ଆଜିକାଲି କିଛି ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗମାନଙ୍କରେ ଚାଲିଥିବା ଗବେଷଣାର ମାନକୁ ଅନୁଧ୍ୟାନ କଲେ ବିଚଳିତ ହେବାକୁ ପଡ଼େ। ଅବଶ୍ୟ ଆମେ ସବୁତକ ଗବେଷଣା ପାଇଁ ଏକଥା କହୁନାହୁଁ। କେତେକ ନିର୍ଦ୍ଦିଷ୍ଟ ପିଏଚ୍.ଡି ସନ୍ଦର୍ଭ ଓଡ଼ିଆ ସାହିତ୍ୟର ମୂଲ୍ୟବାନ ଦିଗମାନଙ୍କୁ ଆଲୋକକୁ ଆଣି ଏହାର ସମୃଦ୍ଧି ଓ ବିକାଶରେ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଏଥିରେ ସନ୍ଦେହ ନାହିଁ। ତେବେ ଏହା ଏକ ଧାରା ନ ହୋଇ ବରଂ ବ୍ୟତିକ୍ରମ। ବହୁ ଦଶକ ପୂର୍ବେ ଡ଼. ହରେକୃଷ୍ଣ ମହତାବ ଓଡ଼ିଆ ସାହିତ୍ୟରେ ଗବେଷଣାର ଗୁଣବତ୍ତାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଥିଲେ। ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ସାହିତ୍ୟ ଗବେଷଣାରେ ବରଂ ଆହୁରି ଅଧୋଗତି ହୋଇଛି ସିନା, ଉନ୍ନତି ଦୃଷ୍ଟିଗୋଚର ହେଉନାହିଁ।
ଓଡ଼ିଆ ବିଭାଗମାନଙ୍କରେ ପିଏଚ୍.ଡ଼ି ପାଇଁ ଦାଖଲ ହେଉଥିବା କେତେକ ଗବେଷଣାତ୍ମକ ସନ୍ଦର୍ଭରେ ଜାଲିଆତି ହେଉଥିବାର ଖବରମାନ ଏବେ ଖବରକାଗଜର ପୃଷ୍ଠା ମଣ୍ଡନ କଲାଣି। କିଛି ଦିନ ତଳେ, ବାରିପଦାର ଜଣେ ଅଧ୍ୟାପିକା ସେଠାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନକଲୀକୃତ ସନ୍ଦର୍ଭ ଦାଖଲ କରିଥିବାର ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଦିଆଯାଇଥିବା ପିଏଚ୍.ଡି ଡିଗ୍ରୀ ପ୍ରତ୍ୟାହାର କରିନେଇଛନ୍ତି। କେବଳ ନକଲୀକରଣ ହିଁ ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟର ଗବେଷଣା କ୍ଷେତ୍ରରେ ଏହି ଧରଣର ଆହୁରି କେତେକ ଅନୈତିକ କାର୍ଯ୍ୟକଳାପ ମଧ୍ୟ ଏବେ ଚର୍ଚ୍ଚାକୁ ଆସିଛି।
ଆଉ ଏକ ବିସଙ୍ଗତି ହେଲା ଗବେଷଣା ପାଇଁ ଦୁର୍ବଳ ବିଷୟବସ୍ତୁମାନଙ୍କର ଚୟନ। କୌଣସି ଏକ ମୌଳିକ ବା ଉପାଦେୟ ବିଷୟବସ୍ତୁ ନୁହେଁ, ବରଂ ଯେଉଁ ବିଷୟଟି ଉପରେ ଗବେଷଣା କଲେ ସହଜରେ ଓ ଶୀଘ୍ର ସନ୍ଦର୍ଭଟିଏ ସାରିହେବ ତାହାକୁ ହିଁ ବଛାଯାଉଛି। ଓଡ଼ିଆ ବିଭାଗରେ ଚାଲିଥିବା ଏବର ଗବେଷଣାର ବିଷୟବସ୍ତୁଗୁଡ଼ିକୁ ଅନୁଧ୍ୟାନ କଲେ ଆମେ ଜାଣି ପାରିବା ଯେ ସମକାଳୀନ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ବା କୌଣସି ଅଜଣା ଅଶୁଣା ନିର୍ଦ୍ଦିଷ୍ଟ କୃତି ଉପରେ ହିଁ ଅଧିକ ସଂଖ୍ୟାରେ ସନ୍ଦର୍ଭମାନ ପ୍ରସ୍ତୁତ ହେଉଛି। ଉଦାହରଣ ସ୍ୱରୂପ, ‘ଅମୁକ ଦାସଙ୍କର ଓଡ଼ିଆ ସାହିତ୍ୟକୁ ଦାନ’, ଅବା ‘ସମୁକ ସଞ୍ଚୟନର ଭାଷା ଓ ଶୈଳୀ’, ଯେତେବେଳେକି ତଥାକଥିତ ଅମୁକ ଦାସ କିମ୍ବା ସମୁକ ସଞ୍ଚୟନର ସାହିତ୍ୟ ଜଗତକୁ ସେମିତି କିଛି ଆଖିଦୃଶିଆ ଅବଦାନ ନଥାଏ। ପିଏଚ୍. ଡି ଗବେଷଣା ସମ୍ପର୍କରେ ୟୁ.ଜି.ସିର ଦିଶାନିର୍ଦ୍ଦେଶ କହେ ଯେ, ଗବେଷଣା ପାଇଁ ପ୍ରସ୍ତାବିତ କ୍ଷେତ୍ରର ସାମାଜିକ ଓ କ୍ଷେତ୍ରୀୟ ପ୍ରାସଙ୍ଗିକତା ଥିବା ସହିତ ତାହାର ଜାତୀୟ ଓ ଅନ୍ତର୍ଜାତୀୟ ଗୁରୁତ୍ୱ ତଥା ସର୍ଜନାତ୍ମକ ମୂଲ୍ୟ ମଧ୍ୟ ରହିଥିବା ଉଚିତ, ଯାହାକି ମାନବୀୟ ଜ୍ଞାନଭଣ୍ଡାରରେ ଏକ ମହତ୍ତ୍ୱପୂର୍ଣ୍ଣ ମୂଲ୍ୟ ସଂଯୋଜନ କରିପାରୁଥିବ। କିନ୍ତୁ ଏହାର ବିପରୀତ, ଓଡ଼ିଆ ବିଭାଗର ଅଧିକାଂଶ ଗବେଷଣାର ବିଷୟବସ୍ତୁକୁ ଅନୁଧ୍ୟାନ କଲେ ଆମକୁ ନିରାଶ ହେବାକୁ ପଡ଼େ। ଏହା ମଧ୍ୟ ଲକ୍ଷ୍ୟ କରାଯାଏ ଯେ ଅନ୍ୟ ବିଭାଗମାନଙ୍କ ତୁଳନାରେ ଓଡ଼ିଆ ବିଭାଗର ଗବେଷକମାନେ ଅପେକ୍ଷାକୃତ କମ୍ ସମୟ ମଧ୍ୟରେ ନିଜ ସନ୍ଦର୍ଭଟି ଲେଖି ଶେଷ କରିଦିଅନ୍ତି।
ଏଭଳି ଏକ ସଙ୍କଟ ସମ୍ପର୍କରେ ନିଜର ମନ୍ତବ୍ୟ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରଫେସର ସ୍ୱର୍ଗତ ସୁଦର୍ଶନ ଆଚାର୍ଯ୍ୟ ଏକଦା ଆମ ପତ୍ରିକା ସହିତ ଏକ ସାକ୍ଷାତକାରରେ କହିଥିଲେ ଯେ ଆଜିକାଲି ଏପରିକି କେତେକ ଗବେଷକ ଟଙ୍କା ଦେଇ ପିଏଚ୍.ଡି ଥେସିସ୍ କିଣୁଛନ୍ତି। ଏହାଠାରୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କିଛି ଥାଇପାରେ କି! ଆମର ଗବେଷକ ଓ ବିଶେଷତଃ ସେମାନଙ୍କର ଗାଇଡ୍ମାନେ ଏ ବିଷୟରେ ଆତ୍ମାନୁଶୀଳନ କରିବାର ବେଳ ଆସିଛି।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଡିସେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )
ପିଏଚ୍.ଡ଼ି ପାଇଁ ଦାଖଲ ହେଉଥିବା କେତେକ ଗବେଷଣାତ୍ମକ ସନ୍ଦର୍ଭରେ ଜାଲିଆତି,ନକଲୀକୃତ ସନ୍ଦର୍ଭ ଦାଖଲ ଯୋଗୁଁ ଓଡ଼ିଆ ସାହିତ୍ୟରେ ଗବେଷଣାର ଗୁଣବତ୍ତା କମି କମି ଯାଉଥିବା ବେଳେ ସାହିତ୍ୟ ଗବେଷଣାରେ ଅଧୋଗତି ହୋଇଛି । ଏପରି କେତେକ ଅନୈତିକ କାର୍ଯ୍ୟକଳାପ ଦାୟୀ ବୋଲି ସଂପାଦକ ମହୋଦୟ ତାଙ୍କ ସମ୍ପାଦକୟୀରେ ଉଲ୍ଲେଖ କରି କିଛି ଗବେଷକଙ୍କ ଭିିତିରିକଥାକୁ ପ୍ରକାଶ କରିଥିବରୁ ଧନ୍ୟବାଦ ।