ବହିକୁ କିଏ ରିପ୍ଲେସ୍ କରିପାରିବେନି। ବହି ଓ ବହିର ପ୍ରକାଶକ ଉଭୟେ ତିଷ୍ଠି ରହିବେ।
ମହେନ୍ଦ୍ର ମିଶ୍ର ଓଡ଼ିଆ ସାହିତ୍ୟ ପ୍ରକାଶନ ଜଗତରେ ଜଣେ ବର୍ଷୀୟାନ୍ ତଥା ଅଗ୍ରଣୀ ବ୍ୟକ୍ତିତ୍ୱ ଭାବରେ ସୁପରିଚିତ। ତାଙ୍କର ବୟସ ବର୍ତ୍ତମାନ ୯୧ ବର୍ଷ ଏବଂ ତାଙ୍କ ଦ୍ୱାରା ୧୯୭୦ ଦଶକରେ ସ୍ଥାପିତ ପ୍ରକାଶନ ସଂସ୍ଥା ‘ଲାର୍କ ବୁକ୍ସ’ ଓଡ଼ିଆ ସାହିତ୍ୟର ଅନେକ ପ୍ରତିଭାଧରଙ୍କୁ ପାଠକମାନଙ୍କ ନିକଟରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଗୋଟିଏ ସମୟରେ ପ୍ରଥମ ଥର ପାଇଁ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ପୁନଃମୁଦ୍ରଣ କରି ସେ ବିଶେଷ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କ ସହିତ ସାକ୍ଷାତ୍ କରି ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଶୁଣିଛୁ ଯେ ପ୍ରାୟ ୬୫ ବର୍ଷ ତଳେ ଆପଣ ଓ.ଏ.ଏସ୍. ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରିରେ ଯୋଗ ଦେଇଥିଲେ। କିନ୍ତୁ ସେକାଳର ସେହି ଆକର୍ଷଣୀୟ ଚାକିରିର ମୋହକୁ ଛାଡ଼ି ଆପଣ ସାହିତ୍ୟ ପ୍ରକାଶନର ଦୁନିଆରୁ ଆଦରି ନେଲେ କାହିଁକି।
ମହେନ୍ଦ୍ର ମିଶ୍ର: ୧୯୫୮ ମସିହାରେ ଯେତେବେଳେ ମୁଁ ଓ.ଏ.ଏସ୍.ରେ ଯୋଗ ଦେଲି ମୋ’ର ପ୍ରଥମ ପୋଷ୍ଟିଂ ହୋଇଥିଲା କନ୍ଧମାଳରେ। ପ୍ରଥମ ଦିନ ଯେତେବେଳେ ସେଠାରେ ପହଞ୍ଚିଲି ମୋତେ ପ୍ରଥମ ଦାୟିତ୍ୱ ଦିଆଯାଇଥିଲା ହସ୍ପିଟାଲ୍କୁ ଯାଇ ଭାଲୁ ରାମ୍ପୁଡ଼ାରେ ଗୁରୁତର ଭାବରେ ଆହତ ହୋଇ ମୃତ୍ୟୁ ଅପେକ୍ଷାରେ ଥିବା ଜଣେ ସ୍ଥାନୀୟ ଆଦିବାସୀ ବ୍ୟକ୍ତିଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ପାଇଁ।
ସାହିତ୍ୟ ଚର୍ଚ୍ଚା: ଏହି ଧରଣର ସମ୍ବେଦନଶୀଳ ଦାୟିତ୍ୱ ଆପଣଙ୍କୁ ବୋଧହୁଏ ବିବ୍ରତ କରିଥିଲା।
ମହେନ୍ଦ୍ର ମିଶ୍ର: ହଁ, ସେଦିନ ଅତି ଦୁଃଖଦ ପରିବେଶରେ ଆସନ୍ନ ମୃତ୍ୟୁମୁଖରେ ପଡ଼ିଥିବା ସେଇ ନିରୀହ କନ୍ଧ ଆଦିବାସୀ ଜଣଙ୍କର ଜମାନବନ୍ଦୀ ରେକର୍ଡ କରି ଫେରିବା ପରେ ମୁଁ ଦୋହଲିଯାଇଥିଲି। ଭାବିଲି ଯେ, ମୁଁ କେଉଁଠୁ ଆସି କେଉଁଠାରେ ପଡ଼ିଲି!
ସାହିତ୍ୟ ଚର୍ଚ୍ଚା: ଯାହା ଜାଣୁ, ଆପଣ ଚାକିରିରେ ଯୋଗଦେବାର ମାତ୍ର ସାଢ଼େ ଚାରି ବର୍ଷ ପରେ ସେଥିରୁ ଇସ୍ତଫା ଦେଲେ। ତେବେ ଜଣେ ପ୍ରକାଶକ ହେବାର ନିଶା କ’ଣ ସେ କାଳର ଓ.ଏ.ଏସ୍. ଚାକିରିଠାରୁ ଏତେ ବେଶି ଆକର୍ଷଣୀୟ ଥିଲା?
ମହେନ୍ଦ୍ର ମିଶ୍ର: ପିଲାଦିନରୁ ମୋର ବହି ପ୍ରତି ବହୁତ ଆଗ୍ରହ ଥିଲା। ବହି ପଢ଼ିବାର ଥିଲା ମୋର ଏକ ବଡ଼ ସଉକ। ଏଣୁ ଏହାକୁ ନିଜର ବୃତ୍ତି ସହିତ ଯୋଡ଼ି ପ୍ରକାଶନ ସଂସ୍ଥାଟିଏ ଆରମ୍ଭ କରିବାକୁ ଭାବିଲି।
ସାହିତ୍ୟ ଚର୍ଚ୍ଚା: ଅଜବ ଥିଲା ଏ ନିଶା ଆପଣଙ୍କର, ଯାହା ଆପଣଙ୍କୁ ଦିନେ ସରକାରୀ ଚାକିରି ଛାଡ଼ିବାକୁ ମଧ୍ୟ ପ୍ରବର୍ତ୍ତାଇଦେଲା।
ମହେନ୍ଦ୍ର ମିଶ୍ର: ଏହି ପ୍ରକାଶନ ବୃତ୍ତିରେ ଯୋଗ ଦେଲି ବୋଲି ତ ମୋତେ ସର୍ବପ୍ରଥମେ ସୁରେନ୍ଦ୍ର ମହାନ୍ତିଙ୍କର ପ୍ରଖ୍ୟାତ ବହି ‘ଶତାବ୍ଦୀର ସୂର୍ଯ୍ୟ’ ପ୍ରକାଶ କରିବାର ସୁଯୋଗ ମିଳିଲା।
ସାହିତ୍ୟ ଚର୍ଚ୍ଚା: ଏ ସୁଯୋଗଟି କେମିତି ପାଇଲେ?
ମହେନ୍ଦ୍ର ମିଶ୍ର: ମୁଁ କଟକରେ ଆରମ୍ଭ କରିଥାଏ ‘ଲାର୍କ ବୁକ୍ସ’। ଦିନେ ସନ୍ଧ୍ୟାବେଳେ ସେଠାରେ ବସିଥାଏ। ହଠାତ୍ ଜଣେ ସୁଦର୍ଶନ ଭଦ୍ରବ୍ୟକ୍ତି ଭିତରକୁ ପଶି ଆସିଲେ ଏବଂ କହିଲେ, “ମୁଁ ସୁରେନ୍ଦ୍ର ମହାନ୍ତି; ଆପଣ ମୋର ଗୋଟିଏ ବହି ଛାପିବେ କି?’ ମୁଁ ଚମକି ଉଠିଲି, ଏତେ ବଡ଼ ଜଣେ ଲେଖକଙ୍କୁ ସାମନାରେ ପାଇ। ସେ ହାତରେ ଧରିଥିବା ପାଣ୍ଡୁଲିପିଟି ମୋର ଟେବୁଲ୍ ଉପରେ ଥୋଇଦେଲେ। କିଛି ଆଗ ପଛ ନ ଭାବି ମୁଁ ତତକ୍ଷଣାତ୍ ଉତ୍ତର ଦେଲି ଯେ ଏହା ପ୍ରକାଶ କରିବା ମୋର ପରମ ସୌଭାଗ୍ୟ ହେବ।
ସାହିତ୍ୟ ଚର୍ଚ୍ଚା: ସେଇଟି ତେବେ କଣ ତାଙ୍କର ବିଖ୍ୟାତ ବହି ‘ଶତାବ୍ଦୀର ସୂର୍ଯ୍ୟ’ ଥିଲା?
ମହେନ୍ଦ୍ର ମିଶ୍ର: ହଁ, ସେଇ ବହି। ବିଶିଷ୍ଟ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର୍’ର ଅନନ୍ତ ମିଶ୍ର ସେହି ପାଣ୍ଡୁଲିପି ନିଜ ପାଖରେ ଦୁଇ କି ତିନି ମାସ ରଖିବା ପରେ ସେଇଟିକୁ ପ୍ରକାଶ କରିବାକୁ ମନା କରି ତାଙ୍କୁ ଫେରାଇ ଦେଇଥିଲେ। ସେଠୁଁ ନିରାଶ ହୋଇ ସୁରେନ୍ଦ୍ର ମହାନ୍ତି ପାଣ୍ଡୁଲିପିଟି ହାତରେ ଧରି ଘରକୁ ଫେରିବା ବାଟରେ ଷ୍ଟୋନି ରୋଡ୍ରେ ମୋ’ ପ୍ରକାଶନ ସଂସ୍ଥାର ସାଇନ୍ ବୋର୍ଡ ଦେଖି ଭିତରକୁ ପଶି ଆସିଥିଲେ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣ ତାଙ୍କର ସେହି ପାଣ୍ଡୁଲିପିକୁ ନ ପଢ଼ି ବି ସେଇଟି ପ୍ରକାଶ କରିବାକୁ କେମିତି ରାଜି ହୋଇଗଲେ?
ମହେନ୍ଦ୍ର ମିଶ୍ର: ପୂର୍ବରୁ ମୁଁ ତାଙ୍କର ‘ନୀଳଶୈଳ’ ପଢ଼ିଥିଲି ନା! ଏଣୁ ଦୃଢ଼ ନିଶ୍ଚିତ ଥିଲି ଯେ ସେଭଳି ଗୋଟିଏ କାଳଜୟୀ ବହିର ସ୍ରଷ୍ଟାଙ୍କର କଲମରୁ ରୂପ ନେଇଥିବା ଆଉ ଏକ ନୂଆ ବହି ନିଶ୍ଚୟ ଉନ୍ନତ ମାନର ହୋଇଥିବ।
ସାହିତ୍ୟ ଚର୍ଚ୍ଚା: ଏହି ବହିଟି ତ ଆଶାତୀତ ସଫଳତା ପାଇଲା। ଏହା ପରେ ବୋଧହୁଏ ସୁରେନ୍ଦ୍ର ମହାନ୍ତିଙ୍କର ଆହୁରି କିଛି ବହି ମଧ୍ୟ ପ୍ରକାଶ କରିଥିବେ।
ମହେନ୍ଦ୍ର ମିଶ୍ର: ତା’ପରେ ପ୍ରକାଶ କଲି ତାଙ୍କର ଆଉ ଏକ ବହି ‘କୁଳବୃଦ୍ଧ’। ପ୍ରକୃତରେ ସୁରେନ୍ଦ୍ର ମହାନ୍ତି ହେଉଛନ୍ତି ମୋର ଚିର ନମସ୍ୟ। ଏଠି ମୋ ସାମ୍ନା କାନ୍ଥରେ ଆପଣ ଦେଖି ପାରୁଥିବେ ତାଙ୍କର ଛବି।
ସାହିତ୍ୟ ଚର୍ଚ୍ଚା: ତେବେ ଆମ ଜାଣିବାରେ କଟକରେ ନିଜର ପ୍ରକାଶନ ସଂସ୍ଥା ଖୋଲିବା ପରେ ଆପଣଙ୍କ ଦ୍ୱାରା ୧୯୭୧ ମସିହାରେ ପ୍ରକାଶିତ ପ୍ରଥମ ବହିଟି ଥିଲା ବିନୋଦ ନାୟକଙ୍କ ‘ସରୀସୃପ’।
ମହେନ୍ଦ୍ର ମିଶ୍ର: ହଁ ସରୀସୃପ। ତାହାପରେ ମନୋରଞ୍ଜନ ଦାସଙ୍କ ‘ଅରଣ୍ୟ ଫସଲ’, ଓ ଗୁରୁ ପ୍ରସାଦ ମହାନ୍ତିଙ୍କ ‘ସମୁଦ୍ର ସ୍ନାନ’। ତିନିବର୍ଷ ଧରି ଏହି ତିନୋଟି ବହି ହିଁ ପରକୁ ପର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା।
ସାହିତ୍ୟ ଚର୍ଚ୍ଚା: ପ୍ରଥିତଯଶା କବି ରମାକାନ୍ତ ରଥ ଆପଣଙ୍କର ଭିଣୋଇ। ଆପଣ ବୋଧହୁଏ ତାଙ୍କର ସବୁତକ ବହି ପ୍ରକାଶ କରିଛନ୍ତି।
ମହେନ୍ଦ୍ର ମିଶ୍ର: ସେ ମୋ’ଠାରୁ ବର୍ଷେ ସାନ। ଆମେ ସହପାଠୀ ଥିଲୁ। ତାଙ୍କର ବହିଗୁଡ଼ିକ ଆମ ଲାର୍କ ବୁକ୍ସ ଦ୍ୱାରା ପ୍ରକାଶିତ। ‘ଶ୍ରୀରାଧା’ ଓ ‘ଶ୍ରୀ ପଳାତକ’ ସେଗୁଡ଼ିକ ମଧ୍ୟରେ ପ୍ରମୁଖ।
ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ କଥା ହେଲା, ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଗଳ୍ପ ବହି ମଧ୍ୟ ଆପଣ ଛାପିଛନ୍ତି। ତାଙ୍କୁ ସାହିତ୍ୟ ଜଗତରେ ଜଣେ ଗାଳ୍ପିକ ଭାବରେ ପରିଚିତ କରାଇବାରେ ଆପଣଙ୍କର ଗୋଟିଏ ମୂଲ୍ୟବାନ ଭୂମିକା ଥିଲା।
ମହେନ୍ଦ୍ର ମିଶ୍ର: ସେ ଜଣେ ପ୍ରତିଭାସମ୍ପନ୍ନ ଲେଖକ ଥିଲେ। ତାଙ୍କର ବହି ପ୍ରକାଶ କରିପାରିଥିବାରୁ ମୁଁ ଗର୍ବିତ।
ସାହିତ୍ୟ ଚର୍ଚ୍ଚା: ଥରେ ଆପଣଙ୍କର ଜଣେ ବନ୍ଧୁ ଆମକୁ କହିଥିଲେ ଯେ ଆପଣଙ୍କ ମନରେ ଯୋଡିଏ କ୍ଷୋଭ ଅଛି; ତା’ ହେଲା ଆପଣ ଦୁଇଜଣ ବିଶିଷ୍ଟ ସାହିତ୍ୟିକଙ୍କର ଗୋଟିଏ ହେଲେ ବହି ଛପାଇ ପାରିଲେ ନାହିଁ – ମନୋଜ ଦାସ ଓ ସୀତାକାନ୍ତ ମହାପାତ୍ର।
ମହେନ୍ଦ୍ର ମିଶ୍ର: ହଁ ସତ, ମନୋଜ ଦାସଙ୍କୁ ଗୋଟିଏ ବହି ଦେବା ପାଇଁ ଅନୁରୋଧ କରିଥିଲି। କୌଣସି କାରଣରୁ ସେ ଦେଇ ପାରିଲେ ନାହିଁ। ସୀତାକାନ୍ତ ମହାପାତ୍ର କବିତା ସଂକଳନଟିଏର ପାଣ୍ଡୁଲିପି ଦେଇଥିଲେ, କିନ୍ତୁ ତାହା ମୋର ମନୋନୀତ ହେଲା ନାହିଁ।
ସାହିତ୍ୟ ଚର୍ଚ୍ଚା: ନିଜ ପ୍ରକାଶନ ସଂସ୍ଥାର ନାମକରଣ ଆପଣ ‘ଲାର୍କ ବୁକ୍ସ’ ବୋଲି କାହିଁକି କଲେ?
ମହେନ୍ଦ୍ର ମିଶ୍ର: ଆପଣ ଦେଖିଥିବେ, ପକ୍ଷୀମାନେ ଯେତେବେଳେ ତଳୁ ଆକାଶକୁ ଉଡ଼ନ୍ତି ସେମାନେ ଦଳବଦ୍ଧ ହୋଇ ‘ହୋରାଇଜେଣ୍ଟାଲ୍’ ଭାବରେ ଉପରକୁ ଉଠନ୍ତି। କିନ୍ତୁ ଲାର୍କ୍ ପକ୍ଷୀ ସେମିତି ନୁହେଁ। ସେ ହଠାତ୍ ସିଧା ‘ଭର୍ଟିକାଲି’ ଉପରକୁ ଉଡ଼ିଯାଏ।
ସାହିତ୍ୟ ଚର୍ଚ୍ଚା: ତେବେ ଲାର୍କ୍ ବୁକ୍ସ ମଧ୍ୟ କ’ଣ ସେଭଳି ହଠାତ୍ ସଫଳତାର ଶିଖରକୁ ଉଠିଯାଇଥିଲା?
ମହେନ୍ଦ୍ର ମିଶ୍ର: ହଁ, ଆମେ ସଫଳତା ଅର୍ଜନ କରିଥିଲୁ। କିନ୍ତୁ ବାଟଟି ଏତେ ସହଜ ନ ଥିଲା। ଆମକୁ ମଧ୍ୟ କେବେ କେବେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣ ‘ପ୍ରଜ୍ଞା’ ପତ୍ରିକାର ସମ୍ପାଦକ ଏବଂ ‘ବିଭୂତି ପଟ୍ଟନାୟକଙ୍କ ଗଳ୍ପ’ ପତ୍ରିକାର ପରିଚାଳନା ସମ୍ପାଦକ ଭାବରେ ସମ୍ପାଦନା କଳାର ନୂଆ ମାନକ ସୃଷ୍ଟି କରିଛନ୍ତି।
ମହେନ୍ଦ୍ର ମିଶ୍ର: ଚେଷ୍ଟା କରିଛି ନିଆରା ଶୈଳୀର ପତ୍ରିକା ପାଠକମାନଙ୍କ ହାତରେ ଦେବାପାଇଁ।
ସାହିତ୍ୟ ଚର୍ଚ୍ଚା: ଜଣେ ପ୍ରକାଶକ ଭାବରେ ଆପଣଙ୍କର ସବୁଠାରୁ ବଡ଼ ସଫଳତା କ’ଣ ଥିଲା।
ମହେନ୍ଦ୍ର ମିଶ୍ର: ମୁଁ ସିଙ୍ଗାପୁର ଯାଇ ସେଠାରେ ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାରେ ପିଲାଙ୍କ ପାଇଁ ବିଜ୍ଞାନ ପୁସ୍ତକମାନ ଛପାଇଥିଲି। ଭାରତ ଓ ପାକିସ୍ତାନ ପାଇଁ ମୁଁ ଏହାର ପ୍ରକାଶନ ଅଧିକାର ହାସଲ କରିନେଇଥିଲି। ବିଦେଶରେ ଛପା ହୋଇଥିବା କାରଣରୁ ତାହାର ମୁଦ୍ରଣ ମାନ ମଧ୍ୟ ଉଚ୍ଚକୋଟୀର ଥିଲା। ଏଣୁ ବିଭିନ୍ନ ରାଜ୍ୟରେ ଏହା ଆଶାତୀତ ସଫଳତା ପାଇଲା।
ସାହିତ୍ୟ ଚର୍ଚ୍ଚା: ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ଆପଣଙ୍କ ଦ୍ୱାରା ପ୍ରକାଶିତ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ। ଏହାର ପୁନଃମୁଦ୍ରଣ କରି ଆପଣ ସବୁଆଡ଼େ ପହଞ୍ଚାଇବାକୁ ସମର୍ଥ ହୋଇଥିଲେ।
ମହେନ୍ଦ୍ର ମିଶ୍ର: ଏଥିରେ ମଧ୍ୟ ଘୋର ପ୍ରତିବନ୍ଧକର ସାମନା କରିବାକୁ ପଡ଼ିଲା। ଗୋପାଳ ପ୍ରହରାଜଙ୍କର କିଛି ଉତ୍ତର ପୁରୁଷ ଏହାର ସ୍ୱତ୍ୱାଧିକାର ନେଇ ପ୍ରଶ୍ନ ଉଠାଇଥିଲେ। ଏହି ବହିର ଉନ୍ମୋଚନ ଉତ୍ସବକୁ ଆସିବା ପାଇଁ ମୁଁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲି। ସେ ସମ୍ମତି ମଧ୍ୟ ଦେଇଥିଲେ। କିନ୍ତୁ ସେଦିନ ଉତ୍ସବର କିଛି ଘଣ୍ଟା ପୂର୍ବରୁ କେହି ଯାଇ ତାଙ୍କୁ କହିଥିଲେ ଯେ ପତ୍ରିକାର ପ୍ରକାଶନ ଅଧିକାରକୁ ନେଇ କିଛି ବିବାଦ ଅଛି; ଏଣୁ ଆପଣ ସେଠାକୁ ଯାଆନ୍ତୁ ନାହିଁ।
ସାହିତ୍ୟ ଚର୍ଚ୍ଚା: ମୁଖ୍ୟମନ୍ତ୍ରୀ କ’ଣ ତେବେ ଆସିଲେ ନାହିଁ?
ମହେନ୍ଦ୍ର ମିଶ୍ର: ନା, ସେ ଆସିଲେ ନାହିଁ। ସେହି ସମୟକୁ ମୁଖ୍ୟମନ୍ତ୍ରୀଙ୍କର ଆଉ କିଛି ଜରୁରୀ କାର୍ଯ୍ୟ ଅଛି ବୋଲି ଦର୍ଶାଇ ଦିଆଗଲା।
ସାହିତ୍ୟ ଚର୍ଚ୍ଚା: ଆପଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶ କରିବାକୁ ଯିବାବେଳେ ତାହାର ମୂଳ କପିଟି କେଉଁଠାରୁ ପାଇଥିଲେ?
ମହେନ୍ଦ୍ର ମିଶ୍ର: ପୁରୀ ଜିଲ୍ଲାରେ ଥିବା ଆମ ଗାଆଁ ବୀରପୁରୁଷୋତ୍ତମପୁରର ଲାଇବ୍ରେରୀରେ ତାହାର ମୂଳ ଛପାଟିଏ ଥିଲା। ସେଇଟି ସେଠାକୁ କେମିତି ଆସିଲା ତାହା ପଛରେ ଗୋଟିଏ କାହାଣୀ ଅଛି।
ସାହିତ୍ୟ ଚର୍ଚ୍ଚା: ତାହା ପୁଣି କ’ଣ?
ମହେନ୍ଦ୍ର ମିଶ୍ର: ପ୍ରହରାଜଙ୍କର ଜଣେ ଦ୍ୱିତୀୟ ସ୍ତ୍ରୀ ଥିଲେ ବୋଲି ଆପଣ ତ ଜାଣିଥିବେ।
ସାହିତ୍ୟ ଚର୍ଚ୍ଚା: ଯାହା ଶୁଣିଛୁ, ସେ ଥିଲେ ତାଙ୍କର ପ୍ରଥମ ସ୍ତ୍ରୀଙ୍କର ସାନ ଭଉଣୀ।
ମହେନ୍ଦ୍ର ମିଶ୍ର: ପୀତାମ୍ବରୀ ଦେବୀ ନାମକ ତାଙ୍କ ପତ୍ନୀଙ୍କର ସେହି ସାନ ଭଉଣୀ ପ୍ରହରାଜଙ୍କ ସହିତ ବିବାହ କରି ନ ଥିଲେ; କିନ୍ତୁ ତାଙ୍କ ସହିତ ରହୁଥିଲେ। ଯେତେବେଳେ ପ୍ରହରାଜଙ୍କର ବିଷପାନ ଦ୍ୱାରା ଅସ୍ୱାଭାବିକ ମୃତ୍ୟୁ ହୋଇଛି ବୋଲି ସନ୍ଦେହ ହେଲା, ସେତେବେଳେ ଅଭିଯୋଗ ହୋଇଥିଲା ଯେ ପୀତାମ୍ବରୀ ଦେବୀଙ୍କର ଏହି ମୃତ୍ୟୁରେ ଏକ ଭୂମିକା ଥିଲା।
ସାହିତ୍ୟ ଚର୍ଚ୍ଚା: ଏହା ଆମେ ମଧ୍ୟ ଶୁଣିଛୁ।
ମହେନ୍ଦ୍ର ମିଶ୍ର: ପ୍ରହରାଜଙ୍କ ମୃତ୍ୟୁ ପରେ ପୀତାମ୍ବରୀ ଦେବୀ ଘୋର ଦାରିଦ୍ର୍ୟ ଭିତରେ କାଳାତିପାତ କରିଥିଲେ। ପୁରୀର ହେରାଗୋହିରୀ ସାହିରେ ଆମର ଗୋଟିଏ ଘର ଅଛି। ସେତେବେଳେ ସେଠାରେ ପୀତାମ୍ବରୀ ଦେବୀ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଦୁଇଟି କପି ସହିତ ଆସି ପହଞ୍ଚିଲେ ଏବଂ ମୋ’ ବାପାଙ୍କୁ ଅନୁରୋଧ କଲେ ବହି ଦୁଇଟି ରଖି ତାଙ୍କୁ ୨୦ ଟଙ୍କା ଦେବାପାଇଁ। ବାପା ତ ପ୍ରଥମେ ଭୀଷଣ ରାଗିଯାଇ ତାଙ୍କୁ ସେଠାରୁ ତଡ଼ିଦେବାକୁ ବସିଥିଲେ। କାରଣ ପୀତାମ୍ବରୀ ଦେବୀଙ୍କର ଦୁର୍ନାମ ସେତେବେଳେ ଚାରିଆଡ଼େ ବ୍ୟାପିଯାଇଥିଲା। ପରେ ଅବଶ୍ୟ ବାପା ଦୟା ପରବଶ ହୋଇ ତାଙ୍କୁ ୨୫ ଟଙ୍କା ଦେଲେ ଏବଂ ବହି ଦୁଇଟି ରଖିଲେ।
ସାହିତ୍ୟ ଚର୍ଚ୍ଚା: ସେହି ବହିକୁ ଆଧାର କରି ବୋଧହୁଏ ଆପଣ ଭାଷାକୋଷଟିର ପୁନର୍ମୁଦ୍ରଣ କଲେ।
ମହେନ୍ଦ୍ର ମିଶ୍ର: ସେହି ଦୁଇଟିରୁ ଖଣ୍ଡିଏ କପି ଆମେ ଆମ ଗାଆଁର ପାଠାଗାରକୁ ଦାନ କରିଦେଇଥିଲୁ। ପରେ ସେଠାରେ ବହିଟି ଜର୍ଜର ହୋଇପଡ଼ିଥିବା ଦେଖି ତାହାର ପୁନର୍ମୁଦ୍ରଣ କରିବାର ଯୋଜନା ମୋ ମନକୁ ଆସିଲା।
ସାହିତ୍ୟ ଚର୍ଚ୍ଚା: ପୁସ୍ତକ ପ୍ରକାଶନ ଶିଳ୍ପର ତୁଙ୍ଗ ଶିଖରକୁ ଯାଇ ପ୍ରବଳ ସଫଳତା ଅର୍ଜନ କରିବା ପରେ ଏବେ ଲାଗୁଛି, ଯେମିତି ସବୁ ଧିମେଇ ଯାଇଛି ଅବା ସରିଯାଇଛି। ଆପଣ ପ୍ରକାଶନରୁ ଓହରି ଆସିଛନ୍ତି ଏବଂ ନିଜର ଚାରି ମହଲା ବିଶିଷ୍ଟ ଏହି ବିରାଟ ଅଟ୍ଟାଳିକାରେ ଏକାକୀ ଜୀବନ ଅତିବାହିତ କରୁଛନ୍ତି। ଶୁଣିଛୁ, ଆପଣଙ୍କ ଜୀବନର ଦୁଇଟି ଟ୍ରାଜେଡି ବିଷୟରେ।
ମହେନ୍ଦ୍ର ମିଶ୍ର: ମୋର ସାନ ପୁଅ ଜୟନ୍ତ କ୍ୟାନ୍ସରରେ ପୀଡ଼ିତ ହୋଇ ଆରପାରିକୁ ଚାଲିଯିବା ଏବଂ ଦ୍ୱିତୀୟ ପୁତ୍ର ସୁମନ୍ତ କିଛିବର୍ଷ ତଳେ ହଠାତ୍ ନିରୁଦ୍ଦିଷ୍ଟ ହୋଇଯିବା ପରେ ମୋର ମନ ଭାଙ୍ଗିଯାଇଛି। ସହଧର୍ମିଣୀ ମଧ୍ୟ ସେପାରିକୁ ଗଲେଣି। (କାନ୍ଥରେ ଲାଗିଥିବା ସୁମନ୍ତଙ୍କ ଫଟୋକୁ ଦେଖାଇ) ଇଏ ହୁଏତ ସମ୍ଭାଳି ପାରିଥାନ୍ତା ସଂସ୍ଥାଟିକୁ।
ସାହିତ୍ୟ ଚର୍ଚ୍ଚା: ସେ ତ କବି ଭାବର ମଣିଷ। ତାଙ୍କର କବିତା ବହି ମଧ୍ୟ ପ୍ରକାଶିତ ହୋଇଛି। ତାଙ୍କର ଏମିତି ଅନ୍ତର୍ଦ୍ଧାନ ହୋଇଯିବା ବହୁତ ବେଦନାଦାୟକ। ଏହି ଅବସାଦ କଣ ଆପଣ ଏବେ ପ୍ରକାଶନରୁ ଓହରିଯାଇଥିବାର ଏକ କାରଣ !
ମହେନ୍ଦ୍ର ମିଶ୍ର: ହଁ। ତଥାପି ଗୋଟିଏ କନ୍ନଡ଼ ବହିର ଅନୁବାଦ ପ୍ରକାଶ କରିବାର ଯୋଜନାରେ ଏବେ ଅଛି।
ସାହିତ୍ୟ ଚର୍ଚ୍ଚା: ଶେଷରେ ଟିକିଏ ଜାଣିବାକୁ ଚାହିଁବୁ ଯେ ଓଡ଼ିଆ ସାହିତ୍ୟ ପ୍ରକାଶନ-ଶିଳ୍ପର ଭବିଷ୍ୟତକୁ ଆପଣ କିଭଳି ଦେଖନ୍ତି?
ମହେନ୍ଦ୍ର ମିଶ୍ର: ଆମେ ନିରାଶ ହେବାନି। ଯାହା ହେଲେ ବି ବହିକୁ କିଏ ରିପ୍ଲେସ୍ କରିପାରିବେନି। ବହି ଓ ବହିର ପ୍ରକାଶକ ଉଭୟେ ତିଷ୍ଠି ରହିବେ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହା ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ମନେହେଲା, ମହେନ୍ଦ୍ର ମିଶ୍ର ସାର୍ଙ୍କ ପାଖରେ ବସି ତାଙ୍କ ମୁହଁରୁ ହିଁ ଏସବୁ କଥା ଶୁଣୁଛି । ଆଗରୁ ବେଶ୍ କେତେ ଥର କଲିକତାରୁ ଆସିଛି, କେବଳ ତାଙ୍କଠୁ ତାଙ୍କ କଥା ଶୁଣିବା ପାଇଁ !
ତାଙ୍କର ଅନୁଭୂତି ସବୁ ପରି, ତାଙ୍କର କହିବାର ଶୈଳୀ ମଧ୍ଯ ଅନନ୍ଯ ।
ତାଙ୍କୁ ପ୍ରଣାମ କରୁଛି ।
ଆଉ ଆପଣଙ୍କୁ, ପ୍ରଚୁର ଈର୍ଷା ।।
ବହୁତ ସୁନ୍ଦର ସାକ୍ଷାତକାର। ମହେନ୍ଦ୍ର ମିଶ୍ରଙ୍କ ବିଷୟରେ ଯଦିଓ ଜାଣିଥିଲି କିନ୍ତୁ ତାଙ୍କ ସହ ଏଇ ଅନ୍ତରଙ୍ଗ ଆଳାପରୁ ବହୁତ ଅନାଲୋଚିତ କଥା ଜାଣି ପାରିଲି। ବହୁତ ଭଲ ଲାଗିଲା। ମହେନ୍ଦ୍ର ସାର୍ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ସହ ଆପଣଙ୍କୁ ମଧ୍ୟ ହୃଦୟରୁ ଅଭିନନ୍ଦନ।