ଗଙ୍ଗାଧରଙ୍କ ଏକ କବିତାର ଶୁଦ୍ଧପାଠ ନିର୍ଣ୍ଣୟ

ସ୍ୱଭାବକବିଙ୍କ ତୀକ୍ଷଣ କଳ୍ପଶକ୍ତିର ପରିଚୟ ଦେବାରେ ଏ ଗୋଟିଏ କବିତା ହିଁ ଯଥେଷ୍ଟ।

ବିଶ୍ୱନାଥ ସାହୁ

ବିଶିଷ୍ଟ ଆଲୋଚକ ଦେବେନ୍ଦ୍ର କୁମାର ଦାଶ ୧୯୯୫ ମସିହାରେ ତାଙ୍କର ‘ଗଙ୍ଗାଧର କବିତା ଓ କବି ଆତ୍ମା’ ପୁସ୍ତକରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଯେଉଁ କେତେଗୋଟି ଦୁଷ୍ପ୍ରାପ୍ୟ ରଚନାର ସୂଚନା ଦେଇଛନ୍ତି, ତନ୍ମଧ୍ୟରେ ଗୋଟିଏ ଥିଲା – ‘ଚନ୍ଦ୍ର ଶରୀରରେ ଏହା ନୁହେଁ କଳଙ୍କ’। ଏ କବିତାଟିର ଟୀକା ଦେଇ ସେ ଲେଖିଛନ୍ତି- “ଏହା ଗଙ୍ଗାଧରଙ୍କ ଏକ ସ୍ୱତନ୍ତ୍ର କବିତା ନୁହେଁ। ଉପରୋକ୍ତ ଶୀର୍ଷକରେ କବିତା ଲେଖିବା ପାଇଁ ସମ୍ବଲପୁର ହିତୈଷିଣୀ ଓଡ଼ିଶାର କବିମାନଙ୍କୁ ଆହ୍ୱାନ କରିଥିଲା। ବାମଣ୍ଡାର ବହୁ କବି ଏଭଳି ସମସ୍ୟା ପୂର୍ତ୍ତିରେ ଅଂଶଗ୍ରହଣ କରିଥିଲେ। ବାମଣ୍ଡା ବାହାରର ପ୍ରତିଷ୍ଠିତ କବିମାନଙ୍କ ମଧ୍ୟରୁ ଏକୁଟିଆ ଗଙ୍ଗାଧର ଏଥିରେ ଯୋଗଦାନ କରିଥିଲେ। ଉପରୋକ୍ତ ଶୀର୍ଷକରେ କବିତାମାଳା ସମ୍ବଲପୁର ହିତୈଷିଣୀର ଏକାଦଶ ବର୍ଷ ଅଷ୍ଟତ୍ରିଂଶ ସଂଖ୍ୟା (ତା.୨୪.୦୧.୧୯୯୦)ରେ ପ୍ରକାଶିତ। ମଝିରେ ଚାରୋଟି ଅକ୍ଷର ବ୍ୟବହୃତ ସମ୍ବଲପୁର ହିତୈଷିଣୀରେ ନାହିଁ। ତାହା ‘…’ ଦ୍ୱାରା ସୂଚିତ। – ସମ୍ପାଦକ।” ଏହା ପରେ ପରେ ଯେତେଜେଣ ଗଙ୍ଗାଧର ଗ୍ରନ୍ଥାବଳୀ ହିଁ ନିଜ ନିଜ ଗ୍ରନ୍ଥାବଳୀରେ ସ୍ଥାନିତ କରିଛନ୍ତି କେହି ମୂଳ ପାଠ ଅର୍ଥାତ୍ ପତ୍ରିକା ପାଠକୁ ସଂଗ୍ରହ କରିବାର ପ୍ରୟାସ ସମ୍ଭବତଃ କରିନାହାନ୍ତି। କାରଣ ଯେଉଁ ଗୋଟିଏ ଶବ୍ଦକୁ ଶ୍ରୀଯୁକ୍ତ ଦାଶ ଚିହ୍ନି ନ ପାରି ଉଦ୍ଧୃତି ଚିହ୍ନ ଦେଇ ଛାଡ଼ିଦେଇଛନ୍ତି ତାହା ସମସ୍ତ ଗ୍ରନ୍ଥାବଳୀ ସମ୍ପାଦକଙ୍କ ଦ୍ୱାରା ଅନୁସୃତ ହୋଇଛି। ଏପରିକି ୨୦୦୨ ମସିହାରେ ଆଲୋଚକ ଫଣୀନ୍ଦ୍ର ଭୂଷଣ ନନ୍ଦ ତାଙ୍କର ‘ସମ୍ବଲପୁର ହିତୈଷିଣୀ : ଏକ ଅଧ୍ୟୟନ’ ପୁସ୍ତକରେ ସେହି ଶବ୍ଦ ‘ଦରଶନ’ ବୋଲି ଉଲ୍ଲେଖ କରିବା ସତ୍ତ୍ୱେ ସମସ୍ତେ ଏହାକୁ ଅଣଦେଖା କରିଥିବାର ଜଣାଯାଏ।
ଗଙ୍ଗାଧରଙ୍କ ଉକ୍ତ କବିତାଟି ପ୍ରଥମେ ସମ୍ବଲପୁର ହିତୈଷିଣୀରେ ପ୍ରକାଶ ପାଇଥିଲା। ସେତେବେଳେ ହିତୈଷିଣୀରେ ଓଡ଼ିଶାର କବିମାନଙ୍କ ପାଇଁ ଏକ ‘ସମସ୍ୟା ପୂର୍ତ୍ତି’ ରଖାଯାଇଥିଲା ଏବଂ ସେଥିରେ ‘ଚନ୍ଦ୍ରର ଶରୀରରେ ଏହା ନୁହେଁ କଳଙ୍କ’ ବିଷୟକୁ ନେଇ ଚୋଖି ଛାନ୍ଦରେ କବିତା ଲେଖିବାକୁ ନିର୍ଦ୍ଦେଶ ରହିଥିଲା। ହିତୈଷିଣୀର ଏକାଦଶ ଭାଗ ୩୪ଶ ସଂଖ୍ୟା (ଡିସେମ୍ବର ୨୭, ୧୮୯୯)ରେ ସୂଚନା ଅଛି ଯେ- “ସମସ୍ୟା-ଚନ୍ଦ୍ରର ଶରୀରରେ ଏହା ନୁହେଁ କଳଙ୍କ’। ଚୋଖି ରାଗରେ ଏହି ସମସ୍ୟା ପୂର୍ତ୍ତି କରି ପଠାଇବା ସକାଶେ ଉତ୍କଳ ସାହିତ୍ୟ ସେବକମାନଙ୍କୁ ପ୍ରାର୍ଥନା କରାଯାଇଥିଲା। ଏଥି ମଧ୍ୟରେ ଅତ୍ୟଳ୍ପ ସଂଖ୍ୟକ ସମସ୍ୟା ପୂର୍ତ୍ତି ହସ୍ତଗତ ହେବାରୁ ପୁନଶ୍ଚ ସମୟ ବୃଦ୍ଧି କରାଗଲା। ଜାନୁୟାରୀ ମାସ ଶେଷ ଦିବସ ପର୍ଯ୍ୟନ୍ତ ପୂର୍ତ୍ତି କବିତା ଗୃହୀତ ହେବ। ତତ୍ପରେ ଯେଉଁମାନଙ୍କ ପୂର୍ତ୍ତି ଉତ୍କୃଷ୍ଟ ବିବେଚିତ ହେବ ସେମାନଙ୍କୁ ସାହିତ୍ୟ ସମ୍ବନ୍ଧୀୟ ଖଣ୍ଡିଏ ଲେଖାଏଁ ପୁସ୍ତକ ଉପହାର ଦିଆଯିବ। ହିତୈଷିଣୀ ସଂପାଦକ କବିତା ଗ୍ରହଣ କରିବା ଏବଂ ଉପହାର ବଣ୍ଟନ କରିବା ଭାର ଗ୍ରହଣ କରିଅଛନ୍ତି।”

ତା’ପରେ ଏକାଦଶ ଭାଗ ୩୮ଶ ସଂଖ୍ୟା (୨୪ ଜାନୁୟାରୀ ୧୯୦୦)ରେ ନିର୍ବାଚିତ କବିତାବଳୀ ପ୍ରକାଶ ପାଇଥିଲା। ଏଥିରେ ୨୪ ଓ ୩୧ ତାରିଖ ଦୁଇଦିନ ଧରି ପାଖାପାଖି ଚାଳିଶ ଜଣ କବିଙ୍କ କବିତା ପ୍ରକାଶିତ। ଯେଉଁଥିରେ ବାମଣ୍ଡାରୁ ୨୦ ଜଣ, ଦେବଗଡ଼ରୁ ୩ ଜଣ, ମୟୂରଭଞ୍ଜରୁ ୩ ଜଣ, ପୁରୀରୁ ୨ ଜଣ ଏବଂ ଭଦ୍ରଖ, କଟକ, ନୟାଗଡ଼, ଚିକିଟି, ସୋନପୁର, ବରପାଲିରୁ ଜଣେ ଲେଖାଏଁ କବି ରହିଥିଲେ। ଆଉ କିଛି ଛଦ୍ମନାମ ବ୍ୟବହାର କରିଥିବାବେଳେ କେତେକଙ୍କର ଦୁଇଟି ଲେଖାଏଁ କବିତା ମଧ୍ୟ ରହିଛି।
ପାଠ ନିର୍ଣ୍ଣୟର ଅଶୁଦ୍ଧତା
ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଦାଶ ଓ ଶ୍ରୀଯୁକ୍ତ ଫଣୀନ୍ଦ୍ର ଭୂଷଣ ନନ୍ଦ ନିଜ ନିଜ ପୁସ୍ତକରେ ଏ କବିତାଟିକୁ ଉଦ୍ଧାର କରି ଶୁଦ୍ଧ ପାଠ ନିର୍ଣ୍ଣୟ କରିଥିଲେ ହେଁ ତାହା ଅଶୁଦ୍ଧ ରହିଯାଇଛି ଏବଂ ଉଭୟଙ୍କ ପାଠୋଦ୍ଧାରରେ ତାଳମେଳ ନାହିଁ। ପୁନଶ୍ଚ କେତେ ଜାଗାରେ ମୂଳପାଠ ସହ ଏହା ଭିନ୍ନ ଥିବାର ଦେଖାଯାଏ। ତେଣୁ ନିମ୍ନରେ ମୂଳ ପତ୍ରିକା ପାଠ ଅନୁସରଣରେ ଏହାର ଏକ ଶୁଦ୍ଧ ପାଠ ନିର୍ଣ୍ଣୟ କରିବାର ପ୍ରଚେଷ୍ଟା କରାଗଲା-
ଦେବେନ୍ଦ୍ର ଦାଶ ପାଠ : ୧ – ଲଭି ପ୍ରଭାକର କର, ୨ – ଅତଳ ଗହ୍ୱର ଯହିଁ, ୩ – ବସିନାହିଁ ତହିଁ ଶଶକ, ୪ – ଚନ୍ଦ୍ର ରଶ୍ମି ମନୋହର, ୫ – ସ୍ୱଭାବେ ଅମୃତ କର, ୬ – ପ୍ରିୟ … ଅପଘନ ନିର୍ମ୍ମଳ, ୭ – ତାହା ବକ୍ଷଦେଶ କେଶରାଶି ପ୍ରାୟକ,
ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କ ପାଠ : ୧ – ଲାଗି ପ୍ରଭାକର କର୨ – ଗଭୀର ଗହ୍ୱର ଯହିଁ, ୩ – ବସିନାହିଁ ତାହା ଶଶକ, ୪ – ଚନ୍ଦ୍ର ବିଶ୍ୱ ମନୋହର, ୫ – ସଭାବେ ଅମୃତ କର, ୬ – ପ୍ରିୟ ଦରଶନ ଅପଘନ ନିର୍ମ୍ମଳ, ୭ – ତାହା ବକ୍ଷଦେଶ କେଶରାଶି କେବଳ
ବିଶ୍ୱନାଥ ସାହୁଙ୍କ ପାଠ : ୧ – ଲଭି ପ୍ରଭାକର କର, ୨ – ଗଭୀର ଗହ୍ୱର ଯହିଁ, ୩ – ବସିନାହିଁ ତାହା ଶଶକ, ୪ – ଚନ୍ଦ୍ର ବିଶ୍ୱ ମନୋହର, ୫ – ସ୍ୱଭାବେ ଅମୃତ କର, ୬ – ପ୍ରିୟ ଦରଶନ ଅପଘନ ନିର୍ମ୍ମଳ, ୭ – ତାହା ବକ୍ଷଦେଶ କେଶରାଶି କେବଳ
ଏହା ବ୍ୟତୀତ ଶ୍ରୀଯୁକ୍ତ ଫଣୀନ୍ଦ୍ର ଭୂଷଣ ନନ୍ଦ ‘ଚନ୍ଦ୍ରର ଶରୀରେ ଏହା ନୁହେଁ କଳଙ୍କ’ ଘୋଷା ପଦକୁ ତାଙ୍କ ପାଠରେ ଦୁଇଥର ବ୍ୟବହାର କରିଛନ୍ତି, ଯାହା ମୂଳପାଠରେ ନାହିଁ। ଅତଏବ କବିତାଟିର ମୂଳରୂପ ଏହିପରି –
“ଲଭି ପ୍ରଭାକର କର ଚନ୍ଦ୍ର ହୋଇଛି ଭାସ୍ୱର
ନତୁ ଚନ୍ଦ୍ର ଜଡ଼ ପିଣ୍ଡ ସ୍ୱତେଜ ହୀନ,
ଗଭୀର ଗହ୍ୱର ଯହିଁ ରବି ରଶ୍ମି ନ ପଡ଼ଇ
ଅନ୍ଧାର ଯୋଗୁଁ ତା’ ଦିଶୁଅଛି ମଳିନ
ବସିନାହିଁ ତାହା ଶଶକ।
ଚନ୍ଦ୍ର ବିଶ୍ୱ ମନୋହର ସ୍ୱଭାବେ ଅମୃତ କର
ପ୍ରିୟ ଦରଶନ ଅପଘନ ନିର୍ମ୍ମଳ,
ମଧ୍ୟେ ଯେ କୃଷ୍ଣ ବରନ କରୁଛ ଅବଲୋକନ,
ତାହା ବକ୍ଷଦେଶ କେଶରାଶି କେବଳ
ହୋଇଅଛି ଶୋଭା ବ୍ୟଞ୍ଜକ।”

ଆଜି ଭାରତ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଛି। କିନ୍ତୁ ଶହେ ବର୍ଷ ପୂର୍ବରୁ ସ୍ୱଭାବ କବିଙ୍କ ବର୍ଣ୍ଣନା ଦେଖନ୍ତୁ ଏ ପଦରେ। ସେ କହୁଛନ୍ତି – ଚନ୍ଦ୍ର ପ୍ରଭାକରଙ୍କ କିରଣରେ ହିଁ ଭାସ୍ୱର। ନ ହେଲେ ତ ସିଏ ଏକ ସ୍ୱତେଜହୀନ ଜଡ଼ପିଣ୍ଡ। ଆଉ ଆମେ ଯାହାକୁ ଚନ୍ଦ୍ରର କଳଙ୍କ ବୋଲି କହୁଛୁ, ତାହା କଳଙ୍କ ନୁହେଁ। ଚନ୍ଦ୍ର ପୃଷ୍ଠରେ ଥିବା ଗଭୀର ଗାତମାନଙ୍କରେ ସୂର୍ଯ୍ୟାଲୋକ ପଡୁ ନ ଥିବା ଯୋଗୁଁ ତାହା ଆମକୁ ମଳିନ ଦିଶେ। ଚନ୍ଦ୍ରର ଅନ୍ୟ ଏକ ନାମ ‘ଶଶାଙ୍କ’ ବା ‘ଶଶଧର’। ଏ ନାମ ପଛରେ ଏକ ପୌରାଣିକ କଥା ରହିଅଛି। ପୁରାଣ ଅନୁସାରେ ‘ଗୋଟିଏ ଶଶକ (ଗଳ୍ପାନ୍ତରରେ ମୃଗ) ତୃଷାର୍ତ୍ତ ହୋଇ ମରୀଚିକା ଭ୍ରମରେ ଚନ୍ଦ୍ରଙ୍କୁ କିମ୍ବା ଚନ୍ଦ୍ର କିରଣ ଉଦ୍ଭାସିତ ମରୁପ୍ରାନ୍ତରକୁ ଗୋଟିଏ ଜଳାଧାର ବୋଲି ମନେ କରି ଜଳପାନ କରିବା ପାଇଁ ଦଉଡ଼ି ଯାଇ ଦେଖିଲା ଯେ ସେଠାରେ ପାଣି ନାହିଁ। ଏହା ଦେଖି ଶଶକର ହଂସା ଉଡିଗଲା ଓ ସେ ମରିଗଲା। ଚନ୍ଦ୍ରଙ୍କଠାରେ ଆଶା ରଖି ଶଶକ ପ୍ରାଣ ହରାଇଥିବାରୁ ସେହି ଶଶକଟି ଚନ୍ଦ୍ରଙ୍କ ଦେହରେ କଳଙ୍କ ସ୍ୱରୂପ ଲାଗିରହିଲା ଏବଂ ସେହିଦିନଠାରୁ ଚନ୍ଦ୍ର ଶଶାଙ୍କ ହେଲେ। (ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃ- ୭୬୦୦) ତେଣୁ ଗଙ୍ଗାଧର କହିଲେ ‘ବସିନାହିଁ ତାହା ଶଶକ’; ଏହା କେବଳ ଛାୟା ମାତ୍ର।
ବାସ୍ତବରେ ସ୍ୱଭାବ କବିଙ୍କ ତୀକ୍ଷଣ କଳ୍ପଶକ୍ତି ଓ ଗଭୀର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପରିଚୟ ଦେବାରେ ଏ ଗୋଟିଏ କବିତା ହିଁ ଯଥେଷ୍ଟ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

One thought on “ଗଙ୍ଗାଧରଙ୍କ ଏକ କବିତାର ଶୁଦ୍ଧପାଠ ନିର୍ଣ୍ଣୟ

  1. ସମୀକ୍ଷା ମନଛୁଆଁ ହେଇ ପାରିଛି। ଧନ୍ୟବାଦ ବିଶ୍ଵନାଥ ଭାଇ। ମେହେରଙ୍କ ମୁଁ ଜଣେ ମୁଗ୍ଧା ପାଠିକା।

Leave a Reply

Your email address will not be published. Required fields are marked *