ଆମର ପରମ ଆରାଧ୍ୟ ବଳିଆରଭୁଜଙ୍କୁ ପଶ୍ଚିମା ବୁଦ୍ଧିଜୀବୀମାନେ ଯେ କେଉଁଠି ଆଣି କେଉଁଠି ଥୋଇଦେଲେଣି, ସେଥିପ୍ରତି ଆମର ନିଘା ନାହିଁ। ତେବେ ପ୍ରକାରାନ୍ତରେ ଭାବିଲେ ବରଂ ମନେହୁଏ ଯେ ଏଥିପ୍ରତି ଆମର ନିଘା ପ୍ରବଳ। କାରଣ ଆମେ ଓଡ଼ିଆଏ ବିଦେଶୀମାନଙ୍କ ଆଖିରେ ନିଜର ଇତିହାସ, ନିଜର ଐତିହ୍ୟ ଓ ନିଜର ଅଧ୍ୟାତ୍ମକୁ ଦେଖିବା ପରେ ହିଁ ପରତେ ଯାଉ। ସେଇଥିପାଇଁ ପରା ଲୋକୋକ୍ତିରେ ଅଛି, “ଦେଖା ଶିଖା ଓଡ଼ିଶା।” ଆମ ଭାଷାକୋଷକାର ପ୍ରହରାଜ ଆପଣେ ସିନା ‘ଜଗନ୍ନାଥ’ ଶବ୍ଦଟିର ଅର୍ଥ ବୁଝାଇବାକୁ ଯାଇ “ନାରାୟଣ, ଭଗବାନ, ପରମେଶ୍ୱର ବା ବିଷ୍ଣୁ” ବୋଲି କହିଗଲେ, କିନ୍ତୁ ଆମ ବୌଦ୍ଧିକ ଜଗତର ଏକ ଛାମୁଆଁ ଗୋଷ୍ଠୀ ‘ଜଗନ୍ନାଥ’ ନୁହଁ, ବରଂ ‘ଜଗନଅଟ୍’ (ଜେ-ୟୁ-ଜି-ଜି-ଇ-ଆର୍-ଏନ୍-ଏ-ୟୁ-ଟି) ଶବ୍ଦଟି ଉପରେ ଅଧିକ ପ୍ରତ୍ୟୟ ରଖନ୍ତି। ଆମର ପ୍ରାକ୍ତନ ଶାସକ ଗଣ, ଅର୍ଥାତ୍ ଇଂରେଜ ସାହେବମାନେ ଜଗନ୍ନାଥଙ୍କର ନାମର କେବଳ ବନାନଟି ନୁହେଁ, ଅର୍ଥଟିର ମଧ୍ୟ ବିକୃତିକରଣ କରି ତାହାକୁ ସର୍ବମାନ୍ୟ କରାଇସାରିଲେଣି। ବହୁ ଆଦୃତ ‘ୱେବଷ୍ଟର୍ ଡିକ୍ସନାରୀ’ କହେ ଯେ ଜଗନଅଟ୍ ଶବ୍ଦଟିର ଅର୍ଥ ହେଉଛି, ଏକ ଅଦମ୍ୟ ଶକ୍ତି ବା ଗତିଶୀଳ ପ୍ରକାଣ୍ଡକାୟ ପଦାର୍ଥ ଯାହା ଏମିତି ପ୍ରଚଣ୍ଡ ଭାବରେ ମାଡିଚାଲିଥାଏ ଯେ ତା’ ସାମନାରେ ପଡୁଥିବା ସବୁ କିଛିକୁ ଧ୍ୱଂସ କରିଦିଏ (‘… କ୍ରସେଜ୍ ହ୍ୱାଟଏଭର୍ ଇଜ୍ ଇନ୍ ଇଟସ୍ ପାଥ୍’)।
କହିବା ବାହୁଲ୍ୟ, କେଉଁ ବିଗତ କାଳରେ ରଥଯାତ୍ରା ଉପଲକ୍ଷେ ପୁରୀ ବଡ଼ଦାଣ୍ଡରେ ହୁଏତ ଘର୍ଘର ନାଦରେ ଗଡିଚାଲୁଥିବା ରଥମାନଙ୍କର ଚକ ତଳେ ପେଷିହୋଇ, କେବେ କେମିତି, ଭକ୍ତମାନେ ମୃତ୍ୟୁବରଣ କରୁଥିଲେ। ଏହି ଦୁର୍ଘଟଣାଗୁଡିକର ଅତିଶୟ ପରିପ୍ରଚାର ଫଳରେ ପଶ୍ଚିମର ଦେଶଗୁଡିକରେ ଜଗନ୍ନାଥ (ସେମାନଙ୍କ ଭାଷାରେ, ‘ଜଗନଅଟ୍’) ଶବ୍ଦଟି ସହିତ ଏକ ଦୁର୍ନାମ ଲାଖିଗଲା। ତ୍ରୟୋଦଶ ଶତାବ୍ଦୀରେ ଇଉରୋପ ମହାଦେଶର ଓଡୋରିକ୍ ନାମକ ଜଣେ ସନ୍ୟାସୀ ଆମ ରଥଯାତ୍ରାକୁ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି ଯେ ଭାରତବର୍ଷର ହିନ୍ଦୁମାନେ ଧର୍ମ ଅର୍ଜନ ପାଇଁ, ସେମାନଙ୍କ ଦିଅଁଙ୍କୁ ବୋହୁଥିବା ବିରାଟକାୟ ରଥଗୁଡିକର ଚକ ତଳେ ଜାଣିଶୁଣି ନିଜର ପ୍ରାଣ ବିସର୍ଜନ କରୁଥିଲେ।
ସେ ଯାହାହେଉ, ଅନ୍ୟ ଦେଶ ବା ଭାଷାମାନଙ୍କରେ ଆମ ଦେଶୀ ଶବ୍ଦମାନଙ୍କର କିଭଳି ବ୍ୟାଖ୍ୟା ବା ବିବେଚନା ହେବ ତାହା ଉପରେ ଆମର କର୍ତ୍ତୃତ୍ୱ ନାହିଁ। କିନ୍ତୁ ଆମର ଅବସୋସ ଯେ, ଖୋଦ୍ ଆମ ରାଜ୍ୟର ସରକାର ଜଗନ୍ନାଥଙ୍କର ଏହି ‘ଜଗନଅଟ୍’ ରୂପଟି ତାଙ୍କର ପରମ ପ୍ରିୟ ବୋଲି ବାରମ୍ବାର ବିଭିନ୍ନ ମଞ୍ଚରେ ଜଣାଇବାର ଅବସରକୁ ହାତଛଡା କରୁନାହାନ୍ତି। ଅତୀତରେ ଅନେକଥର ଓଡ଼ିଶା ସରକାରଙ୍କ ଦ୍ୱାରା ଇଂରାଜୀ ଭାଷାରେ ଲେଖା ହୋଇଥିବା ବିଭିନ୍ନ ବିଜ୍ଞାପନ ଓ ହୋର୍ଡିଂମାନଙ୍କରେ ଏହି ନକାରାତ୍ମକ ଶବ୍ଦଟିର ପ୍ରୟୋଗ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଗତ ବର୍ଷ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ‘ଓଡିଶା କନକ୍ଲେଭ୍’ରେ ବହିରାଗତ ପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ବ୍ୟାନର ପ୍ରଦର୍ଶିତ ହୋଇଥିଲା। କିଛିବର୍ଷ ତଳେ ନବକଳେବର ଓ ଅନ୍ୟ କେତେକ ଅବସରରେ ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରଦର୍ଶିତ ବିଜ୍ଞାପନମାନଙ୍କରେ ଯାତ୍ରୀମାନଙ୍କୁ ଆମର ବିଧ୍ୱଂସକାରୀ ଓଡ଼ିଶା ଭୂମି (‘ଓଡିଶା – ଦି ଲ୍ୟାଣ୍ଡ ଅଫ୍ ଜଗନଅଟ୍’)କୁ ସ୍ୱାଗତ କରାଯାଇ ସନ୍ଦେଶମାନ ପ୍ରଦର୍ଶିତ ହୋଇଥିଲା।
କିସ କରିବା, କପାଳରେ ସିନା କରମାରିବା !
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଜୁନ୍ , ୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )
ଓଡ଼ିଶାର ପରମ ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏଇ ଦେଖା ସିଖା ଓଡ଼ିଆ ମାନେ ବୈଦେଶିକ ଭାଷା ପ୍ରଭାବରେ ଜଗନଅଟ୍ କରିସାରିଲେଣି। ଓଡ଼ିଆ ଆଉ ଓଡ଼ିଶା ପ୍ରତି ଏହା ଘୋର ସଙ୍କଟ। ଆଜି ଯଦି ଆମେ ନସୁଧୁରିବା ଭବିଷ୍ୟତରେ ଏହା ଓଡ଼ିଆ ମାନଙ୍କ ପ୍ରତି ବିପଦ।ସୁଧୁରିବା ପ୍ରକ୍ରିୟା ଆମ ମାନଙ୍କ ଠାରୁ ଆରମ୍ଭ ହେବା ଦରକାର।