ଏହି ପୁନର୍ଲିଖନ ପ୍ରଥାଟି ଯେ ଏବେ ଆମ ସାହିତ୍ୟକୁ ପ୍ରବଳ ଘାରିଛି, ଏଥିପ୍ରତି ଆମେ ବିଶେଷ ନିଘା କରିନଥିଲୁ। ଗୋଟିଏ କବିତା ଆମକୁ ଏ ବିଷୟରେ ଚେତାଇଦେଲା। ତା’ଥିଲା ଆମ ସମୟର ଅନ୍ୟତମ ବର୍ଷୀୟାନ ସାହିତ୍ୟିକ ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଗୋଟିଏ କବିତାର କେଇ ଧାଡି:
“ପୁନର୍ଲିଖନ ବାରଂବାର
ହେବାରୁ ଓଡ଼ିଆ ଭାଷାର
ଘଟୁନି ଇଚ୍ଛିତ ବିକାଶ
ଶକ୍ତି, ସମୟ ହୁଏ ନାଶ।”
ସେ ଏଠାରେ ଓଡିଆ ଭାଷାର ବିକାଶର କଥା ଯାହା କହିଛନ୍ତି, ତାହାକୁ ଆମେ ଆମ ସାହିତ୍ୟର ବିକାଶ ପ୍ରତି ମଧ୍ୟ ଲାଗୁ କରିପାରିବା। ଆମ ସାହିତ୍ୟରେ ଏବେ ଯେଉଁ ରାଶି ରାଶି ସୃଷ୍ଟିମାନ ଦୃଷ୍ଟିଗୋଚର ହେବାରେ ଲାଗିଛି ସେଥିରୁ ଅଧିକାଂଶ ଯେ ନବୀନତା-ବର୍ଜିତ ଅର୍ଥାତ ପୁନର୍ଲିଖନ ମାତ୍ର, ଏଥିରେ ସନ୍ଦେହ ନାହିଁ। କେବଳ ଗୋଟିଏ ବିଷୟ ବା ଚିନ୍ତାଧାରା ଉପରେ ବିପୁଳ ପରିମାଣର ରଚନାରାଜି ପାଠକମାନଙ୍କ ସାମନାରେ ଠୁଳ କରି ବଜାରରେ ଉପଲବ୍ଧ ବହିମାନଙ୍କର ଥାକକୁ ଅଯଥା ମେଦ-ବହୁଳ କରିବା ବ୍ୟତୀତ ଏହା ଉତ୍କଳ ଭାରତୀର କି ବା ହିତ ସାଧନ କରୁଛି, ତାହା ବିଚାର କରିବାର କଥା।
ଏହି ପ୍ରଶ୍ନଟି ଆମକୁ ଆଲୋଡିତ କରିବାର ଅନ୍ୟତମ ହେତୁ ହେଲା, ନିକଟରେ ଭୁବନେଶ୍ୱରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ଆମ ଦୃଷ୍ଟିକୁ ଆସିଥିବା କେତୋଟି ଦିଗ। ସେଠାରେ ଟନ୍ ଟନ୍ ଓଜନର ମୁଦ୍ରିତ ସାହିତ୍ୟ ଦେଖିବାକୁ ପାଇଲୁ। ମନେହେଲା, ଅନେକାଂଶ ଷ୍ଟଲ୍ ରେ ବହି ମାନେ ଯେମିତି ସେଠାରେ ପଦାର୍ପଣ କରିଥିବା ହାତଗଣତି ଗ୍ରାହକ ବା ପାଠକମାନଙ୍କୁ ହାତଯୋଡି କାକୁତି କରୁଥିଲେ, “ଟିକିଏ ଆମ ଆଡେ ଅନାଅ ବନ୍ଧୁ, ଆମକୁ କୋଳେଇ ନିଅ।” କିନ୍ତୁ ପାଠକ ବାପୁଡା କରିବ ବା କ’ଣ? ତା’ ଆଗରେ ତ ପ୍ରତ୍ୟେକ ବିଷୟ ବା ପର୍ଯ୍ୟାୟର ବହିପାଇଁ ଅପର୍ଯ୍ୟାପ୍ତ ବିକଳ୍ପ! ଅମୁକ ପ୍ରକାଶକଙ୍କ ସମୁକ ବହିରେ ଯେଉଁ କଥାଟି ଆଲୋଚିତ ହୋଇଛି, ପଡିଶାରେ ଥିବା ଅନ୍ୟ ଏକ ଷ୍ଟଲ୍ ରେ ଠିକ୍ ସେଇ ତତ୍ତ୍ୱ ଉପରେ ମଧ୍ୟ ଅଛି ଗଣ୍ଡାଏ ପ୍ରାୟ ବହି, କେବଳ ଭାଷାବିନ୍ୟାସ ଓ ଶିରୋନାମାରେ ହିଁ ଟିକିଏ ଏପଟ ସେପଟ ହୋଇଛି ଯାହା। ଅର୍ଥାତ୍ କେଉଁଠି ଖଡା-ବଡି-ଥୋଡ, ତ ଆଉ କେଉଁଠି ଥୋଡ-ବଡି-ଖଡା। ଅନୁଭବ କଲୁ ଯେ ଏଥର ପୁସ୍ତକମେଳାରେ ସାହିତ୍ୟ-ପୁସ୍ତକମାନଙ୍କର ବହୁଳ ଉପଲବ୍ଧତା ସତ୍ତ୍ୱେ ସେମାନେ ପାଠକଙ୍କୁ ଆକୃଷ୍ଟ ନକରିପାରିଥିବାର ଏହା ଏକ ମହତ୍ତ୍ୱପୂର୍ଣ୍ଣ ହେତୁ।
ଆମର ସମାଲୋଚନା ସାହିତ୍ୟର କଥା ହିଁ ଦେଖାଯାଉ। ବିଶେଷତଃ କଲେଜ ଓ ବିଶ୍ୱବିଦ୍ୟାଳୟର ଗବେଷକ ତଥା ଅଧ୍ୟାପକମାନେ ସେଇ ନିର୍ଦ୍ଦିଷ୍ଟ କେତୋଟି ବିଷୟକୁ ଚର୍ବିତ ଚର୍ବଣ କରି ପରିବେଷଣ କରିବାରେ ବ୍ୟସ୍ତ। ରାଧାନାଥ ରାୟଙ୍କ କାବ୍ୟରେ ଋତୁ ବର୍ଣ୍ଣନା ହେଉ ଅବା ପ୍ରକୃତିର ଚିତ୍ର, ସେହି ଏକା ବିଚାର, ବିବେଚନା ଓ ବିଶ୍ଲେଷଣ ଆଦି ଆମେ ବାରମ୍ବାର ଅନେକ ପ୍ରାବନ୍ଧିକ ବା ସମାଲୋଚକଙ୍କ କଲମରୁ ପଢିପଢି ନୟାନ୍ତ ହୋଇସାରିଲୁଣି। ଆମ ସାହିତ୍ୟରେ ଏଭଳି ଘଷା-ରଗଡା ପରିଚର୍ଚ୍ଚାମାନଙ୍କର ମୋଟରୁ ଅନ୍ତ ନାହିଁ। କେବଳ ପ୍ରବନ୍ଧ ବା ସମାଲୋଚନା ନୁହେଁ, ଗଳ୍ପ, ଉପନ୍ୟାସ ଓ କବିତା କ୍ଷେତ୍ରରେ ବି ସେହି ସମଦଶା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
କଥା ହେଲା, ଆମର ସଂଖ୍ୟାଧିକ ଲେଖକ ଧାନବେଙ୍ଗଳାରେ ମେରୁଖୁଣ୍ଟ ଚାରିପଟେ ବୁଲୁଥିବା ବଳଦ ପଲ ଭଳି ଗୋଟିଏ ପରିଧିରେ କେବଳ ଗୋଲ ଗୋଲ ହୋଇ ବୁଲିବାରେ ବ୍ୟସ୍ତ। କିନ୍ତୁ ସେଇ ଧରାବନ୍ଧା ପରିଧିର ବାହାରକୁ ଯାଇ ସାହିତ୍ୟକୁ ଟିକିଏ ତାଜା ପବନ ଯୋଗାଇବାରେ ସେମାନେ କ’ଣ ପ୍ରକୃତରେ ଅସମର୍ଥ?
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ ,୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )
Excellent editorial.
This issue has been haunting me for several decades. Because of this disease in our literature, I almost abandoned reading most of the published essays .
Fresh topics with new outlook is the need of the hour.
‘ଡାକ-ମୁନ୍ସି’ ଗଳ୍ପର ପୁନଃଲିଖନ ଏବେ ମଧ୍ୟ ଚାଲିଛି।
ପ୍ରଚଳିତ ପ୍ରଥା କୁ ତ୍ୟାଗ , ହତଗଣତି ପ୍ରସିଦ୍ଧ ଲେଖକଙ୍କ ଉପରେ ଲେଖା କୁ ଛାଡି ନୂଆ ଲେଖକଙ୍କ ଉପରେ କିଛି ଲେଖାଗଲେ ଭଲ ହୁଅନ୍ତା | ବାସ୍ତବିକ ସାହିତ୍ୟ ଚର୍ଚା ର ଏହି ପ୍ରୟାସକୁ ଧନ୍ୟବାଦ |
ସାହିତ୍ୟକୁ କଣ ତାଜା ପବନ ମିଳିବ ନାହିଁ?