଲିସ୍ କରି ନ ଥିଲୁ।
ସାହିତ୍ୟ ଚର୍ଚ୍ଚା: ସଂସ୍କୃତ ସାହିତ୍ୟର ଜଣେ ପ୍ରସିଦ୍ଧ ବିଦ୍ୱାନ ହୋଇ ମଧ୍ୟ ଆପଣ ଯେତେବେଳେ ବିହାରରେ ଗୋଟିଏ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ ଦାୟିତ୍ୱ ଗ୍ରହଣ କଲେ, ଆପଣଙ୍କୁ କିଛି ଅଡ଼ୁଆ ବୋଧ ହେଲାନାହିଁ କି?
ପ୍ରଫୁଲ୍ଲ ମିଶ୍ର: ଦେଖନ୍ତୁ, ଭାରତବର୍ଷ ହେଉଛି ଗୋଟିଏ କୃଷି ପ୍ରଧାନ ଦେଶ। ଆମେ ତ ପିଲା ଦିନୁଁ ଚାଷବାସ, ଜମିବାଡ଼ି ସହିତ ସଂପୃକ୍ତ। ଏଣୁ ମୋତେ କିଛି ଅଡ଼ୁଆ ଲାଗିଲା ନାହିଁ। ମୋତେ ଯେତେବେଳେ ସେହି ବିଶ୍ୱବିଦ୍ୟାଳୟର କୁଳପତି ଆସି କହିଲେ, “ଆପଣ ଆମ ବିଶ୍ୱବିଦ୍ୟାଳୟର କୁଳାଧିପତି ହେଲେ”, ମୁଁ ତାଙ୍କୁ ପଚାରିଥିଲି ଯେ ଦେଶର କୃଷି ପ୍ରତି ସେହି ବିଶ୍ୱବିଦ୍ୟାଳୟର ଅବଦାନ କ’ଣ? ଜଣେ କୁଳପତି ଭାବର ମୋ’ର ପୂର୍ବରୁ ଥିବା ଅଭିଜ୍ଞତାକୁ ଭିତ୍ତି କରି କରି ମୁଁ ସେହି ବିଶ୍ୱବିଦ୍ୟାଳୟର କୁଳାଧିପତି ରୂପରେ ଦାୟିତ୍ୱ ସମ୍ପନ୍ନ କଲି।
ସାହିତ୍ୟ ଚର୍ଚ୍ଚା: ଆଜିକାଲି ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚାଲିଥିବା ପିଏଚ୍‌.ଡି ଗବେଷଣାର ମାନରେ ଅବକ୍ଷୟ ଘଟୁଛି ବୋଲି ଆପଣ ମନେକରନ୍ତି କି, ବିଶେଷତଃ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ଗବେଷଣାରେ?
ପ୍ରଫୁଲ୍ଲ ମିଶ୍ର: କେବଳ ଓଡ଼ିଆ ନୁହେଁ, ଅନ୍ୟାନ୍ୟ କେତେକ ବିଭାଗରେ ମଧ୍ୟ ଘଟୁଛି ଏହା । ତେବେ ଓଡ଼ିଆରେ ଗବେଷଣାର ଗୁଣବତ୍ତା ଉପରେ ସନ୍ଦେହର ପ୍ରଶ୍ନବାଚୀ ବହୁତ ଅଛି। ଅବଶ୍ୟ କିଛି ବ୍ୟତିକ୍ରମୀ ଗବେଷକ ମଧ୍ୟ ଅଛନ୍ତି ଯେଉଁମାନେ ଉଚ୍ଚକୋଟୀର ଗବେଷଣା କରିଛନ୍ତି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ନୂଆ ପିଢ଼ିର ଗବେଷକମାନେ ପ୍ରାୟତଃ ସେହି ସ୍ତରକୁ ଯାଇପାରୁନାହାନ୍ତି କାହିଁକି?
ପ୍ରଫୁଲ୍ଲ ମିଶ୍ର: ସେମାନେ ‘ସର୍ଟକଟ୍‌’ ମାରିଦେଉଛନ୍ତି। ଗୋଟିଏ ଭଲ ବିଷୟ ଉପରେ ସଂଦର୍ଭଟିଏ ଲେଖିବାପାଇଁ ସେମାନେ ଆଗ୍ରହୀ ନୁହନ୍ତି। ସେମାନେ ବରଂ “ରାମ ବାବୁଙ୍କ ଉପନ୍ୟାସରେ ନଈର ବର୍ଣ୍ଣନା’ ଉପରେ ଗବେଷଣା କରିବାକୁ ଅଧିକ ଆଗ୍ରହୀ।
ସାହିତ୍ୟ ଚର୍ଚ୍ଚା: ସେହି ତଥାକଥିତ ‘ରାମ ବାବୁ’ଙ୍କୁ ଓଡ଼ିଆ ସାହିତ୍ୟରେ କେହି ଜାଣି ନ ଥାଆନ୍ତୁ ପଛକେ!
ପ୍ରଫୁଲ୍ଲ ମିଶ୍ର: ତାଙ୍କୁ କେହି ଚିହ୍ନି ନ ଥିବେ; ଆଉ ତାଙ୍କର ବହିର ମାତ୍ର ୫୦ଟି କପି ଛପା ହୋଇଥିବ। କିନ୍ତୁ ପିଲାଏ ତାଙ୍କ ଉପରେ ଗବେଷଣା କରି ପିଏଚ୍‌.ଡି ପାଉଥିବେ।
ସାହିତ୍ୟ ଚର୍ଚ୍ଚା: ଶେଷରେ ଜାଣିବାକୁ ଚାହିଁବୁ, ଓଡ଼ିଆ ଭାଷାର ଭବିଷ୍ୟତକୁ ଆପଣ କେମିତି ଦେଖନ୍ତି?
ପ୍ରଫୁଲ୍ଲ ମିଶ୍ର: ଓଡ଼ିଆ ହେଉଛି ଏକ ଶକ୍ତିଶାଳୀ ଭାଷା। ଏବେ କେହି କେହି ଯୁବପିଢ଼ିର ସଦସ୍ୟ ଅବାଟରେ ଗଲେ ବି, କିଛି ଲୋକ ଅଛନ୍ତି ଯେଉଁମାନେ ଓଡ଼ିଆ ପଢ଼ୁଛନ୍ତି, ଏବଂ ନିଜର ମାତୃଭାଷାକୁ ଭଲ ପାଉଛନ୍ତି। ଭାଷା ପ୍ରତି ନିଃସ୍ପୃହତାର ଏକ ଟ୍ରେଣ୍ଡ୍ ଯାହା ଏବେ ଦେଖିବାକୁ ମିଳୁଛି, ତାହା ଧୀରେ ଧୀରେ ଅପସରି ଯିବ। ଯେମିତି ଶନି ଗ୍ରହର ପ୍ରଭାବ ଏକାବେଳକେ ଯାଏନାହିଁ, ସେମିତି ଏହା ମଧ୍ୟ ଧୀରେ ଧୀରେ ଯିବ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସାର୍ଥକ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

3 thoughts on “ବରିଷ୍ଠ ସାହିତ୍ୟ ଗବେଷକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସହ ବାର୍ତ୍ତାଳାପ

  1. ସଂସ୍କୃତ ସାହିତ୍ୟର ଜଣେ ଉଚ୍ଚକୋଟୀର ଗବେଷକ ତଥା ଓଡ଼ିଆ ସାହିତ୍ୟର ବରିଷ୍ଠ ଲେଖକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଜୀବନୀ ତଥା ସାହିତ୍ୟ ସାଧନା ସମ୍ପର୍କରେ ଜାଣିବାକୁ ମିଳିଲା।

  2. ନାଁ ଶୁଣିଥିଲି । ଏତେ ମହାନ୍ ବିଦ୍ୱାନ ଗବେଷକ ଲେଖକ ଓ ପ୍ରଶାସକ ବୋଲି ଜାଣିନଥିଲି।

  3. ଏହା ଏକ ସାଧାରଣ ସାକ୍ଷାତ ଆଲୋଚନା ନୁହେଁ; ଏହା ସଂସ୍କୃତ ଓ ଓଡ଼ିଆ ଭାଷାର ଗବେଷଣାତ୍ମକ ଅବତାରଣା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Leave a Reply

Your email address will not be published. Required fields are marked *