ଆଲୋକ-ଅନ୍ଧକାର ସତ୍ତାର ପ୍ରଜ୍ଞପ୍ତି ହେଉଛି ବିଜ୍ଞାନ; ଆଲୋକର ପ୍ରଜ୍ଞାବାଦ ହେଉଛି ଜ୍ଞାନ।

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ‘ତୁଳାଭିଣା’ ପଢ଼ୁଥିଲି। ସଂସାରତତ୍ତ୍ୱ ହେତୁ ଆଦିଶକ୍ତି ମା ପାର୍ବତୀଙ୍କ ଜିଜ୍ଞାସାର ବୋଧରୂପ :
‘ପାର୍ବତୀ ବସି ଏକଦିନେ। କହନ୍ତି ବସି ଶିବ ସନ୍ନିଧାନେ
ହେ ପ୍ରଭୁ କରୁଣା-ସାଗର। କେମନ୍ତେ ହୋଇଲା ସଂସାର।’
ତତ୍ପରେ, ସଂଶୟ ଦୂର କରିଛନ୍ତି ମହାଦେବ ଅତି ତାତ୍ତ୍ୱିକ ମାର୍ଗରେ। ଓଁକାର ଠାରୁ ବ୍ରହ୍ମାଣ୍ଡ ପରିଯନ୍ତେ। ସ୍ମୃତିପଥରୁ ସାଉଁଟି ଆଣିଲି ସେଇ ଜିଜ୍ଞାସାର ପର୍ବ ଓଡ଼ିଆ ଭାଗବତରୁ :
‘ଶିଷ୍ୟ ଭକ୍ତିରେ ଦୟା ବହେ। ସକଳ ଗୂଢ଼ତତ୍ତ୍ୱ କହେ
ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ। ପ୍ରକାଶ ଆମ୍ଭର ଅଗ୍ରତେ।’
ସେଇ ଜିଜ୍ଞାସାର ଭାବ ଜୀବତତ୍ତ୍ୱ, ଭବସାଗରରୁ ତରିଯିବାର ଆଗ୍ରହର କଥା। ଅତି ଭାବମୟ।
ଭଗବାନ ଶ୍ରୀକୃଷ୍ଣ ଯେଉଁ ଅଷ୍ଟାଦଶ ଯୋଗର ବ୍ୟାଖ୍ୟା କରିଛନ୍ତି ତାହା ହେଉଛି ବ୍ରହ୍ମ, ଜୀବ ଓ ମୁକ୍ତିମାର୍ଗର ମହାକଥା। ଏଣୁ ଜିଜ୍ଞାସାଗତ ପ୍ରାଣ ହିଁ ବୋଧିଟିଏ। ଗତ ଥର ଅନୁରୋଧ କରିଥିଲି ଯେ ବୋଧିଏ; ଆସନ୍ତୁ ପାଠକଟିଏ ହେବା। ପଢ଼ିବା, ବୁଝିବା, ଜାଣିବା। ଜୀବ, ବ୍ରହ୍ମ, ମୋକ୍ଷ, ପ୍ରଭୃତିର କଥା; ଭାଷା, ସାହିତ୍ୟ, ଜ୍ଞାନବିଜ୍ଞାନର କଥା। ଏଣୁ ତ ପଢ଼େ; ନ୍ୟୂନପଞ୍ଚାଶଦ୍ଭାବ ନେଇ ନୁହଁ, ଜାଣିବାକୁ ଓ ପାଇବାକୁ ଅମୂଲ୍ୟମଣି ସବୁ ଆମ ଭାଷା ଓ ସାହିତ୍ୟର ତତ୍ତ୍ୱ ଓ ତଥ୍ୟସମୂହ। ହେଲେ ଗଇ ଖୋଜିବା ଲୋକ ଅଛନ୍ତି। ମୁଣୁହୁଁ ମଞ୍ଜ ନବୁଝି ଅନେକ ବିଜ୍ଞ ନିଜର ମନ୍ତବ୍ୟ ଥୋପି ଦିଅନ୍ତି ଏଇ କଥାରେ।
ଜ୍ଞାନ-ଅଜ୍ଞାନର ତତ୍ତ୍ୱ ହିଁ ବିଜ୍ଞାନ; ଏଣୁ ଅନ୍ତଃସଂଜ୍ଞ ସର୍ବସ୍ୱ ହେବାକୁ ହେବ। ଏଥିପାଇଁ କହିଥିଲି; ଆଲୋକ-ଅନ୍ଧକାର ସତ୍ତାର ପ୍ରଜ୍ଞପ୍ତି ହେଉଛି ବିଜ୍ଞାନ; ଆଲୋକର ପ୍ରଜ୍ଞାବାଦ ହେଉଛି ଜ୍ଞାନ। ଆଲୋକର ଉପସ୍ଥିତିରେ ଅନ୍ଧକାରର ମୋହ ହେଉଛି ଅଜ୍ଞାନ। ଯେହେତୁ, ଜ୍ଞାନରୂପୀ ଆଲୋକର ସଂଶୟରୂପୀ ପଥରୋଧରେ ହିଁ ଅଜ୍ଞାନରୂପୀ ଅନ୍ଧକାରର ସୃଷ୍ଟି।
ମମ୍ମଟ ମତାନୁଯାୟୀ ସାହିତ୍ୟ-ସର୍ଜନା, ବ୍ରହ୍ମା-ସର୍ଜନା ଅପେକ୍ଷା ଉତ୍କୃଷ୍ଟତର। କାରଣ ବ୍ରହ୍ମା-ସୃଷ୍ଟି ନିର୍ଦ୍ଦିଷ୍ଟ ନିୟମ ଓ ଶୃଙ୍ଖଳାର ବଶବର୍ତ୍ତୀ ; ହେଲେ ସାହିତ୍ୟ-ସୃଷ୍ଟି ବୈଶିଷ୍ଟ୍ୟ ଓ ବୈଚିତ୍ର୍ୟରେ ପରିପୂର୍ଣ୍ଣ। ବ୍ରହ୍ମାଙ୍କ ସୃଷ୍ଟିରେ ମଧୁର, ଅମ୍ଲ, ଲବଣ, କଟୁ, ତିକ୍ତ, କଷାୟ ପରି ଛଅ ପ୍ରକାର ରସ ଉପଲବ୍ଧି ହେଲା ବେଳେ ସାହିତ୍ୟିକ ସୃଷ୍ଟିରେ ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବିଭତ୍ସ, ଅଦ୍ଭୁତ ଓ ଶାନ୍ତ ପରି ନଅଗୋଟି ରସର ଉପଲବ୍ଧି ହୁଏ। ମମ୍ମଟଙ୍କ ମତାନୁଯାୟୀ ସାହିତ୍ୟ-ସର୍ଜନା ବିଭିନ୍ନ ବୋଧ ନେଇ କରାଯାଇଥାଏ; ଯଥା ଯଶ, ଅର୍ଥ, ଅମଙ୍ଗଳର ବିନାଶ, ବ୍ୟବହାର ଜ୍ଞାନ, ପରମାନନ୍ଦ ପ୍ରାପ୍ତି ଓ କାନ୍ତା ସଦୃଶ ସରସ ଉପଦେଶ। ପ୍ରଥମ ତିନୋଟି ଲେଖକର ଲକ୍ଷ୍ୟ ଓ ଶେଷ ତିନୋଟି ପାଠକର ଲକ୍ଷ୍ୟ।
ଏଣୁ, ଭାଷା ଓ ସାହିତ୍ୟ ପଥରେ ପାଦ ଥାପିଥିବା ସମସ୍ତ ତଥା ସର୍ବୋପରି ଗଜାବଉଦଙ୍କୁ ବୁଝାଇ କହିବି ଯେ, ନ୍ୟୂନପଞ୍ଚାଶଦ୍ଭାବ ନୁହଁ ବରଂଚ ଧ୍ୱନ୍ୟାଲୋକର ରଚୟିତା ଶ୍ରୀମଦ ଆନନ୍ଦବର୍ଦ୍ଧନ ଆଚାର୍ଯ୍ୟ କହିବାନୁଯାୟୀ, “କବି ହେଉଛି ସ୍ୱୟଂ ବ୍ରହ୍ମା ଓ ସମଗ୍ର କାବ୍ୟ ସଂସାର ହିଁ କବିର ସୃଷ୍ଟି। କବି ତା’ର ରୁଚି ଅନୁଯାୟୀ କାବ୍ୟ-ସଂସାରକୁ ପରିବର୍ତ୍ତିତ କରିଥାଏ।”
ଏହି ବୋଧ ନେଇ ଅତି ଦାୟିତ୍ୱର ସହ ଆମ ଭାଷା ଓ ସାହିତ୍ୟର ତତ୍ତ୍ୱ ପଢ଼ି, ବୁଝି, ଜାଣି, ବୁଝି ଲେଖିବାକୁ ହେବ।
-ପ୍ରଭୂ
* ନ୍ୟୂନପଞ୍ଚାଶଦ୍ଭାବ – ଉନପଞ୍ଚାଶତ୍ ବାୟୁଗ୍ରସ୍ତ; ପାଗଳ; ବାତୁଳ, ହତଜ୍ଞାନ

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଫେବୃୟାରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ । )
ସବୁ ମାସରେ ପ୍ରଶାନ୍ତ ବାବୁଙ୍କ ଲେଖାଟି ନିଆରା ହୋଇଥାଏ, ଏଥର ମଧ୍ୟ ସମାନ। ସେ ସର୍ବଦା ନିଜେ କହୁଥିବା ବା କହିବାକୁ ଥିବା କଥାକୁ ଭିନ୍ନ ଭିନ୍ନ ବାଟରେ ଅନ୍ୟାମାନଙ୍କ ମତକୁ ନେଇ କହିଥାନ୍ତି। ଏହିଭଳି ଲେଖା ଖୁବ୍ ଦେଖିବାକୁ ମିଳେ। ଯେପରି – ସାମ୍ବାଦିକର କର୍ତ୍ତବ୍ୟ ହେଉଛି ଅନ୍ୟମାନଙ୍କ କଥା କହିବା , ନିଜ ବା ନିଜେ ଭାବୁଥିବା କଥା ନୁହେଁ, ସେହିଭଳି ପ୍ରଶାନ୍ତ ବାବୁଙ୍କ ନିଆରା ଶୈଳୀରେ ମାଧ୍ୟମରେ ବକ୍ତବ୍ୟ , ତାହା ପୁଣି ଅପେକ୍ଷାକୃତ କମ୍ ବା ପ୍ରାୟ ବ୍ୟବହୃତ ହେଉ ନଥିବା ଶବ୍ଦକୁ ନେଇ , ବେଶ୍ ଚମତ୍କାର । ମୋ ମତରେ ତାଙ୍କର ଲେଖାଗୁଡ଼ିକୁ ମଞ୍ଜ ବା ମଞ୍ଜି କଥା ଶ୍ରେଣୀଭୁକ୍ତ କରାଯିବା ଆବଶ୍ୟକ। ଓଡ଼ିଆ ପତ୍ରିକାରେ ଏହିଭଳି ଢଙ୍ଗରେ ଲେଖା ହାତଗଣତି ବୋଲି ମୋର ମତ। ଏହିଭଳି ଲେଖା ଚାଲିଥାଉ।