ବାଗ୍‌ବୈଦଗ୍‌ଧ୍ୟ *

ହେ ମୋର ଲେଖକଗଣ ! କଞ୍ଚାଲେଖାର ଅକଷ୍ଟକଳ୍ପନା ଚଉହଦୀରୁ ବାହାରକୁ ଆସି ବାଗ୍‌ବୈଦଗ୍‌ଧ୍ୟର ସାଧନାରେ ବ୍ରତୀ ହୁଅନ୍ତୁ।

ପ୍ରଶାନ୍ତ ଭୂୟାଁ

ଅବନା ଚଉତିଶା ପଢ଼ିଲା ବେଳେ ମନକୁ ଛୁଇଁଲା କଥା ପଦେ;
ଷଡ଼କ୍ଷର ଜପ ଅନବରତ, ଷଡ଼ରସ ଲବ, ଦବ ଉଷତ
ଷଣ୍ଢ ଦଇତର-ହନ୍ତକ ପଦ, ଷଡ଼ଙ୍ଗକ-କର ଅନ୍ତରଚ୍ଛଦ

ଷଡ଼ରଙ୍ଗ ମୟଭବ
ଷଟ କରମର ରତ କରମନ, ଏ ସମସ୍ତ ଅବୟବ।

ପୂଜ୍ୟ ଚିନ୍ତାମଣି ମହାନ୍ତିଙ୍କ ଏହି ଅବନା ଭାବରାଜି ଷଡ଼ପଦ ମାଧ୍ୟମରେ ଜନମାନସକୁ ପୂଜାମନ୍ତ୍ର, ଷଡ଼ସ୍ୱାଦ, ଷଡ଼ଙ୍ଗ, ଓ ଷଡ଼କର୍ମରେ ଉଦ୍‌ବୁଦ୍ଧ ହୋଇ ଜୀବନଯାପନ କରିବାକୁ ପ୍ରେରଣା ଦେଇଛନ୍ତି। ଏଥିରେ ଦୁଇ ମୁଖ୍ୟ କର୍ମ ପ୍ରସଙ୍ଗରେ ସେ ଚେତାଇ ଦେଇଛନ୍ତି, ତାହା ହେଲା ଅଧ୍ୟୟନ ଓ ଅଧ୍ୟାପନ। ଉଭୟ ମନୁଷ୍ୟକୁ ଧୀଷଣା ଶକ୍ତିରେ ଗରୀୟାନ କରିଥାନ୍ତି। ଏହିଭଳି ଷଡ୍‌ଦର୍ଶୀ ହିଁ ସଂସାର ପାଇଁ କଲ୍ୟାଣକାରକ ସାହିତ୍ୟସାଧନାରେ ବ୍ରତୀ ହୋଇ ସର୍ଜନା କରନ୍ତି ଅମରକୃତି କାବ୍ୟ କବିତାସମୂହ। ଅତିବଡ଼ିଙ୍କ ଭାବରେ;
“ଅକୁଣ୍ଠ ଧୀଷଣା ଯାହାର। ସେ ମୁନି ପାଦେ ନମସ୍କାର।”
ଏହିମତେ ଷଡ଼ ଶବ୍ଦସମୂହ ସହ ଭାବ ହେଲା। ଆଉ ପଦେ ଆସିଲା; ଷାଡ୍ଗୁଣ୍ୟ ବା ଷଡ଼ଗୁଣ। ସାମ୍ପ୍ରତିକ ସାହିତ୍ୟ ସଂସାରରେ ପ୍ରାୟାଧିକ ସାହିତ୍ୟିକଗଣ ସତେ ଯେପରି ଏହି ଷାଡ଼୍ଗୁଣ୍ୟକୁ ଚର୍ବ୍ୟ ଚୂଷ୍ୟ ଲେହ୍ୟ ପେୟ ରୀତିରେ ଉଦରସ୍ଥ କରି ସାରିଛନ୍ତି। ଏଣୁ ଅଭାବ ରହିଛି ବାଗ୍ବୈଦଗ୍ଧ୍ୟର ସାହିତ୍ୟ ସଂସାରରେ। ଭାଷାକୋଷରେ ବର୍ଣ୍ଣିତ ସେହି ଷାଡ଼୍ଗୁଣ୍ୟକୁ ଯାହା ନିଜର ରାଜ୍ୟ ରକ୍ଷା ଉଦ୍ଦେଶ୍ୟରେ ରାଜାମାନେ ପ୍ରୟୋଗ କରୁଥିଲେ। ସେହି ଷଡ଼ଗୁଣ ହେଲା;
ସନ୍ଧାନାସନ – ସନ୍ଧିସ୍ଥାପନ ପୂର୍ବକ ଅବସ୍ଥାନ, ଯାତ୍ରାସନ୍ଧାନ – ଯୁଦ୍ଧାର୍ଥ ଅଭିଯାନ, ବିଗୃହ୍ୟାସନ – ବୈର କ୍ରିୟା କରି ଅବସ୍ଥାନ, ଯାତ୍ରାଂ ସମ୍ପରିଗୃହ୍ୟାସନ – ଶତ୍ରୁକୁ ଭୟ ଦେଖାଇବା ପାଇଁ ଯାନାଦି ଦେଖାଇ ସ୍ୱ ସ୍ଥାନରେ ଅବସ୍ଥାନ, ଦ୍ୱେଧୀଭାବ – ଉଭୟ ଶତ୍ରୁ ଓ ମିତ୍ରପକ୍ଷଙ୍କ ସଙ୍ଗେ ମିତ୍ରତା ସ୍ଥାପନ ଏବଂ ଅନ୍ୟ ସଂଶ୍ରୟ – ଅନ୍ୟ ରାଜାଙ୍କ ଆଶ୍ରୟ।
ଆସନ୍ତୁ ଦେଖିବା, ବର୍ତ୍ତମାନ ପରିସ୍ଥିତିରେ ଅଧିକାଂଶ ସାହିତ୍ୟିକଗଣ ଏହି ଗୁଣ ସହ ସାମଞ୍ଜସ୍ୟ ରଖି କାର୍ଯ୍ୟକଳାପ କରୁଛନ୍ତି।
ସନ୍ଧାନାସନ– ହ୍ୱାଟ୍ସଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍ ପ୍ରଭୃତି ସଞ୍ଚାର ମାଧ୍ୟମରେ ଉଭୟେ ଉଭୟଙ୍କ ଲେଖାକୁ ପସନ୍ଦ କରିବା ଓ ଆହା, ଓହୋ, ବାଃ, ୱାଉ ଭଳି ମନ୍ତବ୍ୟରେ ଇମୋଜୀ ସହ ସମର୍ଥନ ଦେବା।
ଯାତ୍ରାସନ୍ଧାନ– ଅନ୍ୟ ଲେଖକଙ୍କୁ ପ୍ରତିଦ୍ୱନ୍ଦୀ ମନେ କରି ଇର୍ଷ୍ୱାନ୍ୱିତ ହୋଇ ତା ଲେଖାରେ ବିପରୀତ ପ୍ରତିକ୍ରିୟା ଦେବା ଓ ଆପଣା ଲେଖାର ଉତ୍କର୍ଷତା ପ୍ରତିପାଦନ କରିବା।
ବିଗୃହ୍ୟାସନ– ସଞ୍ଚାର ମାଧ୍ୟମରେ ଅଯଥା ଅକ୍ଷରଦୋଷ, ଶବ୍ଦଦୋଷ ଓ ବ୍ୟାକରଣଗତ ତ୍ରୁଟି ଦେଖାଇ ଅନ୍ୟ ଲେଖକକୁ ହୀନିମାନ କରିବା।
ଯାତ୍ରାଂ ସମ୍ପରିଗୃହ୍ୟାସନ– ଆପଣା ଲେଖାକୁ ସମସ୍ତଙ୍କ ନିକଟକୁ ପ୍ରେରଣ କରି ବାହାବା ଏକାଠି କରି ବିଭିନ୍ନ ସଞ୍ଚାର ମାଧ୍ୟମରେ ତାକୁ ଦେଖାଇ ହେବା।
ଦ୍ୱେଧୀଭାବ– ଭଲ ଲାଗୁ ନଲାଗୁ, ପଢ଼ା ହେଉ ନହେଉ, ବୁଝୁ ନବୁଝୁ ତାକୁ ଅନନ୍ୟ, ଚମତ୍କାର, ଅପୂର୍ବ ବୋଲି ପ୍ରଶଂସା କରିବା।
ଅନ୍ୟ ସଂଶ୍ରୟ – ଯେ କୌଣସି ନାମୀଦାମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ ଶରଣାଗତ ହୋଇ ଆପଣା ପାଇଁ ଦିପଦ ସାଉଁଟିବା।
ଏହି ଷାଡ଼୍ଗୁଣ୍ୟକୁ ନେଇ ଆଜିକାଲିର ଅଧିକାଂଶ ଲେଖକ ନିଜର ବିସାହିତ୍ୟ ସାଧନାରେ ବ୍ୟସ୍ତ ଅଛନ୍ତି। ଏହି ପ୍ରେକ୍ଷାପଟରେ ଆମ ସାହିତ୍ୟରେ ବାଗ୍‌ବୈଦଗ୍‌ଧ୍ୟ ଆଶା କରିବା ବୃଥା।
ଏଣୁ, ହେ ମୋର ଲେଖକଗଣ! କଞ୍ଚାଲେଖାର ଅକଷ୍ଟକଳ୍ପନା ଚଉହଦୀରୁ ବାହାରକୁ ଆସି ବାଗ୍‌ବୈଦଗ୍‌ଧ୍ୟର ସାଧନାରେ ବ୍ରତୀ ହୁଅନ୍ତୁ। ଆପଣାର ଆତ୍ମାଶୁଦ୍ଧି ସହ ଓଡ଼ିଆ ସାହିତ୍ୟ କାଳଜୟୀ ହେବ।

– ପ୍ରଭୂ

*ବାଗ୍‌ବୈଦଗ୍‌ଧ୍ୟ – ସୁନ୍ଦର ଅଳଙ୍କାର ଓ ଚମତ୍କାରପୂର୍ଣ୍ଣ ବାକ୍ୟପ୍ରୟୋଗରେ ନିପୁଣତା

( ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୩ ସଂଖ୍ୟାରେ ପ୍ରକାଶିତ ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ  )

4 thoughts on “ବାଗ୍‌ବୈଦଗ୍‌ଧ୍ୟ *

  1. ବାଗ୍‌ବୈଦଗ୍‌ଧ୍ୟ ଏକ ଶଦ୍ଦ, ଯାହାକୁ ଆମେ ବାକ୍ୟପ୍ରୟୋଗ କହୁଛୁ। ତାହାକୁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ଶ୍ରୀ ଭୂୟାଁ। ପ୍ରତି ମାସରେ ଏହିଭଳି ଗୋଟିଏ ଗୋଟିଏ ଶବ୍ଦକୁ ନେଇ ଲେଖୁଛନ୍ତି। ଖୁବ୍ ସୁନ୍ଦର ଲାଗୁଛି।

    1. ବିଶ୍ଵରଞ୍ଜନ ଭାଇ
      ସୁମନାସ
      ଆମ ଓଡ଼ିଆ ଭାଷା ଶବ୍ଦର ଏକ ଗନ୍ତାଘର। ସେଥିରୁ ସାଉଁଟି ଆଣେ ଏଇ ଶବ୍ଦମାନଙ୍କୁ। ସେମାନଙ୍କ ସହ ହିଁ ଆତଯାତ। ଏଇତ ଆମ ସାହିତ୍ୟ ଦୁନିଆଁ।

      ଆପଣଙ୍କ ପାଇଁ ଏଇ ଦୁଇପଦ

      ଅକ୍ଷର ଆଦର ଥିଲେ ଶବ୍ଦ ଜନ୍ମେ
      ବାକ୍ୟ ଜନ୍ମେ ଶବଦରୁ
      ବାକ୍ୟଚୟ ହୁଏ ବାକ୍ୟ ସମୂହରେ
      ଅଧ୍ୟାୟ ଅନୁଛେଦରୁ
      ଅଧ୍ୟାୟ ଅଧ୍ୟାୟ ମିଶି ବହିଟିଏ
      ହୁଅଇ ଯତନେ ଜାଣ
      ପାଠକ ଆଦର ନପାଇଲେ ବହି
      ଦେବାଟି ସେଥିକୁ ଧ୍ୟାନ
      ଛୁଇଁଲେ ମନକୁ ପାଠକ ପଢ଼ଇ
      ପଦ ପଦ ପୃଷ୍ଠା ପୃଷ୍ଠା
      ମନଛୁଆଁ ଲେଖା ଥିବା ବହିଟିଏ
      ହୁଏ ଥିଲେ ଭାଷା ନିଷ୍ଠା
      – ପ୍ରଭୂ

  2. ଚେତନା ଉଦ୍ରେକକାରୀ ଲେଖା; ଚିନ୍ତାଧାରା ଉଚ୍ଚକୋଟୀର।

  3. ଚମତ୍କାର ଆଲେଖ୍ୟ। ଲେଖକ ମହାଶୟଙ୍କୁ ବଧେଇ ଜଣାଉଛି।

Leave a Reply

Your email address will not be published. Required fields are marked *