![](https://www.sahityacharcha.com/wp-content/uploads/2022/05/Book-Bou-4-1-697x1024.jpg)
‘ବୋଉ’ଙ୍କୁ ଆଧାର କରି ଉଚ୍ଚମାନର ଗଳ୍ପମାନଙ୍କର ଏଭଳି ସଂକଳନଟିଏ ନିଶ୍ଚିତ ରୂପେ ଏକ ଅଭିନବ ପରିକଳ୍ପନା। ଅବଶ୍ୟ ଆମ ଜୀବନର ଏଭଳି କେବଳ ଜଣେ ନିଆରା ଶ୍ରେଣୀର ବ୍ୟକ୍ତିତ୍ୱକୁ ନେଇ ଓଡ଼ିଆ ଭାଷାରେ ପୂର୍ବରୁ ଯେ ଗଳ୍ପ ସଂକଳନ ପ୍ରକାଶିତ ନ ହୋଇଛି ତା’ନୁହେଁ, କିନ୍ତୁ ଆଲୋଚ୍ୟ ପୁସ୍ତକଟିର ବିଶେଷତ୍ବ ହେଲା, ଆମ ସମସ୍ତଙ୍କ ଜୀବନକୁ ଗଢ଼ିବାରେ ଅନୁପମ ଭୂମିକା ତୁଲାଇଥିବା ବୋଉଙ୍କର ଦେବୋପମ ବ୍ୟକ୍ତିତ୍ୱର ଏକ ଅନନ୍ୟ ଅନୁଶୀଳନ ଦେଖିବାକୁ ଏଥିରେ ସ୍ଥାନିତ ପ୍ରତ୍ୟକଟି ଗଳ୍ପରେ। ପ୍ରବୀଣ ଗଳ୍ପକାରମାନଙ୍କ ପରିପକ୍ୱ କଲମରେ ବୋଉମାନଙ୍କର ସ୍ୱରୂପ ଏଥିରେ ଫୁଟି ଉଠିଛି ମନ୍ମୟ ଭାବରେ।
ସୁଦୃଶ୍ୟ ପରିପାଟୀ ସଂପନ୍ନ ଏହି ସଙ୍କଳନଟିର ପ୍ରଥମ ତିନୋଟି ପୃଷ୍ଠାରେ ଅଙ୍କିତ ହୋଇଛି ତିନୋଟି ଆପ୍ତ ବଚନ: (୧) ବୋଉ… ସ୍ନେହର ସାଗର (୨) ବୋଉ… ମମତାର ମନ୍ଦିର (୩) ବୋଉ… ଦୟା, ପ୍ରେମ କରୁଣାର ମୂର୍ତ୍ତିମନ୍ତ ଅବତାର। ବୋଉଙ୍କର ଏହି ସ୍ନେହ, ମମତା, ଦୟା, ପ୍ରେମ ଓ କରୁଣାର ମରମଛୁଆଁ ଚିତ୍ର ପ୍ରସ୍ତୁତ କରିବାପାଇଁ ବିବିଧ ଭାବ ଓ ରଂଗ ନେଇ ଗଳ୍ପକାରମାନେ ଯେମିତି ଓହ୍ଲାଇ ଆସିଛନ୍ତି ପାଠକ ସାମନାକୁ।
ଉଦାହରଣ ସ୍ୱରୂପ, ସଂକଳନଟିର ପ୍ରଥମ ଗଳ୍ପ, ‘ଶାବକ’ରେ ଦିବଂଗତ ବିଶିଷ୍ଟ ଗାଳ୍ପିକ ଚନ୍ଦ୍ରଶେଖର ରଥ କହନ୍ତି,”ମୁଁ ବେଳେବେଳେ ଭାବେ, ଏ ଓଲୀ ବୋଉଟା କାହିଁକି ଏଠି ଅଛି? ସବୁଦିନ ବୁହାଏ ଲେଖା କଳି ଲାଗୁଚି, ମୁଣ୍ଡ ବାଡେଇ କାନ୍ଦୁଛି, ହେଲେ ଗଜି-ସାଆନ୍ତପୁର କେତେ ବା ବାଟ। ସେଇଠି ମାମୁଘର, ଉଆସ ପରି …।” ବୋଉ ତ ନୁହେଁ, ସେ ଏକ କୂହେଳି, ଯାହାର ରହସ୍ୟ ଭେଦିବା ତା’ କୋଡ଼ର କୌଣସିଟି ଅଲିଅଳଙ୍କ ପକ୍ଷରେ ସହଜସାଧ୍ୟ ନୁହେଁ। ତା ମନର ନମନୀୟତା, ତା’ ବାତ୍ସଲ୍ୟର ଆତ୍ମିୟତା ଏବଂ ତା’ ଲୁହର ଗଭୀରତାର ଏକ ଅନୁପମ ଗାଥା ଏଥିରେ ପରିବେଷଣ କରିଛନ୍ତି ଲେଖକ।
ପୁସ୍ତକରେ ଅନ୍ତର୍ଭୁକ୍ତ ହୋଇଥିବା ତିରିଶିଟି ଯାକ ଗଳ୍ପରେ ବୋଉର ମନସ୍ତତ୍ୱର ଏପରି ଭଳିକି ଭଳି ଦିଗ ଉନ୍ମୋଚିତ ହୋଇଯାଇଛି ସାର୍ଥକ ଭାବରେ। ସାତକଡି ହୋତା, ଶାନ୍ତନୁ କୁମାର ଆଚାର୍ଯ୍ୟ, ମନୋଜ ଦାସ, ବୀଣାପାଣି ମହାନ୍ତି, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ ଓ ଏହିଭଳି ଆହୁରି ବହୁ ସ୍ୱନାମଧନ୍ୟ ଲେଖକ ଓ ଲେଖିକାଙ୍କ ନିଜସ୍ୱ ବିବିଧ ଦୃଷ୍ଟିଭଙ୍ଗୀରେ ବୋଉ ଚରିତ୍ରଟିର ରୂପାୟନ ପାଠକମାନଙ୍କ ପାଇଁ ଆଣିଦେଇଛି ଈଶ୍ଵରଙ୍କ ଅନ୍ୟତମ ଅବତାର ଭାବରେ ପରିଗଣିତ ଜନନୀମାନଙ୍କୁ ନିବିଡ଼ ଭାବେ ଅନୁଭବିବାର ଏକ ମହାର୍ଘ ଅବସର।
ସଂକଳିତ ଅଧିକାଂଶ ଗଳ୍ପରେ ରଚନାକାରମାନେ ବୋଉର ବୃତ୍ତାନ୍ତ ବଖାଣିଛନ୍ତି ପ୍ରଥମପୁରୁଷ ଏକବଚନରେ। ଏପରିକି ମନେହୁଏ ଯେମିତି ଗଳ୍ପମାନଙ୍କର ‘ମୁଁ’ରେ ପ୍ରତିଫଳିତ ହୋଇଛି ଲେଖକମାନଙ୍କର ଆତ୍ମଜୀବନୀମୂଳକ ସତ୍ତା। ବୋଉର କଥା କହିଲା ବେଳେ ଆମେ ଭାବାବେଗ ବଶତଃ କେମିତି ହୋଇଯାଉ ନିହାତି ସରଳ ଓ ଅନୌପଚାରିକ, ତାହାର ସ୍ପଷ୍ଟ ଆଭାସ ମିଳେ ଗଳ୍ପଗୁଡିକର ଶୈଳୀ ଓ ଭାଷାବିନ୍ୟାସକୁ ଲକ୍ଷ୍ୟ କଲେ। ଏଣୁ ଭାଷାର ସମ୍ଭ୍ରାନ୍ତପଣିଆ ବା ସାହିତ୍ୟିକ ପାଣ୍ଡିତ୍ୟ ସହଜରେ ଦୃଷ୍ଟିରେ ପଡେନାହିଁ ସନ୍ନିବେଶିତ ଗଳ୍ପଗୁଡିକରେ।
ଏହି ଧରଣର ଏକ ନିଆରା ପରିକଳ୍ପନା ନେଇ ପ୍ରସ୍ତୁତ ସଂକଳନଟିରେ ଗଳ୍ପଗୁଡିକ ଉପସ୍ଥାପିତ ହେବା ପୂର୍ବରୁ ଏକ ‘ଭୂମିକା’ ବା ‘ମୁଖବନ୍ଧ’ଟିଏର ଅଭାବ ଅନୁଭୂତ ହେଲା, ଯେଉଁଥି ପ୍ରତି ସଂପାଦକ ମହୋଦୟ ଦୃଷ୍ଟି ଦେଇଥିଲେ ଆହୁରି ଭଲ ହୋଇଥାଆନ୍ତା ବୋଲି ମନେହୁଏ।
ନିହାର ଶତପଥୀ
ଚମତ୍କାର ଗଳ୍ପ ସଂକଳନ,
ପୁସ୍ତକ ସମୀକ୍ଷା ରେ “ବୋଉ ” ସଙ୍କଳନର ଗଳ୍ମ ଗୁଡିକ ର କିୟଦଂଶ ହେଉ ବା ଆପ୍ତ ବାକ୍ୟ ଖୁବ୍ ଚମତ୍କାର।