ସ୍ମୃତିର ଆଇନାରେ ‘ଆସନ୍ତାକାଲି’

କେହି ଏଭଳି ମନେ କରିବେ ନାହିଁ- ଏହା ମୋର ମୃତ୍ୟୁକାଳୀନ ଜମାନବନ୍ଦୀ।

କାଳୀଚରଣ ଦାସ

‘ଆସନ୍ତାକାଲି’ ମୋର ପରିଚୟ।
ମୋ ସ୍ରଷ୍ଟାମାନସକୁ ଅଭିମନ୍ତ୍ରିତ କରିଛି ଆସନ୍ତାକାଲି।
ବର୍ଷେ ଦି ବର୍ଷ ନୁହେଁ, ସୁଦୀର୍ଘ ତିନିଦଶକ ଯାବତ୍ ମୋ ଧ୍ୟାନ ଧାରଣାର କେନ୍ଦ୍ରବିନ୍ଦୁ ଥିଲା ଆସନ୍ତାକାଲି। ଜୀବନର ମୂଲ୍ୟବାନ ତିରିଶ ବର୍ଷ ‘ଆସନ୍ତାକାଲି’ ପଛରେ ଧାଇଁ ଧାଇଁ କଅଣ ପାଇଛୁ, କଅଣ ହରାଇଛୁ- ସେ ଅଙ୍କକଷା କେବେ ହୋଇନି। କିନ୍ତୁ ଜିତୁ ଜିତୁ ହାରିଯାଇଛୁ। ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବା ଫଳାଫଳ ଚିରକାଳ ନିର୍ଦ୍ଦିଷ୍ଟ, ଜିତିବା ଅଥବା ହାରିବା। ହଁ, ଆମକୁ ହାର ସ୍ୱୀକାର କରିବାକୁ ପଡ଼ିଲା।
ଆସନ୍ତାକାଲି ମାୟା ହରିଣ ଭଳି କାହା ହାତରେ ଧରା ଦେଇନି।
ଆସନ୍ତାକାଲିକୁ କଅଣ ଛୁଇଁ ହୁଏ, ଧରିହୁଏ!
ଚିରକାଳ ଅଦେଖା, ଅଧରା।
ଆସନ୍ତାକାଲି ଆଶା ଆକାଂକ୍ଷାର ଏକ ସ୍ୱର୍ଗପରୀ। ବଂଚିବାର ରାହା।

୧୯୫୦ ମସିହାରେ ପ୍ରକାଶିତ ‘ଆସନ୍ତାକାଲି’ ପତ୍ରିକାର ପ୍ରଥମ ସଂଖ୍ୟା।

ବେଦନାସିକ୍ତ ସ୍ମୃତି
ସୁତରାଂ ଆସନ୍ତାକାଲି ପ୍ରସଙ୍ଗମାତ୍ରେ ମୋ ମନ ସହସା ବେଦନାସିକ୍ତ ହୋଇଯାଏ। ଆସନ୍ତାକାଲିକୁ ବଖାଣିବା କିମ୍ବା ଲେଖି ବସିବାବେଳେ ମୁଁ ନିଜ ଭିତରେ ଅଣ୍ଡାଳି ହୁଏ, କେଉଁଠୁ ଆରମ୍ଭିବି! ମଲା ଘୋଡ଼ାର ଟାଙ୍ଗ ମାପିବା ଭଳି ନିରର୍ଥକ ପ୍ରୟାସରୁ ନିବୃତ୍ତ ରହିବାକୁ ହେୟ ମଣି ଆସିଛି। ମୋ ଆଖି ସାମ୍ନାରେ ଆସନ୍ତାକାଲି ଭାସିଯିବା, ବୁଡ଼ିଯିବା ଦୃଶ୍ୟ ନାଚିଉଠେ। ଆସନ୍ତାକାଲି ତ ଏବେ ସତରେ ଆସନ୍ତାକାଲି ହୋଇଯାଇଛି। ଠିକଣା ନ ଥିବା ଏକ ଧ୍ରୁବତାରା। ଅଦେଖା ଅପହଞ୍ଚ ଅସୁମାରି ସ୍ୱପ୍ନର ଏକ ମନମୟୂରୀ।
୧୯୫୦ ନଭେମ୍ବରରୁ ୧୯୯୧ ଅକ୍ଟୋବର, ବୟାଳିଶ ବର୍ଷ ଓଡ଼ିଆ ସାହିତ୍ୟରେ ଆସନ୍ତାକାଲି ଥିଲା ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ସମ୍ଭବତଃ ତା’ର ଏଇ ଅବଧି ଥିଲା ପୂର୍ବ ନିର୍ଦ୍ଧାରିତ। ୧୯୯୧ ପରେ ଆସନ୍ତାକାଲିକୁ ପୁନଃ ମର୍ଯ୍ୟାଦାବନ୍ତ ପତ୍ରିକାର ରୂପ ବିନ୍ୟାସରେ ପ୍ରକାଶ କରିବାକୁ ଦଶବର୍ଷ ନିରନ୍ତର ଉଦ୍ୟମ କରିଛୁ। ସବୁ ପ୍ରଚେଷ୍ଟା ସତ୍ତ୍ୱେ ଆସନ୍ତାକାଲି ଆଖି ବୁଜିଦେଲା। ଆମର ଉଦ୍ୟମ ପର୍ଯ୍ୟବସିତ ହେଲା ନିଷ୍ଫଳ କସରତରେ। ଆସନ୍ତାକାଲି ନୂଆ ସକାଳ ଦେଖିପାରିଲା ନାହିଁ। ଏହା ଯେମନ୍ତ ଥିଲା ବିଧି ନିର୍ଦ୍ଦିଷ୍ଟ।
ଆସନ୍ତାକାଲି ପୁନଃ ପ୍ରକାଶନ ପାଇଁ କତିପୟ ସାହିତ୍ୟପ୍ରେମୀ, କ୍ଷମତା ଓ ବିତ୍ତବାନ ବ୍ୟକ୍ତି ଆମକୁ ଉତ୍ସାହିତ କରିଥିଲେ। କିନ୍ତୁ ସେମାନଙ୍କ ସହଯୋଗ ମନୋଭାବ ଥିଲା ଅସ୍ପଷ୍ଟ ଓ ଅଭିସନ୍ଧିମୂଳକ। ପୁଣି ଅନିର୍ଦ୍ଦିଷ୍ଟ ଗତିପଥରେ ଧାଇଁ ଲୋକହସା ହେବା ସନ୍ଦେହରୁ ମୁକ୍ତ ହୋଇପାରିଲୁ ନାହିଁ। କାରଣ ଆସନ୍ତାକାଲି ଆରମ୍ଭରୁ ବହୁ ମତଲବୀ ମହତ୍ତ୍ୱାକାଂକ୍ଷୀ ବ୍ୟକ୍ତି ‘ବଳେ ପଶି ମଙ୍ଗଳବାର କରିବା’ ନ୍ୟାୟରେ ନିଜକୁ ବିଜ୍ଞପିତ କରିଛନ୍ତି। ପ୍ରତ୍ୟକ୍ଷ କରିଛୁ ସେମାନଙ୍କ ଯୋଗୁ ଆସନ୍ତାକାଲିର ସ୍ଥିତି ଅଧିକ ଦୁର୍ବଳ ହୋଇଥିଲା। ସେ ଆଶଙ୍କା ଆମକୁ ପ୍ରଲୋଭିତ କରିପାରିଲା ନାହିଁ, କୌଣସି ପ୍ରସ୍ତାବନାକୁ।
ମୁଁ ଏଥର ଫେରି ଆସୁଛି ପଛକଥାକୁ। ‘ଆସନ୍ତାକାଲି’ର ପ୍ରତିଷ୍ଠାତା ସଂପାଦକ ଥିଲେ ହୃଦାନନ୍ଦ ମଲ୍ଲିକ। ୧୯୫୦ ମସିହା ନଭେମ୍ବରରେ ଆସନ୍ତାକାଲିର ଆତ୍ମପ୍ରକାଶ। ହୃଦାନନ୍ଦବାବୁ ଥିଲେ କଲିକତା ଓଡ଼ିଆ ସଙ୍ଗଠନର ଜଣେ ଛାମୁଆଁ ନେତା। ଜାତି, ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ତଥା ପ୍ରବାସୀ ଓଡ଼ିଆମାନଙ୍କୁ ସଙ୍ଗଠିତ କରିବା ପାଇଁ କରିଥିଲେ ଆସନ୍ତାକାଲିର ମହତ୍ ପରିକଳ୍ପନା। ସମ୍ଭବତଃ ସେ ପତ୍ରିକା ପ୍ରକାଶନ ପାଇଁ ସମୟ ଦେଇପାରୁ ନ ଥିବାରୁ ଅଥବା ଅର୍ଥାଭାବ ଯୋଗୁ, ୧୯୫୧ ଅକ୍ଟୋବରରେ କଲିକତାର ପ୍ରମୁଖ ଦୈନିକ ଓ ଜାତୀୟସ୍ତରର ସବୁ ପତ୍ରପତ୍ରିକାର ବିତରକ ପାତିରାମ ପରିଜାଙ୍କ ସାନଭାଇ ଯଦୁମଣି ପରିଜାଙ୍କୁ ହସ୍ତାନ୍ତର କରିଦେଲେ।

ଦଇବ ବିଚାରେ ଆନ
ହୃଦାନନ୍ଦବାବୁ ସମ୍ଭବତଃ ଆଶା କରିଥିଲେ – ଏଇ ସମ୍ପନ୍ନ ପରିବାରରେ ତାଙ୍କ ମାନସସନ୍ତାନ ଲାଳିତପାଳିତ ହୋଇ ଦିଗ୍‌ବିଜୟୀ ହେବ। ହେଲେ ‘ମଣିଷ ବିଚାରେ ଆନ, ଦଇବ ବିଚାରେ ଆନ’। ବେଶ୍ କେତେବର୍ଷ ଆସନ୍ତାକାଲି ଯଦୁବାବୁଙ୍କ ସଂପାଦନାରେ ଖ୍ୟାତି ଅର୍ଜନ କଲା। ଘରେ ଘରେ ପରିଚିତ ହେଲା ଆସନ୍ତାକାଲି। ଲେଖକ ଓ ପାଠକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କଲା। ଆସନ୍ତାକାଲି ରହିଲା ଶୀର୍ଷାସନରେ। ବିଡ଼ମ୍ବନା ଏହି ଯେ ଆସନ୍ତାକାଲିର ଏହି ଗୌରବୋଜ୍ଜ୍ୱଳ ଜୟଯାତ୍ରାକୁ ପରିଜାବଂଶ ଅଧିକ ଦିନ ବଜାୟ ରଖିପାରିଲେ ନାହିଁ। କୌଣସି ଅଜ୍ଞାତ କାରଣରୁ ସବୁ ସମ୍ବଳ ଥାଇ ମଧ୍ୟ ଆସନ୍ତାକାଲି ‘ଢୋକେ ପିଇ, ଦଣ୍ଡେ ଜୀଇ’ ଭଳି ଅନିୟମିତ ହୋଇ ସତର ଅଠର ବର୍ଷ ପରେ ତା’ର ପ୍ରକାଶନରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିଲା।
ଓଡ଼ିଶା ଏକ ପାଠକ ମରୁଡି ରାଜ୍ୟ। ତେଣୁ ଆମ ରାଜ୍ୟରେ ପତ୍ରପତ୍ରିକା ପ୍ରକାଶନ ସେପରି ଲାଭଜନକ ବ୍ୟବସାୟ ନୁହେଁ, ଉତ୍ସାହୀ ଉଦ୍ୟମୀ ସାହିତ୍ୟପ୍ରେମୀମାନଙ୍କର ସେପରି ବ୍ୟାବସାୟିକ ମନୋବୃତ୍ତି ନ ଥାଏ। ପତ୍ରିକାକୁ ସ୍ୱାବଲମ୍ବୀ କରାଇବାରେ ଇ ଉଦ୍ୟମର ଥାଏ ସଫଳତା। ପତ୍ରିକାର ବିକ୍ରିଲବ୍‌ଧ ଅର୍ଥରେ ପତ୍ରିକା ପ୍ରକାଶ ନ ପାଇ ବିଜ୍ଞାପନ ମୁଖାପେକ୍ଷୀ ହେଲେ ଯଥାର୍ଥ ଉଦ୍ଦେଶ୍ୟ ସାଧିତ ହୋଇ ନ ଥାଏ। ତେଣୁ ଓଡ଼ିଆ ପତ୍ରପତ୍ରିକାମାନେ ଦୁର୍ଗତ ଓ ସ୍ୱଳ୍ପାୟୁ।
ଆଜିକାଲି ପ୍ରକାଶନ ସଂସ୍ଥା ଓ ସଂପାଦକମାନଙ୍କ ଆଭିମୁଖ୍ୟ ବଦଳିଛି। ଅଧିକାଂଶ ବିଜ୍ଞାପନ ଉପରେ ନିର୍ଭରଶୀଳ। ତେଣୁ ସେମାନଙ୍କ ସାହିତ୍ୟପ୍ରୀତି ସନ୍ଦେହଘେରରେ। ଆମ ବେଳେ ବିଜ୍ଞାପନର ସ୍ରୋତ ଏତେ ବିସ୍ତୃତ ନ ଥିଲା। ସରକାରୀ ବିଜ୍ଞାପନ ଥିଲା ନାମକୁ ମାତ୍ର। କର୍ପୋରେଟ ଜଗତର ଚିହ୍ନବର୍ଣ୍ଣ ନ ଥିଲା।
ଏବେ ମୁଁ କହିବି ଆମ କଥା,
ଆସନ୍ତାକାଲିର ନୂତନ ପ୍ରସ୍ଥର କଥା,
କଥା ଓ ବ୍ୟଥା।
୧୯୭୧ରେ ବୃହତର କଲିକତା ମହାନଗରୀରେ ତିନି ଲକ୍ଷାଧିକ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରୁଥିଲେ। ଗଢ଼ି ଉଠିଥିଲା ଶତାଧିକ ଅନୁଷ୍ଠାନ। ସେମାନଙ୍କ ଭିତରେ ସମନ୍ୱୟ ଓ ଐକ୍ୟ ପ୍ରତିଷ୍ଠା ପାଇଁ ଆମେ କେତେଜଣ ଯୁବକ ଉଦ୍ୟମ କରୁଥିଲୁ। ଶିକ୍ଷା, ସାଂସ୍କୃତିକ ଜାଗରଣ ଓ ସାଂଗଠନିକ ଶକ୍ତିକୁ ଏକ ମିଳିତ ଓ ବୃହତର ରୂପ ଦେବା ଉଦ୍ଦେଶ୍ୟରେ ଆମେ ନୂଆ ଚିନ୍ତାଭାବନା ନେଇ ପ୍ରଯତ୍ନ କରୁଥିଲୁ। ଓଡ଼ିଆ ଜାତିର ଏକ ମର୍ଯ୍ୟାଦାବନ୍ତ ପରିଚୟ ପାଇଁ ଆମେ ଥିଲୁ ପ୍ରୟାସରତ। ଆମେ ଅନୁଭବ କରୁଥିଲୁ- ଅନୁଷ୍ଠାନମାନଙ୍କର ଆଗ୍ରହ ଓ ଉତ୍ସାହ ସୃଷ୍ଟି ପାଇଁ ଏକ ସାପ୍ତାହିକ / ପାକ୍ଷିକ ପତ୍ରିକା ଏଠାରୁ ପ୍ରକାଶନର ଅପେକ୍ଷା ରଖୁଛି।
ଓଡ଼ିଆଙ୍କ ମୁଖପତ୍ରଟିଏ ପ୍ରକାଶ କରିବାର କଳ୍ପନାଜଳ୍ପନା ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥିବା ବେଳେ ଆମକୁ ଦିଶିଲା ମେଘ ଢାଙ୍କି ଦେଇଥିବା ‘ଆସନ୍ତାକାଲି’ର ମୁହଁ। କଲିକତାର ଗୌରବ ଓ ଓଡ଼ିଶାର ଲୋକପ୍ରିୟ ପତ୍ରିକା ଆସନ୍ତକାଲି ଆଡକୁ ଆମେ ମୁହାଁଇଲୁ। ଆମ ଉତ୍ସାହ ଓ ପ୍ରତିବଦ୍ଧତାରୁ ଯଦୁମଣି ପରିଜାଙ୍କ ଦୃଢ଼ ପ୍ରତ୍ୟୟ ଜନ୍ମିଲା- ଏମାନେ କବରତଳୁ ମଲାଘୋଡ଼ାକୁ ବାହାର କରି ରାସ୍ତାରେ ଦୌଡ଼ାଇବାରେ ସଫଳକାମୀ ହେବେ।

ଛଅଜଣ ବନ୍ଧୁ
ଆସନ୍ତାକାଲିକୁ ୧୯୭୧ ମସିହା ଅକ୍ଟୋବରରେ ଆମେ ଅଧିଗ୍ରହଣ କଲୁ। ଆମେ ଛଅଜଣ ବନ୍ଧୁଙ୍କୁ ନେଇ ଗଠିତ ଜୟ ପବ୍ଲିକେସନ ହେଲା ଆସନ୍ତାକାଲିର ଭାଗ୍ୟ ନିୟନ୍ତ୍ରକ। ଏଥିପାଇଁ ଯଦୁମଣିବାବୁଙ୍କ ଉଦାର ମନୋଭାବ, ନିଃସର୍ତ୍ତ ହସ୍ତାନ୍ତର ଉଲ୍ଲେଖଯୋଗ୍ୟ। ଆମେ ଯଦୁମଣିବାବୁ ଜୀବଦ୍ଦଶାରେ ଥିବା ଯାଏଁ – ତାଙ୍କୁ ସଂପାଦକର ମର୍ଯ୍ୟାଦା ଦେଇ ପତ୍ରସ୍ଥ କରିବା ପ୍ରତିଶ୍ରୁତି ଦେଲୁ, ଯଦିଓ ସେ ଅନେକ ଆଗରୁ କଲିକତା ଛାଡ଼ି ନିଜ ଗ୍ରାମରେ ଅବସ୍ଥାନ କରୁଥିଲେ।
ଜୟ ପବ୍ଲିକେଶନର ଛଅ ଜଣ ଅଂଶୀଦାର ଥିଲେ, ଅତି ଉତ୍ସାହୀ ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ଅରୁଣ ପଟ୍ଟନାୟକ, ଦୁଃଖୀଶ୍ୟାମ ମହାନ୍ତି, ରଣଜିତ ପଟ୍ଟନାୟକ, ପ୍ରହରାଜ ସତ୍ୟ ନାରାୟଣ ନନ୍ଦ ଓ ମୁଁ କାଳୀଚରଣ ଦାସ, ଏ ଆଲେଖ୍ୟର ପ୍ରତିବେଦକ। ଆସନ୍ତାକାଲି ନୂତନ ପ୍ରସ୍ଥର ଦାୟିତ୍ୱ ଛଅଜଣଙ୍କ ମଧ୍ୟରେ ବାଣ୍ଟି ଦିଆଗଲା। ମୁଁ ହେଲି ପ୍ରକାଶକ, ମୁଦ୍ରକ ଓ ପରିଚାଳନା ସଂପାଦକ। ଆସନ୍ତାକାଲି ତା’ର ପ୍ରସିଦ୍ଧି ଓ ପୂର୍ବ ପରିଚୟ ଫେରି ପାଇଲା, ସମୂହ ପ୍ରଚେଷ୍ଟାର ୟେ ଥିଲା ଫଳଶ୍ରୁତି। ନୂଆରୂପରେ ଆମେ ଭେଟିଦେଲୁ ଏହାକୁ ପାଠକମାନଙ୍କୁ।

୧୯୯୧ ମସିହାରେ ପ୍ରକାଶିତ ‘ଆସନ୍ତାକାଲି’ ପତ୍ରିକାର ଶେଷ ସଂଖ୍ୟା।

ପ୍ରତ୍ୟେକ ଯୋଜନା ଆରମ୍ଭ ବେଳେ ଯେତିକି ଉତ୍ସାହ ଉଦ୍ଦୀପନା ଥାଏ, କିଛି ଦୂର ଅଗ୍ରସର ହେବା ପରେ ସେଥିରେ ଭଟ୍ଟା ପଡିଯାଏ। ଆମ କ୍ଷେତ୍ରରେ ତାହା ମଧ୍ୟ ପ୍ରତ୍ୟକ୍ଷ କରାଗଲା। ପତ୍ରିକା ପ୍ରକାଶ ପାଇବା ପ୍ରଥମ ବର୍ଷରେ ପ୍ରହରାଜ ସତ୍ୟନାରାୟଣ ନନ୍ଦ ଓ ଦୁଃଖୀଶ୍ୟାମ ମହାନ୍ତି ଇସ୍ତଫା ଦେଇ ଚାଲିଗଲେ। ଦୁଇବର୍ଷ ମୁଁ ଏକାକୀ ସଂପାଦନା ଦାୟିତ୍ୱ ତୁଲାଇବା ପ୍ରାୟ କଷ୍ଟକର ହେବାରୁ ଶ୍ରୀକାନ୍ତ ପଣ୍ଡା ମୁଖ୍ୟ ସମ୍ପାଦକ ପଦାସୀନ ହେଲେ। ଏହି ଯିବା ଆସିବା ପର୍ବ ଭିତରେ ଜୟ ପବ୍ଳିକେଶନର ମେରୁଦଣ୍ଡ ଶ୍ରୀକାନ୍ତ ପଣ୍ଡା ୧୯୮୦ ମସିହାରେ କଲିକତା ଛାଡ଼ି ଓଡ଼ିଶା ଫେରି ଆସିବା ପରେ ରହିଗଲୁ କେବଳ ମୁଁ ଓ ଅରୁଣ ପଟ୍ଟନାୟକ। ଆମେ ଦୁହେଁ ଦୃଢ଼ ପ୍ରତିଜ୍ଞ ହୋଇ ଲଢ଼ିଗଲୁ, ଆସନ୍ତାକାଲିକୁ ବଞ୍ଚାଇ ରଖିବା ପାଇଁ। ଚାଲିବୁ ଚାଲିବୁ ନ ପଡିବୁ ଥକି…।
ଆସନ୍ତାକାଲି ପାଠକମାନଙ୍କ ନିକଟରେ ପହଂଚିବା ପାଇଁ କେତେ ବନ୍ଧୁର ପଥ ଅତିକ୍ରମ କରିଛି, ଝଡଝଞ୍ଜା ସହ୍ୟ କରିଛି ତା’ର ଇୟତ୍ତା ନାହିଁ। ଆସନ୍ତାକାଲି ଏ ପିଢ଼ିର ଲେଖକ ଓ ପାଠକମାନଙ୍କ ପାଖରେ ଅଚିହ୍ନା ଅଜଣା। ଅଥଚ ଆସନ୍ତାକାଲି ଦିନେ ଥିଲା ଓଡ଼ିଶାର ଏକମାତ୍ର ବହୁପଠିତ ପତ୍ରିକା। ସବୁଶ୍ରେଣୀର ପାଠକମାନଙ୍କ ପଠନ ପିପାସା ମେଣ୍ଟାଇବା ପାଇଁ ସଂଯୋଜିତ ହେଉଥିଲା ବିଭିନ୍ନ ବିଭାଗ। ତେଣୁ ଦୀର୍ଘ ସମୟ ସେ ଓଡ଼ିଆ ପତ୍ରିକା ଜଗତରେ ଥିଲା ଅଗ୍ରଗଣ୍ୟ।
କହିବା ବାହୁଲ୍ୟ, ଆସନ୍ତକାଲି ହିଁ ଓଡ଼ିଶାରେ ଅସଂଖ୍ୟ ଲେଖକ ଓ ପାଠକ ସୃଷ୍ଟି କରିଥିଲା। ସ୍ୱାଧୀନତା ପରବର୍ତ୍ତୀ କାଳରେ ବହୁ ଲେଖକଙ୍କ ଜନ୍ମଦାତା ଥିଲା ଆସନ୍ତାକାଲି। ଏବେ ବହୁ ବୟୋଜ୍ୟେଷ୍ଠ, ପ୍ରତିଷ୍ଠିତ, ପ୍ରବୀଣଲେଖକ ରହିଛନ୍ତି- ଯେଉଁମାନଙ୍କ ଆତ୍ମପ୍ରକାଶ ଆସନ୍ତାକାଲିରୁ ବୋଲି ସ୍ୱୀକାର କରିଥାନ୍ତି। ଏପରିକି ବରିଷ୍ଠ, ଅତିବରିଷ୍ଠ ଲେଖକମାନଙ୍କ ପାଇଁ ଆସନ୍ତାକାଲି ଥିଲା ସାରସ୍ୱତ ମନ୍ଦିରର ମୁଖଶାଳା। ଆସନ୍ତାକାଲିରେ ଲେଖାଟିଏ ପ୍ରକାଶ ପାଇଁ ଲାଗି ରହିଥିଲା ଲେଖକମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ।

ଆଜି ଯେ ରାଜେନ୍ଦ୍ରାସନେ
ସମୟ ସବୁ ବଦଳାଇ ଦିଏ। ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର। ସବୁ ସାଇତି ହୋଇ ରହିଛି, ଆମ ଭିତରେ। ସ୍ମୃତି ସିନ୍ଦୁକରେ। କାହାରି ଲୋକପ୍ରିୟତା ଚିରକାଳ ରହେ ନାହିଁ। ଆମ ପାଇଁ ବଳବାନ ସମୟ ପ୍ରତିବନ୍ଧକ ସାଜିଲା। ଯେଉଁ ଡଙ୍ଗାର ମଙ୍ଗ ଧରିଥିଲେ ଛଅ ଜଣ ନାବିକ, ତାକୁ ବାହି ନେବା ଦାୟିତ୍ୱ ପଡିଲା ଦୁଇଜଣଙ୍କ ଉପରେ। ଜଣ ଜଣ ହୋଇ ସମସ୍ତେ ଯିବା ପରେ ମୋର ଏକମାତ୍ର ସାହାପକ୍ଷ ଥିଲେ ଅରୁଣବାବୁ। ତେଣୁ ଦୁର୍ଦ୍ଦିନ ଆଗତ ପ୍ରାୟ, କାଳେ ସେ କରଛଡ଼ା ଦେବେ, ତେଣୁ ତାଙ୍କୁ ସଂପାଦକ ଆସନରେ ବସାଇ ସମ୍ପାଦନା ଭିନ୍ନ ଅନ୍ୟ ସବୁ ପରିଚାଳନା କ୍ଷମତା ତାଙ୍କୁ ଅର୍ପଣ କରି ମୁଁ ରହିଲି ପତ୍ରିକା ସଂପାଦନା ଭଳି ଗୁରୁଦାୟିତ୍ୱରେ।
ଆମେ କେହି କାହା କ୍ଷମତାରେ ହସ୍ତକ୍ଷେପ କରୁ ନ ଥିବାରୁ ଏବଂ ଆମ ଭିତରେ ସାଂଗଠନିକ ସଂପର୍କ ଅପେକ୍ଷା ବ୍ୟକ୍ତିଗତ ସମ୍ପର୍କ ନିବିଡ ଥିବାରୁ ଆହୁରି ଏଗାରବର୍ଷ ମୋ ଏକକ ସଂପାଦନାରେ ଆସନ୍ତାକାଲି ପ୍ରକାଶ ପାଇଲା। ଭାର ବୋହିବାର ଗୋଟାଏ ସୀମା ଥାଏ। ସେ ଦିନର ତିରିଶବର୍ଷର ଯୁବକ ପ୍ରୌଢ଼ାବସ୍ଥା ଅତିକ୍ରମ କରିବାକୁ ବସିବା ପରେ ଏବଂ ସାଂସାରିକ ଜଞ୍ଜାଳ ଅଧିକ ହେବାରୁ, ପତ୍ରିକାର ଆୟ ଆମଦାନୀ ସଂକୁଚିତ ହେବା ଆମ ସାବଲୀଳ ଗତି ପଥରେ କଣ୍ଟା ସାଜିଲା।

ସ୍ୱପ୍ନ ଓ ସଂକଳ୍ପର ଆସନ୍ତାକାଲି
ଆସନ୍ତାକାଲି ପାଇଁ ସ୍ୱପ୍ନ ଥିଲା, ସଂକଳ୍ପ ବି।
ଆସନ୍ତାକାଲି ପାଇଁ ଆମେ ଥିଲୁ ସମର୍ପିତ।
ଆମ ଚେତନା ରାଜ୍ୟରେ କାୟା ବିସ୍ତାର କରିଥିଲା ଆସନ୍ତାକାଲି।
କିନ୍ତୁ ବିଧି ନିର୍ଦ୍ଦେଶ ଥିଲା ଭିନ୍ନ। ବାଉନ ବର୍ଷ ତଳର ସ୍ମୃତି ରୋମନ୍ଥନ କଲେ, ଚକ୍ଷୁ ଏବେ ଲୋତକାପ୍ଲୁତ ହୋଇଯାଏ। ଜୀବନର ମୂଲ୍ୟବାନ ସମୟ ଉତ୍ସର୍ଗ କରିଛି ଆସନ୍ତାକାଲି ଉଦ୍ଦେଶ୍ୟରେ। ପତ୍ରିକା ପ୍ରେମରେ ଅବଶିଷ୍ଟ ପୃଥିବୀକୁ ପଛ କରି ଦେଇଛି। ସବୁ ଦୃଷ୍ଟିରୁ ମୁଁ ପ୍ରଚୁର କ୍ଷତିଗ୍ରସ୍ତ ହୋଇଛି। ସେଦିନର ପରିଚୟ ଆସି ରହିଯାଇଛି ଲେଖକଟିରେ। ତେବେ ମୁଁ ସ୍ୱୀକାର କରିବି, ଆସନ୍ତାକାଲି ମୋର ପରିଚୟ ସୃଷ୍ଟି କରିଛି। କେବଳ ମୋର ନୁହେଁ, ଜୟ ପବ୍ଲିକେଶନର ଅନ୍ୟ ପାଞ୍ଚଜଣ ଅଂଶୀଦାରମାନଙ୍କର।
ଆସନ୍ତାକାଲି କେବଳ ଆମର ନୁହେଁ, ଓଡ଼ିଆ ସାହିତ୍ୟର ଥିଲା ଅନନ୍ୟ ପରିଚୟ। ତା’ର ସାହିତ୍ୟିକ ଅବଦାନ କହି ମୁଁ ଆତ୍ମପ୍ରଶସ୍ତି ବଖାଣିବାକୁ ଯିବି ନାହିଁ। ଓଡ଼ିଆ ପତ୍ରିକାରେ ଦୁର୍ଗାପୂଜା / ଶାରଦୀୟ ବିଶେଷାଙ୍କର ଅୟମାରମ୍ଭ ଆସନ୍ତାକାଲିରୁ। ୧୯୫୧ ଅକ୍ଟୋବରରେ ଶାରଦୀୟ ବିଶେଷାଙ୍କର ସେ କଳସ ସ୍ଥାପନ କରିଥିଲା। ଆଜି ଦୁର୍ଗାପୂଜା ଅବସରରେ ଛତୁ ଫୁଟିଲା ଭଳି ଯେଉଁ ଶହ ଶହ ସଂଖ୍ୟାରେ ନାନା ରଙ୍ଗବିରଙ୍ଗ ବୃହତାକାର ପାହାଡ ପ୍ରମାଣେ ପତ୍ରିକା ପ୍ରକାଶ ପାଉଛି, ତା’ର ଶ୍ରେୟ ଆସନ୍ତାକାଲିର- ଯାହା ହୁଏତ ଅନେକ ସଂପାଦକ / ପ୍ରକାଶକଙ୍କୁ ଅଜଣା। କେଉଁ ଗଛର ମଞ୍ଜି ଖାଇ କାକ କେଉଁ ସ୍ଥାନରେ ମଳତ୍ୟାଗ କରିବାରୁ ଏ ସୁବୃହତ୍ ବଟବୃକ୍ଷର ଶୀତଳଛାୟା ଅଗଣିତ ପଥଚାରୀଙ୍କ କ୍ଲାନ୍ତି ମେଣ୍ଟାଇବାର ପୁଣ୍ୟପୀଠ ହୋଇଛି, ତା’ ହୁଏତ ଆଉ କେତେବର୍ଷ ପରେ ଅନୁସନ୍ଧାନର ବିଷୟବସ୍ତୁ ହୋଇଯିବ।
ଆସନ୍ତାକାଲି କଥା ଓ ମୋ କଥାକୁ ନେଇ ନିକଟ ଅତୀତରେ ସମାଜର ବରିଷ୍ଠ ସହସଂପାଦକ, ଯିଏ କଲିକତାରେ ଏକଦା ସମାଜର ପ୍ରତିନିଧି ଥିଲେ, ଶ୍ରୀ ମୁରଲୀଧର ସାମଲଙ୍କର ଏକ ଆଲେଖ୍ୟ ‘ଶ୍ରୀ’ ପତ୍ରିକାରେ ପ୍ରକାଶ ପାଇଥିଲା। ଯାହାର ଶୀର୍ଷକ ଥିଲା “ଆସନ୍ତାକାଲି, ସିଂହାସନରୁ ସ୍ୱର୍ଗଦ୍ୱାର”। ସେ କଲିକତାରେ ଥିବା ବେଳେ ଆମର ତଥା ଆସନ୍ତାକାଲିର ଥିଲେ ଅତି ନିକଟତର। ସେ ଅନୁଭବ କରିଛନ୍ତି ପ୍ରବାସୀ ଓଡ଼ିଆମାନଙ୍କର ସାହିତ୍ୟପ୍ରତି ଅସ୍ପୃହା। ସେ ଆମର ଉଦ୍ୟମ, ଉତ୍ସାହ, ତ୍ୟାଗ, ନିଷ୍ଠା ଏବଂ ଆମ ଅକ୍ଷମତା ଓ ଅସହାୟତାର ନିରପେକ୍ଷ ବିଶ୍ଳେଷଣ କରିଛନ୍ତି।

ଅବଶ୍ୟମ୍ଭାବୀ ବୀରଗତି
ମୁଁ ଆତ୍ମପକ୍ଷ ସମର୍ଥନ କରୁନାହିଁ – ଆସନ୍ତାକାଲିର ମୃତ୍ୟୁ ଅସ୍ୱାଭାବିକ ନ ଥିଲା। ମହାସଂଗ୍ରାମରେ ଲିପ୍ତ ରହି ତା’ର ବୀରଗତି ପ୍ରାପ୍ତ ହେବା ଅବଶ୍ୟମ୍ଭାବୀ ଥିଲା। ଏଠାରେ କହି ରଖେ, ୧୯୭୦ ବେଳକୁ କଲିକତାକୁ ଶ୍ରମଜୀବୀ ଓଡ଼ିଆଙ୍କ ପରିବର୍ତ୍ତେ ଉଚ୍ଚଶିକ୍ଷିତ, ଉଚ୍ଚ ପଦାଧିକାରୀ, ସରକାରୀ ବେସରକାରୀ ସଂସ୍ଥାର ଉଚ୍ଚ ପଦପଦବୀରେ ଆସୀନ ବ୍ୟକ୍ତି ବିଶେଷଙ୍କର ଆଗମନ ଘଟିଥିଲା। କିନ୍ତୁ ଦୁର୍ଭାଗ୍ୟର କଥା କଅଣ ଲଜ୍ଜାଜନକ ମଧ୍ୟ, କଲିକତାରେ ଆସନ୍ତାକାଲିର କାଟତି ଶହେରୁ ଅଧିକ ନ ଥିଲା। ଏଇ ତଥାକଥିତ ବୁଦ୍ଧିଜୀବୀମାନଙ୍କର ଜାତି ଓ ଭାଷା ପ୍ରୀତି ଏଥିରୁ ସହଜେ ଅନୁମେୟ। ଅଥଚ ଏମାନେ ମଞ୍ଚାସୀନ ହେଲେ ଜାତି ପ୍ରେମ କଥା କହି କୁମ୍ଭୀର କାନ୍ଦଣା କାନ୍ଦନ୍ତି।
ଆମକୁ ହାରିଯିବାର ଥିଲା।
ଅନ୍ୟମାନେ ଯିଏ, ଆମ ଆଗରୁ ଆସନ୍ତାକାଲିକୁ ନେଇ ସ୍ୱପ୍ନ ବିଭୋର ଥିଲେ ସେମାନେ ବି ହାରିଥିଲେ, ଆସନ୍ତାକାଲି ଜନ୍ମ ଜାତକରେ ସମ୍ଭବତଃ ଏଇଆ ଲିପିବଦ୍ଧ ଥିଲା।
ସେ ହଜିଯିବ, ବିଲୀନ ହୋଇଯିବ କାଳର କରାଳ ସ୍ରୋତରେ। ଅକାଳରେ।
ମୁଁ ଆମ ଅପାରଗତା ସ୍ୱୀକାର କରୁନି। ମୁଁ ବିନମ୍ରତାର ସହିତ କହି ଆସିଛି ଆମେ ହାରିଯିବାର ନାନାବିଧ ଅନିବାର୍ଯ୍ୟତା ଥିଲା।
ଆସନ୍ତାକାଲି ପ୍ରକାଶ ପାଉଥିଲା କଲିକତାରୁ। ଅଥଚ ତା’ର ଲେଖକ, ପାଠକ, ବିତରକ ସବୁ ଓଡ଼ିଶାରେ। ଯୋଗାଯୋଗର ମାଧ୍ୟମ ମୁଖ୍ୟତଃ ଟେଲିଫୋନ, ଡାକ ବିଭାଗ। ଠିକ୍ ସମୟରେ ସବୁ କାର୍ଯ୍ୟ ହୋଇପାରୁ ନ ଥିଲା। ଓଡ଼ିଶା ସରକାରଙ୍କ ବିଜ୍ଞାପନ ଉପରେ ଥିଲା ନାନାଦି କଟକଣା। ପଶ୍ଚିମବଙ୍ଗ ସରକାର ଆମକୁ ବିଜ୍ଞାପନ ଦେଉ ନ ଥିଲେ। ଆମେ ଲଜ୍ଜା ପରିହାର କରି ଅଫିସ ଦପ୍ତର ବୁଲି ତଥାକଥିତ ଓଡ଼ିଆ ସାହେବମାନଙ୍କ ପାଖରେ ପୃଷ୍ଠାଏ ବିଜ୍ଞାପନ ପାଇଁ ନତଜାନୁ ହେବା ଆମର ବିବେକାନୁମୋଦିତ ନ ଥିଲା।
ଯୁଗ ବଦଳିବାକୁ ଲାଗିଥିଲା। ଓଡ଼ିଶାରୁ ଆଧୁନିକ ପ୍ରିଣ୍ଟ ଟେକ୍ନୋଲୋଜିରେ ପତ୍ରିକା ପ୍ରକାଶ ପାଇବାର ବହୁବର୍ଷ ଯାଏଁ, ଆସନ୍ତାକାଲି ସେଇ ଲେଟର ପ୍ରେସ୍ ଓ ବ୍ଲକ ଉପରେ ଥିଲା ନିର୍ଭରଶୀଳ। ଫଳରେ ଆମ ବିକ୍ରି ଲବ୍ଧ ଅର୍ଥ ହ୍ରାସ ପାଇବାକୁ ଲାଗିଲା। ଆମକୁ ପ୍ରତିଷ୍ଠିତ ଲେଖକମାନଙ୍କ ସହଯୋଗ ଓ ବଳିଷ୍ଠ ସମ୍ପାଦନା ସତ୍ତ୍ୱେ ପରିପାଟୀରେ ଆମେ ନିମ୍ନାଭିମୁଖୀ ହୋଇଗଲୁ। ଆମ ପାଖରେ ସମ୍ବଳ ନ ଥିଲା।

ପୁରୁଣା ବେଶଭୂଷା
ଆମେ ଇଚ୍ଛା କରିଥିଲେ- ଆସନ୍ତାକାଲିକୁ ପୁରୁଣା ବେଶଭୂଷାରେ ଆଉ କେତେବର୍ଷ ପ୍ରକାଶ କରିପାରିଥାଆନ୍ତୁ। କିନ୍ତୁ ଲୁଙ୍ଗି ପିନ୍ଧି ଯାତ ଦେଖିଯିବା ଭଳି ଆମକୁ ଲଜ୍ଜାବୋଧ ହେଲା। ଆସନ୍ତାକାଲି ଆମ ସମୟରେ ବୁଡ଼ିଯିବା ପାଇଁ ଅନେକ ହୁଏତ ଆମକୁ ଦୋଷାରୋପ କରିପାରନ୍ତି। କିନ୍ତୁ ଆମର ମନେ ହେଲା ଆସନ୍ତାକାଲି ଏପରି ହୀନ ଅବସ୍ଥାରେ ପ୍ରକାଶ କରିବା ସମୀଚୀନ ନୁହେଁ। ଅତି ଆଦରର ନିଜ ସନ୍ତାନକୁ ଭିକ୍ଷାପୋଷ୍ୟ ଛେଉଣ୍ଡ ପିଲାଟେ ଭଳି ଭିକ ମାଗିବାକୁ ରାସ୍ତାକୁ ଓହ୍ଲାଇ ଦେଉଛୁ। ଆମର ହୃଦବୋଧ ହେଲା, ଆମ ସ୍ୱପ୍ନ ଭାଙ୍ଗିଯାଇଛି। ଆମ ଲକ୍ଷ୍ୟ ସାଧନ କରିବା ଶକ୍ତି, ସାମର୍ଥ୍ୟ ହରାଇ ବସିଛୁ। ସୁଯୋଗ ଆମର ହାତଛଡ଼ା ହୋଇ ଯାଉଛି। ଏହା ଥିଲା ଆମ ପାଇଁ ଏକ ସନ୍ଧିକାଳ। ଆମେ କିନ୍ତୁ ଥିଲୁ ଉପାୟଶୂନ୍ୟ।
ଆମେ ଚାହୁଁଥିଲୁ, ସମାଜର ପରିବର୍ତ୍ତିତ ମାନସିକତା ଅଭିରୁଚି ସହିତ ସମନ୍ୱୟ ରକ୍ଷା କରି ସୁନ୍ଦର ମୁଦ୍ରଣ, ଅଙ୍ଗସଜ୍ଜା ପୂର୍ବକ ସଂଭ୍ରାନ୍ତପଣିଆ ବଜାୟ ରଖି ଆସନ୍ତାକାଲି ଘରେ ଘରେ ଆଦରଣୀୟ ସାହିତ୍ୟ ପତ୍ରିକା ହେଉ। ଆଧୁନିକତାର ଛୁଆଁରେ ହେଉ ମର୍ମରିତ। ଅଥଚ ଆମେ ଥିଲୁ ନିଃସ୍ୱ। ଆସନ୍ତାକାଲିର ଅବକ୍ଷୟ ଥିଲା ବିଧିନିର୍ଦ୍ଦେଶ।
ଏବେ ସମୟ ବଦଳିଛି। ବଦଳିଛି ସଂପାଦକଙ୍କର ଅଭିରୁଚି। ପତ୍ରିକା ନାମକରଣରେ ଅଳଂକୃତ ଶବ୍ଦସମ୍ଭାର। ରଙ୍ଗବେରଙ୍ଗ ବେଶ ବିନ୍ୟାସ। ଅଥଚ ଭିତର ଅନ୍ତଃସାରଶୂନ୍ୟ। ପାଠକୀୟ ରୁଚି ପ୍ରତି ଧ୍ୟାନ ନାହିଁ, କି ନାହିଁ ପାଠକ ସୃଷ୍ଟି କରିବା, ଲେଖକ ତିଆରି କରିବାର ଆଗ୍ରହ। ଧ୍ୟାନ ଧାରଣାରେ କେବଳ ସମ୍ବଳ ସଂଗ୍ରହର ଆଭିମୁଖ୍ୟ। ବଦଳି ଯାଇଥିବା ଏବର ଆମ ପତ୍ରିକା ଜଗତର ଚିତ୍ର ବଡ ବିଚିତ୍ର। ବହୁ ଆଡମ୍ବରରେ ଲଘୁକ୍ରିୟା ସଂକେତ ବହନ କରୁଛି। ପ୍ରାୟତଃ ପତ୍ରିକା ସଂପାଦିତ ହେବା ପରିବର୍ତ୍ତେ ସଂକଳିତ ହୋଇଛନ୍ତି- ଯାହା ଦୁର୍ଭାଗ୍ୟଜନକ।
ଏକଦା ଆସନ୍ତାକାଲିରେ କାହାରି ଲେଖାଟିଏ ପ୍ରକାଶ ପାଇଲେ, ତାକୁ ଲେଖକୀୟ ସ୍ୱୀକୃତି ଭାବେ ବିବେଚନା କରାଯାଉଥିଲା। ଲେଖକ ଗଢ଼ିବା କାରଖାନା ଭାବେ ଆସନ୍ତାକାଲିର ଥିଲା ପ୍ରସିଦ୍ଧି। ତା’ର ଅବଦାନ ଅପ୍ରମେୟ, ଅତୁଳନୀୟ। କେହି ଏଭଳି ମନେ କରିବେ ନାହିଁ- ଏହା ମୋର ମୃତ୍ୟୁକାଳୀନ ଜମାନବନ୍ଦୀ। ଜଣେ ଉତ୍ସର୍ଗୀକୃତ ସଂପାଦକର ସୂକ୍ଷ୍ମ ଅନୁଶୀଳନ ମାତ୍ର।
ଶେଷ କଥା।
ଆସନ୍ତାକାଲି ଏବେ ବିସ୍ମୃତିର କାଳଗର୍ଭରେ। କିନ୍ତୁ ଓଡ଼ିଆ ପତ୍ରପତ୍ରିକାର ଇତିହାସ କେହି କେବେ ଲେଖି ବସିଲେ, ସେ ନିଶ୍ଚୟ ଆସନ୍ତାକାଲିକୁ ଭେଟିବ, ତା’ର ଅବଦାନକୁ ସ୍ୱୀକାର କରିବ – ଏଇ ବିଶ୍ୱାସ ନେଇ ବୟସବ୍ୟାଧିରେ ଭାରାକ୍ରାନ୍ତ ଆସନ୍ତାକାଲିର ଶେଷ ପ୍ରତିନିଧିର ଏ ପ୍ରତିବେଦନ, ଏବଂ ଆଶାବାଦୀ, ଆଲୋକିତ ସ୍ୱାଭିମାନୀ ପତ୍ରିକା ଆସନ୍ତାକାଲି ସାଲ୍ୟୁଟ୍ ପାଇବାକୁ ଯୋଗ୍ୟ, ଏହା ଆମ ଭାଷା ସାହିତ୍ୟର ଅନୁରାଗୀମାନଙ୍କର ହୃଦ୍‌ବୋଧ ହେବ।

(‘ସାହିତ୍ୟ ଚର୍ଚ୍ଚା” ପତ୍ରିକାର ଜୁନ୍, ୨୦୨୩ ସଂଖ୍ୟାରେ ପ୍ରକାଶିତ।)

4 thoughts on “ସ୍ମୃତିର ଆଇନାରେ ‘ଆସନ୍ତାକାଲି’

  1. କାଳୀଚରଣ ଦାସ ସାର୍, ଆପଣଂକୁ ପ୍ରଣାମ । ‘ଆସନ୍ତାକାଲି’ର ଗତକାଲି ସବୁକୁ କେତେ ଚମତ୍କାର ଭାବରେ ଆପଣ ମନେପକେଇଛନ୍ତି ! ଖୁବ୍ ଏକୁଟିଆ ଲାଗିଲେ, ମୁଁ ବି ଥରେଥରେ ଆସନ୍ତାକାଲିକୁ ମନେପକାଏ । ୧୯୭୮ର ପୂଜା ସଂଖ୍ଯା ରେ କିଛିଟା ଚିତ୍ର ଆଙ୍କିଥିଲି । ତା’ ପୂର୍ବ ଓ ପର କେତେଟା ସଂଖ୍ଯାର କଭର୍ ଡିଜାଇନ୍ କରିବାର ସୁଯୋଗ ବି ଦେଇଥିଲେ ସେତେବେଳର ମୁଖ୍ଯ ସଂପାଦକ ଶ୍ରୀକାନ୍ତ ପଣ୍ଡା ସାର୍ । ପାରିଶ୍ରମିକ ବି ପାଇଥିଲି ତାଂକଠାରୁ। ପ୍ରାପ୍ୟଠାରୁ ବହୁତ ବେଶୀ । ସେତେବେଳେ ମୁଁ ରେଭେନ୍ସାରେ ପଢ଼ୁଥିଲି । ପୂଜାସଂଖ୍ୟା ର ଚିତ୍ର ଅଂକା ପାଇଁ ତ ଅଧିକା ପାଇଥିଲି, ଗୋଟେ ସଲ୍, ମୋ ମା’ ପାଇଁ । ଏବେ ଏଇ ମୁହୂର୍ତ୍ତରେ ବହୁତ ମନେ ପଡ଼ୁଛନ୍ତି, ଆସନ୍ତାକାଲିର ସେତେବେଳର ଚିତ୍ରକର ବେଣୁ ପ୍ରତିହାରୀ । ତାଙ୍କରି ବସାରେ ରହିଥିଲି ଆଠ ଦଶ ଦିନ । ତାଂକରି ଠାରୁ, ଚିତ୍ର ଆଙ୍କିବାର ଟ୍ରିକ୍ କିଛିଟା ଶିଖିଥିଲି । ଓଃ, ଆସନ୍ତାକାଲି, ଆସନ୍ତାକାଲି, ଆସନ୍ତାକାଲି ! ମୋ ବୟସ ଏବେ ୬୪ । ଓଃ, ଆସନ୍ତାକାଲି ।
    ଯେତେବେଳ ଯାଏଁ, ମନେପକେଇପାରିବା ଥିବ, ସେତେବେଳ ଯାଏଁ “ଆସନ୍ତାକାଲି” ରହିବ । ପ୍ରଣାମ ଦାସ୍ ସାର୍, ପ୍ରଣାମ ।

  2. ସମ୍ପାଦକ, ‘ସାହିତ୍ୟଚର୍ଚ୍ଚା’ଙ୍କୁ କି ଭାଷାରେ ଏବଂ କି ଭାବରେ ବା ଧନ୍ୟବାଦ ଦେଇ ହେବ ‘ଆସନ୍ତାକାଲି’ର ଗତକାଲି ବିଷୟରେ ଏଇ ଆବେଗ-ଆପ୍ଳୁତ ସ୍ମୃତି ଆଲେଖ୍ୟ ପ୍ରକାଶ କରିବାର ବ୍ୟବସ୍ଥା କରିଥିବା ପାଇଁ ! ମୋର ଧାରଣା ନଥିଲା ଯେ ସମ୍ମାନନୀୟ କାଳିଚରଣ ଦାସ ଏଯାକେ ବି ଜୀବିତ ଅଛନ୍ତି ବୋଲି । ଖୁସି ଲାଗିଲା ଯେ ‘ଆସନ୍ତାକାଲି’ର ଏ ଅନ୍ତିମ ‘ଗତକାଲି’ ଜଣକ ତାଙ୍କର ସ୍ମୃତିଲେଖ ଦ୍ଵାରା ଆସନ୍ତାକାଲି ପାଇଁ ଆହୁରି କିଛି ମର୍ମଦାହୀ ଝଲକ ରଖିଯିବାକୁ ସକ୍ଷମ ହେଇଛନ୍ତି । ଆମ ପିଢ଼ିର ମୋ ଭଳି ଅନେକ ‘ଆସନ୍ତାକାଲି’ ପଢ଼ି ହିଁ ସାହିତ୍ୟ ପାଠଶାଳାରେ ନାମ ଲେଖେଇ ଥିବେ । ବଜାରର ବାଧ୍ୟବାଧକତା ଆଉ ସୃଜନଶୀଳ ଉଦ୍ୟମ ଭିତରେ ଏ ସଂଘାତ ଏବଂ ସଂଘର୍ଷ ଚିରନ୍ତନ, ସବୁ ଯୁଗରେ । ବଜାର ଦାଉରେ ଅନେକ ସାଂସ୍କୃତିକ ଉଦ୍ୟମ ଅକାଳ ସମାଧି ନେଇଯାଇଛି । କିନ୍ତୁ ସେଇ ଅବଧି ଭିତରେ ସେମାନେ ଭବିଷ୍ୟତ ପାଇଁ ଗୋଟେ ଦୃଢ଼ ଭିତ୍ତି ତିଆରି କରିଦେଇଯାଇଥାଆନ୍ତି ଠିକ ଯେମିତି ଗତକାଲିର ‘ଆସନ୍ତାକାଲି’ ଆଗାମୀକାଲିର ‘ଆସନ୍ତାକାଲି’ମାନଙ୍କ ପାଇଁ କରିଦେଇ ଯାଇଛି ।

    ‘ଆସନ୍ତାକାଲି’ର ବିଲୟ ଓଡ଼ିଆ ଜାତିର ସାଂସ୍କୃତିକ ବୀତସ୍ପୃହତାର ଏକ ମାର୍ମିକ ଉଦାହରଣ, ଓଡ଼ିଆ ମାନଙ୍କର ଏକ ସାମୂହିକ ଅପାରଗତା, ଯାହା ଆମ ସମସ୍ତ ଓଡ଼ିଆଙ୍କୁ ଆତ୍ମ ନିରୀକ୍ଷଣ କରିବାକୁ ବାଧ୍ୟ କରିବା ଉଚିତ । ସମ୍ମାନନୀୟ କାଳୀଚରଣ ଦାସଙ୍କୁ ପ୍ରଣିପାତ । ସଚ୍ଚା ଓଡ଼ିଆଙ୍କ ଜାତୀୟ ସ୍ମୃତିରେ ସେ ଅବିସ୍ମରଣୀୟ ହୋଇ ରହିବେ ।
    ‘ଆସନ୍ତାକାଲି’ ଗତକାଲି ହେଇଯିବା ଆମ ଜାତୀୟ ଜୀବନରେ ଭାଳି ହେବାର ବିଷୟଟେ ନିଶ୍ଚୟ !

  3. ଚମତ୍କାର ଉପସ୍ଥାପନା। ପ୍ରକୃତ କଥା ଲେଖିଛନ୍ତି ଜଣେ ଅନୁଭବୀ ସମ୍ପାଦକ। କିନ୍ତୁ ଏହାକୁ ବୁଝିବ କିଏ ଏବଂ ବୁଝିଥିଲେ ସୁଦ୍ଧା କାମରେ ଲଗାଇବା ପାଇଁ ଆଗ୍ରହୀ ହେବେ କିଏ ?
    ଯାହାହେଉ ଏହିଭଳି ଚମତ୍କାର ଉପସ୍ଥାପନା ବହୁତ ଭଲ ଲାଗିଲା।

  4. Thanks Kali Bhai. Asantakali’s demise comes as a shock, but there is nothing unusual about it. For literary magazines it is always a uphill task to keep the ball rolling. But Asantakali did maintain its periodicity and quality till the end. For about a decade in the 1980s I was a junior member of the then growing Asantakali family. I remember my last-page column `Laghuswara’ read and discussed at the Saturday `Sahitya Asara’. Perhaps Asantakali and Pratibeshi, the other literary magazine published from Kolkata inspired me to love literature. I still remember the dedicated editorial efforts of Srikanta Panda and Arun Patnaik and yourself in running the show at most difficult times.

    Asantakali has played its role creditably. It deserves its well earned rest.

Leave a Reply

Your email address will not be published. Required fields are marked *