- ଆମ ଓଡ଼ିଆ ଦାମ୍ପତ୍ୟ ଜୀବନରେ, ସ୍ୱାମୀର ମୃତ୍ୟୁ ପର୍ଯ୍ୟନ୍ତ ସ୍ତ୍ରୀଟିଏ ନିଜର ସ୍ୱାମୀକୁ କେବେ କହେନାହିଁ, “ଆଇ ଲଭ୍ ୟୁ ।”
ପ୍ରବୀଣ ସାହିତ୍ୟିକ ହରପ୍ରସାଦ ଦାସ ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ। ୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ମହାନ ପ୍ରତିଭାଧର ଏକାଧାରରେ ଜଣେ ସଫଳ କବି, କଥାକାର, ଅନୁବାଦକ, ପ୍ରାବନ୍ଧିକ ତଥା ସମାଲୋଚକ। ଅଧ୍ୟାପନାରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରି ସେ ୧୯୬୮ ମସିହାରେ ‘ଇଣ୍ଡିଆନ୍ ଅଡିଟ୍ ଏଣ୍ଡ୍ ଏକାଉଣ୍ଟସ୍ ସର୍ଭିସ’ରେ ଯୋଗ ଦେଇଥିଲେ ଏବଂ ଭାରତ ସରକାରଙ୍କ ଅଧୀନରେ ତଥା ଜାତିସଂଘରେ ଅନେକ ଉଚ୍ଚ ପଦବୀ ମଣ୍ଡନ କରିଥିଲେ। କେନ୍ଦ୍ର ତଥା ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର, ମୂର୍ତ୍ତିଦେବୀ ପୁରସ୍କାର ତଥା ସାରଳା ପୁରସ୍କାର ଭଳି ଅନେକ ମର୍ଯ୍ୟାଦାଜନକ ସମ୍ମାନରେ ସେ ଭୂଷିତ ହୋଇଛନ୍ତି। ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କ ସହିତ ସାକ୍ଷାତ କରି ସାରସ୍ୱତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: କୁହାଯାଏ ଯେ ଆପଣଙ୍କର ଆଦ୍ୟ ସ୍ରଷ୍ଟା-ଜୀବନର କବିତାଗୁଡିକ ବୌଦ୍ଧିକ ଉତ୍ତେଜନାରେ ପୂର୍ଣ୍ଣ। ଏହାହିଁ କ’ଣ ଥିଲା ଆପଣ କବିତା ଜଗତରେ ପାଦ ଥାପିବାର ପ୍ରଥମ ପ୍ରେରଣା?
ହରପ୍ରସାଦ ଦାସ: ଏହାର ଉତ୍ତର ଦେବାକୁ ହେଲେ ମୋତେ ମୋର ଆଦ୍ୟ ଯୌବନ ବା ତାରୁଣ୍ୟର ସମୟକୁ ଯିବାକୁ ପଡ଼ିବ। ତା’ ଥିଲା ଗତ ଷଷ୍ଠ ଦଶକର କଥା, ଯେତେବେଳେ ରେଭେନ୍ସା କଲେଜରେ ପ୍ରଥମେ ପାଦ ଦିଆହେଲା। ମୋର ନିଷ୍ପତ୍ତି ଥିଲା, ବିଜ୍ଞାନ ନପଢି କଳା ଶ୍ରେଣୀରେ ଜଏନ୍ କରିବା। କାହିଁକି କେଜାଣି, ମନେହୋଇଥିଲା ଯେ ବିଜ୍ଞାନ ପାଖରେ ମଣିଷର ସବୁ ଦୁଃଖର, ସବୁ କଷ୍ଟର ଊତ୍ତର ନାହିଁ। କଳା ପଢିବା ଫଳରେ ସେତେବେଳେ ବିଶ୍ୱରେ ଯାହା କିଛି ଘଟୁଥିଲା, ତାହାର ଗୋଟିଏ ପ୍ରତିଧ୍ୱନି ରେଭେନ୍ସା କଲେଜର କରିଡର୍ ରେ ଶୁଣାଯାଉଥିଲା। ମୋ’ର ମନେପଡୁଛି ଯେ ସେତେବେଳକୁ ବିଟିଲ୍ସ ଆସିଥିଲେ ସଂଗୀତ ଜଗତରେ, ସେତେବେଳେ ଏକ୍ସିସ୍ଟେନ୍ସିଆଲିଜମ୍ ଆରମ୍ଭ ହୋଇଥିଲା, ଭାଲେଣ୍ଟିନା ଟେରେସ୍କୋଭା ମହାଶୂନ୍ୟକୁ ଯାତ୍ରା କରିଥିଲେ – ତେଣୁ ସିଏ ଗୋଟିଏ ବିଚିତ୍ର ସମୟ ଥିଲା। ବିଶେଷତଃ ଅସ୍ତିତ୍ୱବାଦ ଆସିବା ଫଳରେ ଆମକୁ କୁହାହେଉଥିଲା ଯେ ମଣିଷ ଗୋଟିଏ ଛିନ୍ନମୂଳ ସତ୍ତା ଏବଂ ଆମ ଭିତରେ ବହୁ ବିସଂଗତି ଅଛି ଏବଂ ବହୁତ କିଛି ଅଭାବ ବି ଅଛି।
ସାହିତ୍ୟ ଚର୍ଚ୍ଚା: ତାହେଲେ କ’ଣ ଏହି ଅସ୍ତିତ୍ୱବାଦର ତୀବ୍ର ଭାବ ବା ଅନୁଭବକୁ ପ୍ରକାଶ କରିବା ପାଇଁ ଆପଣ କବିତାକୁ ଏକ ମାଧ୍ୟମ ଭାବରେ ବାଛିନେଲେ?
ହରପ୍ରସାଦ ଦାସ: ହଁ, ଗୋଟିଏ ତ ହେଉଛି ଅସ୍ତିତ୍ୱବାଦର ପ୍ରଭାବ। ଆଉ ଗୋଟିଏ ହେଲା ‘ନ୍ୟୂଭୋ-ରୋମା’ ବା ଫ୍ରାନ୍ସରୁ ସେ ସମୟରେ ଆସିଥିବା ନୂଆ ଉପନ୍ୟାସର ଧାରା। ତା’ପରେ ଅନ୍ୟ ପ୍ରଭାବଟି ହେଲା, ସେତେବେଳେ କବିତାର ଗତି।
ସାହିତ୍ୟ ଚର୍ଚ୍ଚା: କବିତାର ଗତି କିଛି ନୂଆ ମୋଡ ନେଇଥିଲା କି ସେତେବେଳେ!
ହରପ୍ରସାଦ ଦାସ: କବିତାର ଗତି ସେତେବେଳେ ଦୁଇଗୋଟି ଧ୍ରୁବ ଆଡକୁ ମୁହାଁଇଥିଲା। ଗୋଟିଏ ହେଲା, ଟି.ଏସ୍.ଇଲିଏଟଙ୍କ କବିତାର ଧାରା, ଆଉ ଗୋଟିଏ ପଟେ ଫ୍ରାନ୍ସ ଓ ସ୍ପେନ୍ ର ପ୍ରୟୋଗବାଦୀ କବିତା। ଏମାନଙ୍କୁ ପଢ଼ିବା ନିଶାରେ ସେତେବେଳେ ବାପା ପଠାଉଥିବା ଟଙ୍କାର ଅଧକରେ ବହି କିଣିବା ଏବଂ ତେଣୁ ମେସ୍ ପଇସା ନଦେଇପାରିବା ଫଳରେ କେବେ କେମିତି ଓପାସ ରହିବା ମୋ’ପାଇଁ ସାଧାରଣ କଥା ହୋଇଯାଇଥିଲା।
ସାହିତ୍ୟ ଚର୍ଚ୍ଚା: ପ୍ରି-ୟୁନିଭର୍ସିଟି ସମୟର ସେଇ କିଶୋର ବୟସରେ ଆପଣ କରୁଥିଲେ ଏକଥା?
ହରପ୍ରସାଦ ଦାସ: ହଁ, ସେଇ ପ୍ରି-ୟୁନିଭର୍ସିଟି ସମୟର କଥା କହୁଛି। ସେତେବେଳେ ‘ରେଭେନ୍ସାଭିଆନ୍’ରେ ପ୍ରକାଶ କରିବାପାଇଁ କବିତା ମଗାଗଲା। ଏହାର ସଂପାଦକ ଥିଲେ ଓ.ପି.ଓବ୍ରାଏନ୍। ତାଙ୍କର ଗୁରୁଗମ୍ଭୀର ପ୍ରକୃତି ଯୋଗୁଁ ପିଲାମାନେ ତା’ଙ୍କୁ ଦୂରରୁ ଭୟ କରୁଥିଲେ। ମୁଁ ତାଙ୍କ ପାଖକୁ ଗୋଟିଏ ଇଂରାଜୀ କବିତା ପଠାଇଦେଲି, ‘ଆନ୍ ଏଲିଜି ଅନ୍ ଦି ହ୍ୟାୟାସିନ୍ଥ’। ସେଇଟି ପଠାଇଦେଇ ଅବଶ୍ୟ ଭୁଲିଯାଇଥିଲି। ତା’ପରେ, ଦିନେ ଡ଼କା ଆସିଲା, ପ୍ରଫେସର ଓବ୍ରାଏନ୍ ମୋତେ ଦେଖା କରିବାକୁ ଚାହୁଁଛନ୍ତି। ମୋତେ ସାମନାରେ ପାଇ ସେ ପଚାରିଲେ, “ଟି.ଏସ୍.ଇଲିଅଟ୍ଙ୍କୁ ପଢିଛ କି?” ମୁଁ ହଁ ଭରିବାରୁ ସେ କହିଲେ, ସେଥିର କିଛି ଧାଡି ମନେ ଅଛି କି? ମୁଁ ତାଙ୍କର ‘ୱେଷ୍ଟ ଲ୍ୟାଣ୍ଡ୍’ର ଦୁଇଟି ପୃଷ୍ଠା ଅନର୍ଗଳ କହିଦେଲି। ତାପରେ ସେ ମୋ କାନ୍ଧ ଉପରେ ହାତ ଛୁଆଁଇ ‘ଓ.କେ’ବୋଲି କହି ଚାଲିଗଲେ। ସେହି କବିତାଟି ସେହି ‘ରେଭେନ୍ସାଭିଆନ୍’ରେ ଛପାହେଲା। ଏହାର ବହୁ ବର୍ଷ ପରେ ‘ରେଭେନ୍ସାଭିଆନ୍’ରୁ କବିତାଟି ସଂଗୃହୀତ ହୋଇ ଗୋଟିଏ ସଂକଳନରେ ସ୍ଥାନ ପାଇଛି। ଏହା ଥିଲା ମୋ’ର ପ୍ରଥମ ପ୍ରକାଶିତ ଇଂରାଜୀ କବିତା।
ସାହିତ୍ୟ ଚର୍ଚ୍ଚା: ତେବେ ଓଡ଼ିଆରେ ଆପଣ ପ୍ରଥମେ ଗଳ୍ପ ଲେଖିଲେ, ନା କବିତା?
ହରପ୍ରସାଦ ଦାସ: କବିତା ପ୍ରଥମରୁ ଥିଲା। ମୁଁ ଦଶମ ଶ୍ରେଣୀରେ ପଢିବାବେଳେ ହିଁ ପ୍ରଜାତନ୍ତ୍ରର ରବିବାସରୀୟ ସାହିତ୍ୟ ପୃଷ୍ଠାରେ ଗୋଟିଏ କବିତା ବାହାରିଥିଲା। ତା’ପରେ ରେଭେନ୍ସାକୁ ଆସିବା ପରେ ମୁଁ ଗୋଟିଏ କବିତା ପଠାଇଲି ‘ଝଙ୍କାର’କୁ। ସେତେବେଳେ ଜଣେ ପ୍ରି-ୟୁନିଭର୍ସିଟି ଶ୍ରେଣୀର ଛାତ୍ର ‘ଝଙ୍କାର’କୁ କବିତା ପଠାଇବା ଅଚିନ୍ତନୀୟ ଥିଲା। ତାପରେ ଦିନେ ଘଟିଲା ଅପୂର୍ବ କଥାଟିଏ।
ସାହିତ୍ୟ ଚର୍ଚ୍ଚା: କ’ଣ ଥିଲା ଘଟଣାଟି?
ହରପ୍ରସାଦ ଦାସ: ଦିନେ ଜଣେ ଧୋତି- ପଞ୍ଜାବୀ ପିନ୍ଧା ଭଦ୍ରଲୋକ ମୋତେ ଦେଖା କରିବା ପାଇଁ ଆସିଲେ ଆମ ‘ୱେଷ୍ଟ ହଷ୍ଟେଲ’କୁ। ମୁଁ କ୍ଲାସରୁ ଫେରୁଥାଏ। ମୋତେ ଦେଖି ପଚାରିଲେ, “ଏଠି ହରପ୍ରସାଦ ଦାସ କିଏ, ଜାଣିଛ?” ଉତ୍ତର ଦେଲି, “ଆଜ୍ଞା ମୁଁ।” ସେ ତାପରେ ମୋତେ ହାତରେ ଧରି ଉପରକୁ ଟେକିନେଲେ, ଆଉ ପୁଣି ତଳେ ଆଣି ଛାଡିଦେଲେ। କହିଲେ, “ତମେ ସେଇ କବିତା ଲେଖିଛ, ଯେଉଁଟି ‘ଝଙ୍କାର’କୁ ପଠାଇଛ?” ମୁଁ ପଚାରିଲି, “ଆପଣ କିଏ?” ସେ ଉତ୍ତର ଦେଲେ, “ମୁଁ କିଏ ସେଇଟା ଗୁରୁତ୍ୱପୂର୍ଣ୍ଣ ନୁହଁ। ମୁଁ ଏହା ଦେଖିବା ପାଇଁ ଆଜି ଏଠାକୁ ଆସିଛି ଯେ ତମେ ସତ, ନା ଗୋଟିଏ କଳ୍ପନା! ମୁଁ ହେଲି, ସତ୍ୟାନନ୍ଦ ଚମ୍ପତ୍ତିରାୟ, ସଂପାଦକ, ଝଙ୍କାର।”
ସାହିତ୍ୟ ଚର୍ଚ୍ଚା: ‘ଝଙ୍କାର’ରେ ତେବେ ପ୍ରକାଶ ପାଇଲା କବିତାଟି!
ହରପ୍ରସାଦ ଦାସ: ହଁ, ତା’ପରେ ଗୋଟିଏ ପରେ ଗୋଟିଏ, ଏହିପରି ଦୁଇଟି କବିତା ବି ବାହାରିଲା ‘ଝଙ୍କାର’ରେ। ସେ ପୁଣି ବିସ୍ମୟକର ଭାବରେ ଗୋଟିଏ ଏକ୍ସପେରିମେଣ୍ଟ ଥିଲା – କବିତା ଗଦ୍ୟରେ ଲେଖାଯାଇଥିଲା।
ସାହିତ୍ୟ ଚର୍ଚ୍ଚା: ସେତେବେଳେ କ’ଣ ଗଦ୍ୟରେ କବିତା ଲେଖିବାର ଧାରା ଆରମ୍ଭ ହୋଇଯାଇଥିଲା?
ହରପ୍ରସାଦ ଦାସ: ୟୁରୋପରେ ଆରମ୍ଭ ହୋଇଯାଇଥିଲା। ଯେହେତୁ ପ୍ରି-ୟୁନିଭର୍ସିଟି ପଢିବାବେଳେ ବି ମୋ’ର ବିଶ୍ୱସାହିତ୍ୟ ସହିତ ଗୋଟିଏ ସମ୍ପର୍କ ଆସିଯାଇଥିଲା। ତେଣୁ ଏହାର ପ୍ରଭାବ ପଡିଲା ମୋ ଉପରେ।
ସାହିତ୍ୟ ଚର୍ଚ୍ଚା: କବିତା ପ୍ରତି ତେବେ ଏକ ସ୍ୱତଃସ୍ଫୂର୍ତ୍ତ ଆକର୍ଷଣରେ ବାନ୍ଧି ହୋଇଯାଇଥିଲେ ଆପଣ।
ହରପ୍ରସାଦ ଦାସ: ଏଠି ଆଉ ଗୋଟିଏ କଥା କହିବାକୁ ମନ ହେଉଛି, ମୋତେ କିଏ ପଢେଇଥିଲା ସାହିତ୍ୟ? ମୁଁ ମାଟ୍ରିକୁଲେସନ୍ ପାସ୍ କରିଥିଲି କଳାହାଣ୍ଡିରୁ। ମୋତେ ସାହିତ୍ୟ ପଢାଇଥିଲେ ମୋର ଗାଁ ଶିକ୍ଷକ। କଳାହାଣ୍ଡିଆ ମାଷ୍ଟ୍ର ମୋତେ ସାହିତ୍ୟ ପଢାଇଥିଲେ। ମୋର ପ୍ରଥମ ସାହିତ୍ୟ ଶିକ୍ଷା ପାଇଥିଲି ମୋର ଶିକ୍ଷକ ଶ୍ରୀ ଧବଳେଶ୍ୱର ବେହେରାଙ୍କଠାରୁ। ସେ ଦିନେ ପଢାଉଥିଲେ ମଧୁସୂଦନଙ୍କ କବିତା, “କୋଟି ଲାବଣ୍ୟନିଧି ରେ ପଦ୍ମ ତୁହି।” ସ୍କୁଲ୍ ବାହାରେ ଗୋଟିଏ ଗାଡିଆ ଥିଲା। ସେଥିରେ ଦେଖିଲି ଯେ ପଦ୍ମ ଫୁଲଟିଏ ଫୁଟିଛି। ମୁଁ ତା’କୁ ଝରକା ବାଟେ ଏକା ଲୟରେ ଅନେଇ ରହିଥାଏ। ସେ କହିଲେ, “ବାବୁରେ, ତୁ କ’ଣ ପଦ୍ମ ଦେଖୁଛୁ? କିନ୍ତୁ ମନେରଖିବୁ, କବିତାର ପଦ୍ମ ଓ ପୋଖରୀର ପଦ୍ମ ଏକା କଥା ନୁହନ୍ତି।” ଏମିତି ଭାବରେ ସାହିତ୍ୟର ମୂଳଦୁଆ ପଡିଥିଲା ମୋ’ର ସ୍କୁଲ ଜୀବନରେ।
ସାହିତ୍ୟ ଚର୍ଚ୍ଚା: ଏବଂ ରେଭେନ୍ସାରେ ବି!
ହରପ୍ରସାଦ ଦାସ: ଆପଣ ରେଭେନ୍ସାର ଛାତ୍ର ଥିଲେ କି?
ସାହିତ୍ୟ ଚର୍ଚ୍ଚା: ଆଜ୍ଞା ହଁ।
ହରପ୍ରସାଦ ଦାସ: ସେଠାକାର ଟେନିସ୍ ଫିଲ୍ଡ କଥା ମନେ ପଡୁଛି? ସେଇ ଟେନିସ୍ ଫିଲ୍ଡରେ ଜହ୍ନରାତିରେ ଆମେ ବନ୍ଧୁମାନେ ବସୁ। ସେଇଠି ଯାବତୀୟ ଗୁଲି ଗପ ବିଷୟରେ କଥା ହେଉ। କିନ୍ତୁ ସେଇଠି ‘ଦି ଆଉଟ୍ ସାଇଡ଼’ର ସେତେବେଳକାର ପ୍ରସିଦ୍ଧ ଲେଖକ କଲିନ୍ ୱିଲସନଙ୍କ କଥା ବି ପଡେ। ତାଙ୍କର ‘ଆଉଟସାଇଡ଼ରିଜମ୍’ର ନିଶାରେ ଆମେ ବାୟା। ତାହାରି ପ୍ରଭାବରେ ବୋଧହୁଏ ଜାଗ୍ରତ ହେଲା ବୌଦ୍ଧିକ ଜିଜ୍ଞାସା। ଏହାହିଁ ବୋଧହୁଏ ଆପଣ ପ୍ରଥମରୁ ମୋର ବୌଦ୍ଧିକ ଉତ୍ତେଜନା ବୋଲି ଯାହା କହିଲେ, ତା’ର ମୂଳ କାରଣ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ବୋଧହୁଏ ଏହି ତଥାକଥିତ ବୌଦ୍ଧିକତାରୁ ଆପଣଙ୍କର ମୋହଭଙ୍ଗ ହୋଇଛି।
ହରପ୍ରସାଦ ଦାସ: ସେ ମୋହଭଙ୍ଗ ବି କେମିତି ହୁଏ ତାହାର ରୋଚକ କାରଣ ଅଛି। ‘ଦିଗନ୍ତ’ ବୋଲି ଗୋଟିଏ ପତ୍ରିକା ବାହାର କରୁଥିଲେ ସଚ୍ଚିଦାନନ୍ଦ ରାଉତରାୟ। ଦିନେ ସେ ମୋତେ କହିଲେ କବିତାଟିଏ ଦେବାକୁ। ମୁଁ କବିତା ପଠାଇଲି ଏବଂ ସେଇଟି ପ୍ରକାଶିତ ମଧ୍ୟ ହେଲା। ଦେଖିଲି ଯେ ସେଥିର ଶେଷ ଦୁଇ ଧାଡ଼ି ବଦଳିଯାଇଛି। ସେତେବେଳେ ମନରେ ମୋର ଅହଙ୍କାର ଥିଲା, ଅର୍ଥାତ୍ ସୃଜନର ଅହଙ୍କାର, ଯେ ମୁଁ ଏକାନ୍ତ ଅନନ୍ୟ ଏବଂ ମୋର ରଚନା ଅନ୍ୟ କାହାକୁ ଅନୁକରଣ କରେନାହିଁ। ସଚ୍ଚିଦାନନ୍ଦ ରାଉତରାୟଙ୍କ ପାଖରେ ପହଞ୍ଚି କହିଲି, “ସାର୍, ସେ କବିତାର ଶେଷ ଦୁଇ ଧାଡି ତ ମୋ’ର ନୁହେଁ। ଆପଣ ତାକୁ ବଦଳାଇଛନ୍ତି। ଆପଣ କେମିତି ବଦଳାଇପାରିଲେ ତାହା?”
ସାହିତ୍ୟ ଚର୍ଚ୍ଚା: ଆପଣ ତାଙ୍କୁ ଏମିତି କହିବା ତ ଏକ ଦୁଃସାହସିକ କାର୍ଯ୍ୟ!
ହରପ୍ରସାଦ ଦାସ: ଦେଖନ୍ତୁ, ସତର ବର୍ଷ ବୟସ। ଚ୍ୟାଲେଞ୍ଜ କାହାକୁ କରାହେଉଛି, ନା ମହାକବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ। ସେ କହିଲେ, “ତୁମ କବିତା ଭଲ ହୋଇଥିଲା, ଯେ ମୁଁ ଭାବିଲି, ତା’ର ଶେଷ ଧାଡ଼ିଟା ଏମିତି ହେଲେ ଭଲ ଲାଗିବ।” ମୁଁ ଉତ୍ତର ଦେଲି, “ଆପଣଙ୍କର ସେ ଅଧିକାର ନାହିଁ।”
ସାହିତ୍ୟ ଚର୍ଚ୍ଚା: ଏହାର କି ପ୍ରତିକ୍ରିୟା ଥିଲା, ସଚ୍ଚିିଦନନ୍ଦ ରାଉତରାୟଙ୍କର?
ହରପ୍ରସାଦ ଦାସ: ସେ କହିଲେ, “ହଉ, ତୁମେ ଯଦି ଚାହୁଁଛ, ଏହି କବିତାଟି ମୁଁ ପୁଣି ଆସନ୍ତା ସଂଖ୍ୟାରେ ଯେମିତି ଅଛି ସେମିତି ଛାପିଦେବି।” ମୁଁ ସନ୍ତୁଷ୍ଟ ହୋଇ ଫେରିଆସିଲି। କିନ୍ତୁ ସେ ସେକଥା କହିବାର ୨୫ ବର୍ଷ ପରେ ଦିନେ ହଠାତ୍ ମୋ’ର ଧାରଣା ହେଲା ଯେ ସେ ଯାହା ଲେଖିଥିଲେ ସେଇଟା ହିଁ ଠିକ୍। ପୂର୍ବରୁ ମୁଁ ଯାହା ଭାବୁଥିଲି ସେଇଟା ଭୁଲ ଥିଲା।
ସାହିତ୍ୟ ଚର୍ଚ୍ଚା: ଏହା ତେବେ ଆପଣଙ୍କର ମୋହ ଭଙ୍ଗର କାହାଣୀ!
ହରପ୍ରସାଦ ଦାସ: ଏହା ଏକପ୍ରକାରର ମୋହଭଙ୍ଗ ଆଜ୍ଞା। କବିତାର ଛନ୍ଦ, କବିତାର ଭାଷା, କବିତାର ଲୟ – ଏସବୁ ଭିତରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଶିଖିବାକୁ ହୋଇଥାଏ, କେଉଁଠୁ ନା କେଉଁଠୁ।
ସାହିତ୍ୟ ଚର୍ଚ୍ଚା: ଶୁଣାଯାଏ ଯେ ଆପଣ କିଛି ବର୍ଷ ପାଇଁ ସାହିତ୍ୟ ରଚନାରୁ ସନ୍ନ୍ୟାସ ମଧ୍ୟ ନେଇଥିଲେ। ଏମିତି କାହିଁକି?
ହରପ୍ରସାଦ ଦାସ: ଚାକିରୀ ଜୀବନ ଆରମ୍ଭ କରିଥିଲି ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ ଭାବରେ। ତା’ପରେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲି, ଏବଂ ତାଲିମ ପାଇଁ ମସୌରୀ ଗଲି। ସେଠି ହଠାତ୍ ଗୋଟିଏ ଦିନ ନିଜକୁ ଗୋଟିଏ ପ୍ରଶ୍ନ କଲି ଯେ, ମତେ କିଛି ଉତ୍କୃଷ୍ଟ ସାହିତ୍ୟ ଅଛି ପଢିବାକୁ; ମୁଁ ପୁଣି ନିଜେ ଲେଖିବା କ’ଣ ଦରକାର? ଏହାର ଆବଶ୍ୟକତା ନାହିଁ। ମୁଁ ଏଥର କେବଳ ଅନ୍ୟମାନଙ୍କୁ ପଢିବି। ଏଥିପାଇଁ ପୂରା ବିଶ୍ୱର ବିସ୍ତୀର୍ଣ୍ଣ କ୍ଷେତ୍ର ମୋ ସାମନାରେ ଖୋଲା ପଡିଛି। ଏମିତି ଦଶ ବର୍ଷ ବିତିଗଲା ଯେଉଁ ସମୟରେ ମୁଁ କିଛି ଲେଖିନାହିଁ। ମୁଁ ସେତେବେଳକୁ ଭାରତ ଏବଂ ଭାରତ ବାହାରେ ବିଭିନ୍ନ ସ୍ଥାନରେ ନିଜର ପୋଷ୍ଟିଂ କାଳରେ ଯେତେବେଳେ, ଯେଉଁଠୁ ବି କିଛି ବହି ପାଏ, ପଢିପକାଏ।
ସାହିତ୍ୟ ଚର୍ଚ୍ଚା: ତେବେ ଅଧ୍ୟୟନରେ ବିତିଗଲା ଦଶବର୍ଷ?
ହରପ୍ରସାଦ ଦାସ: ହଁ, କେବଳ ଅଧ୍ୟୟନ।
ସାହିତ୍ୟ ଚର୍ଚ୍ଚା: ଏହା ନିଜର କବିତା ଲେଖିବା ପ୍ରତି ବି ଏକ ବିତୃଷ୍ଣା ଭାବ ଆସିଯିବାର କାରଣ ନଥିଲା ତ?
ହରପ୍ରସାଦ ଦାସ: ନା, ନା। କବିତା ଭିତରେ ତ ମୁଁ ବୁଡି ରହିଥିଲି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏତେ ଗଭୀରକୁ ବୁଡିଗଲେ ଯେ କବିତା ରଚନାରୁ ଦୂରେଇଗଲେ, ଏ କେମିତି!
ହରପ୍ରସାଦ ଦାସ: ମୁଁ ଏତେ ଗଭୀରକୁ ଗଲି, ଯେ ମୋ’ର ମନେହେଲା ଯେ ମୁଁ ପଢୁଥିବା ସବୁତକ କବିତା ହିଁ ମୋ’ର। ଆଉ ଲେଖିବି କ’ଣ!
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଏକ କବିତା ସଂକଳନ, ‘ଏକ ଅପାର୍ଥିବ ପ୍ରେମ କବିତା’ – ଏଥିରେ ଅଛି ଦାମ୍ପତ୍ୟ ଜୀବନର ଏକ ଅନୁପମ ପ୍ରତିଫଳନ। ଏ କବିତା ପଛର ଅଭିଜ୍ଞତାଟି କ’ଣ?
ହରପ୍ରସାଦ ଦାସ: ଜାଣେନା କାହିଁକି, ଏହି ବହିଟି ବଜାରରୁ ସାଙ୍ଗେ ସାଙ୍ଗେ ସରିଗଲା। ଏଇଟି ଚର୍ଚ୍ଚାକୁ ଆସିଥିଲା। କେତେ ପ୍ରକାର ଅନୁଭୂତିକୁ ନେଇ ସେ କବିତା। ମୁଁ ଦିଲ୍ଲୀରେ ଥିବାବେଳେ ଭାବିଲି ଯେ ଗୋଟିଏ ସ୍ୱାମୀ ଏବଂ ସ୍ତ୍ରୀ ର ସମ୍ପର୍କ ଭିତରେ କ’ଣ ଥାଏ? ପଶ୍ଚିମ ଦେଶମାନଙ୍କରେ ପ୍ରତ୍ୟେକ ମୁହୂର୍ତ୍ତରେ “ଆଇ ଲଭ୍ ୟୁ” କୁହାଯାଏ। ସେ ଭିତରେ ହଜାରେ ଲଭିଂ ଓ କିସିଂ ମଧ୍ୟ ହୋଇଯାଏ। ଆମ ଓଡ଼ିଆ ଦାମ୍ପତ୍ୟ ଜୀବନରେ, ବା ଭାରତୀୟ ଜୀବନରେ, ସ୍ୱାମୀର ମୃତ୍ୟୁ ପର୍ଯ୍ୟନ୍ତ ସ୍ତ୍ରୀଟିଏ ନିଜର ସ୍ୱାମୀକୁ କେବେ କହେନାହିଁ, “ଆଇ ଲଭ୍ ୟୁ।” କିନ୍ତୁ ଯଦି ସେ ‘ଲଭ୍ ୟୁ’ଟା ନଥାଆନ୍ତା, ସେମାନେ ପଚାଶ ବା ଷାଠିଏ ବର୍ଷ କାଳ ପରସ୍ପର ସହିତ ରହିପାରିନଥାନ୍ତେ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ କବିତାର ଭବିଷ୍ୟତକୁ ଆପଣ କେମିତି ଦେଖନ୍ତି?
ହରପ୍ରସାଦ ଦାସ: ମୁଁ ଏ ବିଷୟରେ ଆଶାବାଦୀ। ମୋ’ର ଧାରଣା ଯେ କବିତା ହେଉଛି ଗୋଟିଏ ଭାଷା। ଏହା ଭାଷାର ଏକ ଉତ୍ପାଦ ନୁହେଁ। ଏଣୁ ଯେତେଦିନ ପର୍ଯ୍ୟନ୍ତ ମଣିଷ ଜାତି ତିଷ୍ଠିରହିଛି ଭାବ ସଂଚାରର ଏକ ଭାଷା ଭାବରେ କବିତା ତିଷ୍ଠିରହିବ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସାରସ୍ୱତ ଚର୍ଚ୍ଚାଟି ପାଇଁ ଆପଣଙ୍କୁ ଅଜସ୍ର ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର , ୨୦୨୨ ସଂଖ୍ୟାରେ ପ୍ରକାଶିତ । )
Pleasant reading.
ଏହି ସାକ୍ଷାତକାରଟି ବହୁ ସୁନ୍ଦର ହୋଇଛି।
ଜଣେ ନିର୍ଭିକ ସାହିତ୍ୟିକ ଭାବରେ ସରକାର ହୁଅନ୍ତୁ ବା ବିରୋଧୀ ଦଳ ହୁଅନ୍ତୁ, ସମାଜର କୌଣସି ମୁର୍ଦ୍ଧନ୍ୟ ବ୍ୟକ୍ତି ହୁଅନ୍ତୁ ଯେଉଁମାନେ ସମାଜ ବିରୋଧୀ, ସେମାନଙ୍କୁ ନିଜ ପ୍ରବନ୍ଧରେ ରୋକଠୋକ ଜବାବ ଦିଅନ୍ତି ହରପ୍ରସାଦ ଦାସ।
ଏଭଳି ଜଣେ ମହାନ କବିଙ୍କ ସହିତ ବାର୍ତ୍ତାଳାପ କରି ତାଙ୍କ ବିଷୟରେ ଜାଣିବାକୁ ସୁଯୋଗ ଦେଇଥିବାରୁ ସାହିତ୍ୟ ଚର୍ଚ୍ଚାର ସମ୍ପାଦକଙ୍କୁ ଅଶେଷ ଧନ୍ୟବାଦ।
There are lapses but literature accommodates….
ସାକ୍ଷାତ୍କାରଟି ଭଲ ଲାଗିଲା। ମୁଁ ବହୁତ୍ କିଛି ଶିଖିଲି।