ପ୍ରାୟଶ୍ଚିତ୍ତ

ଡ. ଅଭୟ କୁମାର ନାୟକ

ଜଣେ ପୁରୁଷର ସଫଳତା ପଛରେ ଯେ ଜଣେ ନାରୀର ହାତ ଥାଏ ଏହା ଅଜୟବାବୁ ଉପଲବ୍ଧି କରୁଥିଲେ ମଧ୍ୟ କେବେବି ପ୍ରକାଶ କରିନାହାନ୍ତି। ତା’ର କାରଣ ମଧୁସ୍ମିତା ନିଜେ। ନାଁଟା ମଧୁସ୍ମିତା ହେଲେ କ’ଣ ହେବ କିନ୍ତୁ ବେଳେବେଳେ ମଧୁଙ୍କର କଣ୍ଠ ହୋଇଉଠେ ଅତ୍ୟନ୍ତ କର୍କଶ। ସେଦିନ ବି ସେମିତି ହୋଇଥିଲା। ମଧୁସ୍ମିତା ତାଙ୍କ କର୍କଶ କଣ୍ଠରେ ପତିଦେବ ଅଜୟ ବାବୁଙ୍କୁ ଆକ୍ଷେପ କରି କହୁଥିଲେ:
“ତୁମେ କ’ଣ ଯାହା କଲ ଠିକ୍ କଲ ! ଲୋକଟାର ପାଞ୍ଚଟଙ୍କା କମ୍ କରିବାକୁ ଯାଇ ତା’ର ପନ୍ଦର ଟଙ୍କା ଆତ୍ମସାତ୍ କରିବାର ହକ୍ ତୁମକୁ ଦେଲା କିଏ ! ମାନିଯାଅ ତୁମେ ଭୁଲ କରିଛ !”
ମଧୁସ୍ମିତାଙ୍କର ଏତିକି କଥାରେ ଶରବିଦ୍ଧ ଚଢ଼େଇଟିଏ ପରି ଅଜୟ ବାବୁ ଲଥ୍ କରି ଲୋଟି ପଡ଼ିଲେ ଖଟ ଉପରେ। କଥାଟା ତାଙ୍କୁ ଏମିତି ବ୍ୟଥିତ କରୁଥିଲା ଯେ ଦୁହିଁଙ୍କ ଝଗଡ଼ାର ଶତ ପ୍ରତିଶତ ପୁରୁଷ ପଣିଆ ହଠାତ୍ ପଚାଶ ପ୍ରତିଶତକୁ ଖସି ଆସିଲା। କିନ୍ତୁ ପୁରୁଷ ପଣିଆ ଜାହିର କରିବା; ସ୍ତ୍ରୀକୁ ଦବେଇ ରଖିବା ପ୍ରବୃତ୍ତିରୁ ନିଜକୁ ନିବୃତ୍ତ କରି ନ ଥିଲେ ଅଜୟ ବାବୁ।


ଅଜୟ ବାବୁ କହୁଥିଲେ, “ଯୁକ୍ତିର ପ୍ରସଙ୍ଗତ ଥିଲା ପିଲାଙ୍କ ପାଠପଢ଼ାର ଖର୍ଚ୍ଚ ଉପରେ, କିନ୍ତୁ ତୁମେ କ’ଣ ପାଇଁ ଅମୃତସର ଘଟଣାର ଏଠି ଉଦାହରଣ ଦେଉଛ ? କଥା ତ ରହିଛି ନୈତିକତା ଉପରେ…।”
ମଧୁସ୍ମିତାଙ୍କର କଣ୍ଠ ଆହୁରି କର୍କଶ ହୋଇ ଉଠିଲା। “ମୁଁ ବି ସେହି ନୀତି ଓ ଆଦର୍ଶର କଥା କହୁଛି। ବୁଢା ରିକ୍ସା ବାଲାଟା ତୁମକୁ ଟାଣି ଟାଣି ଆଣିଲା ସ୍ୱର୍ଣ୍ଣ ମନ୍ଦିରରୁ ଦୁର୍ଗିଆନା ମନ୍ଦିର ପର୍ଯ୍ୟନ୍ତ। କ’ଣ ପାଞ୍ଚଟଙ୍କା ଅଧିକ ଦେଇ ଦେଇଥିଲେ ତୁମ ଭଣ୍ଡାର ସରିଯାଇଥାନ୍ତ? ଆଜି ଲକ୍ଷ ଲକ୍ଷ ଟଙ୍କା ମନ୍ଦିର ନିର୍ମାଣ ପାଇଁ, ରୋଗୀ ସେବା ପାଇଁ ଖର୍ଚ୍ଚ କରୁଛ କିନ୍ତୁ ସେଦିନ ପାଞ୍ଚଟା ଟଙ୍କାରେ ଲୋକଟା କେତେ ଆନନ୍ଦ ପାଇଥାନ୍ତା। କିନ୍ତୁ ପାଞ୍ଚଟଙ୍କା ଦେଲ ନାହିଁ ତ ଦେଲ ନାହିଁ ତା’ର ପନ୍ଦର ଟଙ୍କା ବି ରଖିଦେଲ ! ଏହା କେଉଁ ନୀତି ! କେଉଁ ଆଦର୍ଶ !”
ଯେତେବେଳେ କଥା ଜଟିଳତା ଆଡ଼କୁ ଯାଏ ଆଉ ସାମ୍ଭାବ୍ୟ ପରାଜୟ ସମ୍ମୁଖକୁ ଆସୁଥାଏ ବଡ଼ ପାଟି କରି ଅଜୟ ବାବୁ ଘରୁ ବାହାରି ଯାଆନ୍ତି।
“ଥାଉ ଥାଉ – ଆଉ ବେଶି କଥା କୁହନା” – ଏତିକି କହି ଅଜୟ ବାବୁ ଘରୁ ବାହାରି ଗଲେ। ଯେଉଁଦିନ ମଧୁସ୍ମିତାଙ୍କ ସଙ୍ଗେ ମନୋମାଳିନ୍ୟ ହୁଏ ସେଦିନଟିରେ ନିଶ୍ଚୟ କିଛି ଅଘଟଣ ଘଟିବ ହିଁ ଘଟିବ ଅଥବା ଅଫିସର ବାତାବରଣ କ୍ଷୁର୍ଣ୍ଣ ହୋଇଉଠିବ।
ଅଜୟବାବୁ ଅଫିସ୍ ଯିବା ପାଇଁ କାର୍ ଷ୍ଟାର୍ଟ କଲେ। ଅଫିସ୍‌ରେ ପହଞ୍ôଚବା ପର୍ଯ୍ୟନ୍ତ ତାଙ୍କ କାନ ପାଖରେ ଗୋଟିଏ ଧାଡ଼ିର କଥା ପ୍ରତିଧ୍ୱନିତ ହେଉଥାଏ – “ମାନିଯାଅ ତୁମେ ଭୁଲ କରିଛ !”
ଭୁଲ୍ ଠିକ୍‌ର ହିସାବ ନିକାଶ କରୁଥିଲେ ଅଜୟବାବୁ। ମଧୁସ୍ମିତାଙ୍କୁ ସେ ଦୋଷ ଦେଉ ନ ଥିଲେ। ଅନ୍ୟ ପକ୍ଷରେ ସେ ଜୀବନର ଏକ ଅନନ୍ୟ ଅବଶୋଷରୁ ମୁକୁଳିବା ପାଇଁ ଚେଷ୍ଟା କରୁଥିଲେ।
କାଲିପରି ଲାଗୁଛି ୨୦୦୩ ମସିହା ଅମୃତସର ସହରରେ ଘଟିଥିବା ସେଇ ଅତ୍ୟନ୍ତ ସମ୍ବେଦନଶୀଳ କାହାଣୀଟି ଯାହା ଆଜି ବି ଦୁଃଖ ଦେଉଛି ଅଜୟବାବୁଙ୍କୁ ଏକ ଅବଶୋଷ ହୋଇ। ଅଜୟବାବୁ ଯାଇଥାନ୍ତି ଅର୍ଥନୀତି ସମ୍ମିଳନୀରେ ଯୋଗଦେବା ପାଇଁ; ସଙ୍ଗରେ ଥା’ନ୍ତି ସହଧର୍ମିଣୀ ମଧୁସ୍ମିତା ଏବଂ ଚାରିବର୍ଷର ପୁଅ। ଆୟୋଜକଙ୍କ ସହାୟତାରେ ଅଜୟବାବୁ ପହଁଚିଲେ ସ୍ୱର୍ଣ୍ଣ ମନ୍ଦିରରେ। ମନ୍ଦିରର ସାଜସଜ୍ଜା, ଅବସ୍ଥିତି, ପରିଷ୍କାର ପରିଚ୍ଛନ୍ନତା ଅଭିଭୂତ କରୁଥିଲା ଅଜୟ ବାବୁଙ୍କୁ। ହିନ୍ଦୁ ଧର୍ମକୁ ଯଦି କେଉଁ ସମ୍ପ୍ରଦାୟ ପ୍ରକୃତ ମାନ୍ୟ ଦେଉଥାଏ ସେମାନେ ହେଲେ ପଞ୍ଜାବର ଭାଇ ଓ ଭଉଣୀମାନେ। ନୀତି ଓ ଆଦର୍ଶକୁ ଶ୍ରେୟ ଦେଇ ଆଜି ସେମାନେ ଅର୍ଥନୀତି ଓ ସଂସ୍କୃତିର ପ୍ରଗତିରେ ଦେଶର ଅଗ୍ରଣୀ ଭୂମିକାରେ ଉପନୀତ। ତାହାକୁ ମନେ ମନେ ସ୍ୱୀକାର କରୁଥିଲେ। ଅଜୟବାବୁ ଏବଂ ସହଧର୍ମିଣୀ ମଧୁଙ୍କ ସଙ୍ଗେ ବାକ୍ୟ ବିନିମୟ କରୁଥିଲେ ଏହି ପ୍ରସଙ୍ଗକୁ ନେଇ। ତା’ଛଡ଼ା ପୂର୍ବଦିନ ସମ୍ମିଳନୀର ବ୍ୟବସ୍ଥା ଏବଂ ଅତିଥି ସତ୍କାର ବିମୋହିତ କରିଥିଲା ସମସ୍ତଙ୍କୁ।
ସେହି ଜାତିର ଅମ୍ଳାନ କୃତି ଏହି ସ୍ୱର୍ଣ୍ଣ ମନ୍ଦିର। ଅନତି ଦୂରରେ ଜାଲିୱାନ ବାଗ୍। ଯେଉଁଠାରେ ଶହୀଦ୍ ହୋଇଥିଲେ ଏହି ଜାତିର କେତେକ ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ସଂଗ୍ରାମୀ। ବିନା ଦୋଷରେ ଘଟିଗଲା ହତ୍ୟାକାଣ୍ଡ। ହତ୍ୟାକାଣ୍ଡରେ ରକ୍ତବୁହାଇ ଯେତେବେଳେ ଜେନେରାଲ୍ ଡାୟର ଅଟ୍ଟହାସ୍ୟ କରୁଥିଲେ ମୁମୂର୍ଷୁ ଅବସ୍ଥାରେ ରକ୍ତଭିଜା ଶରୀରରେ ହସି ହସି ପ୍ରାଣ ଦେଉଥିଲା ଏ ଜାତିର ପୁଅ। ଘଟଣା ରହିଗଲା ଇତିହାସ ହୋଇ କିନ୍ତୁ ଅଜୟବାବୁଙ୍କୁ ଲାଗୁଥିଲା ସତେ ଯେମିତି ଏହା ଜୀବନ୍ତ ଉପାଖ୍ୟାନଟିଏ।
ସ୍ୱର୍ଣ୍ଣ ମନ୍ଦିର ଓ ଜାଲିୱାନା ବାଗ୍ ବୁଲି ସାରିଲା ପରେ ବି ସମୟ ଥାଏ ହାତରେ। ସନ୍ଧ୍ୟା ହେବାକୁ ଆହୁରି ଘଣ୍ଟାଏ ବାକି ଅଛି। ଅଜୟବାବୁ ପଚାରି ବୁଝିଲେ ଯେ ଅମୃତସରର ଦୁର୍ଗିୟାନା ମନ୍ଦିର ବି ବହୁ ଆକର୍ଷଣୀୟ ମନ୍ଦିର। ପଞ୍ଜାବର ଅଧିବାସୀମାନେ ଯେତିକି ଗୁୁରୁଗ୍ରନ୍ଥ ସାହିବଙ୍କୁ ମାନନ୍ତି ସେତିକି ପରିମାଣରେ ମାନନ୍ତି ମାଆ ଦୁର୍ଗାଙ୍କୁ।
କଂସ ଯେତେବେଳେ ଦେବକୀଙ୍କର ଅଷ୍ଟମ ସନ୍ତାନଟିକୁ ହତ୍ୟା କରିବାକୁ ସମସ୍ତ ସତର୍କତା ଅବଲମ୍ବନ କରିଛି, ତା କବଳରୁ ରକ୍ଷାପାଇବା ଯେ କେବଳ ବିଜୁଳି କନ୍ୟା ମାଆ ଦୁର୍ଗାଙ୍କ ସହାୟତାରେ ସମ୍ଭବ ହେବ – ଏହା ଜଣାଥିଲା ପରଂବ୍ରହ୍ମ ଶ୍ରୀବିଷ୍ଣୁଙ୍କୁ। ବିଷ୍ଣୁଙ୍କର ବିନମ୍ର ଅନୁରୋଧରେ ମାଆ ଦୁର୍ଗା ଜନ୍ମନେଲେ ଯଶୋଦାଙ୍କ କୋଳରେ; ଜନ୍ମ ରାତିରେ ବସୁଦେବ ଆଣିଲେ ମଥୁରାକୁ; ସକାଳୁ କଂସର ରୋଷରେ ମୃତ୍ୟୁମୁଖରୁ ଖସିଯାଇ ଆକାଶ ମାର୍ଗରୁ କଂସକୁ ଚେତେଇ ଦେଲେ, “ତୋତେ ଯିଏ ବିନାଶ କରିବ ସେ ଏ ଧରାରେ ଜନ୍ମନେଇ ସାରଛି। ଖୁବ୍ ଶୀଘ୍ର ତୋ’ର ବଧ ଅବଶ୍ୟ ହେବ।” ଦ୍ୱାପର ଯୁଗରେ ମାଆ ଦୁର୍ଗାଙ୍କର ଭୂମିିକା ଏତିକି – କିନ୍ତୁ ବର ପାଇଲେ କଳିଯୁଗରେ ସାରା ଭାରତ ବର୍ଷରେ ତୁମେ ହେବ ପୂଜନୀୟା, ତୁମେ ହେବ ବନ୍ଦନୀୟା; …ମାଆ ତୁମେ ହେବ ଦୁଃଖୀଟିର ସାହା ଓ ଭରସା। ଆଜି ମାଆ ଦୁର୍ଗା ଅମୃତସର ସହରର ଦୁର୍ଗିୟାନା ମନ୍ଦିରରେ ପୂଜିତା ଏବଂ ସମଗ୍ର ବିଶ୍ୱବାସୀଙ୍କର ଆଶିଷ ଦାୟିନୀ।
ଅଜୟବାବୁ ମନ ବଳାଇଲେ ଦୁର୍ଗିୟାନା ମନ୍ଦିର ଯିବାପାଇଁ। ରିକ୍ସା ମୂଲଚାଲ ହେଲା। କିଏ କହିଲା- ତିରିଶ ଟଙ୍କା ତ କିଏ କହିଲା ପଚିଶ। ଅଜୟବାବୁ ଜିଦ୍ ଧରିଲେ ପନ୍ଦର ଟଙ୍କା। ବୁଢ଼ା ରିକ୍ସାବାଲାଟି ରାଜି ହେଲା ଆସିବାକୁ କୋଡ଼ିଏ ଟଙ୍କାରେ। ତଥାପି ଅଜୟବାବୁଙ୍କର ଏକା ଜିଦ ପନ୍ଦର ଟଙ୍କା। ପଞ୍ଜାବୀ ବୁଢ଼ାଟିର ପଇସାର ଜରୁରୀ ଆବଶ୍ୟକତା ଥିଲା ସମ୍ଭବତଃ। ରିକ୍ସା ବୁଲାଇଲା ଦୁର୍ଗିୟାନା ମନ୍ଦିର ଅଭିମୁଖେ। ଗାଡ଼ି ଚଳାଇବା ପୂର୍ବରୁ କଥାଟିଏ କହିଥିଲା “ସାହେବ୍ ମେହନତ୍ କୋ ଦେଖ୍ କେ ପଇସା ଦେ ଦେନା”( ବାବୁ ପରିଶ୍ରମକୁ ଦେଖି ଉଚିତ ପଇସା ଦେବ)।


ବୃଦ୍ଧ ରିକ୍ସାବାଲାଟିର କଥାରେ ଥିଲା ବିନମ୍ରତା। କିନ୍ତୁ ଅଜୟବାବୁଙ୍କର ସେତେବେଳେ ହୃଦୟଟିଏ ନ ଥିଲା ସେହି ବିନମ୍ର ସ୍ୱରଟିର ଗଭୀରତାକୁ ମାପିବାକୁ । ରିକ୍ସା ପହଁଚିଲା ଦୁର୍ଗିୟାନା ମନ୍ଦିର ସମ୍ମୁଖରେ। ସହଧର୍ମିଣୀ ମଧୁସ୍ମିତା ଓହ୍ଲାଉଥିଲେ ଚାରିବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ଧରି। ଅଜୟ ବାବୁ ପକେଟ୍‌ରୁ ପର୍ଶ ବାହାରକଲେ ଏବଂ ପନ୍ଦର ଟଙ୍କା ବଢ଼ାଇଦେଲେ ରିକ୍ସା ବାଲାଟିକୁ। ପଗଡ଼ିବନ୍ଧା ପଞ୍ଜାବୀ ବୃଦ୍ଧଙ୍କ ରିକ୍ସାଚାଳନାର ପରିଶ୍ରମ ସାଙ୍ଗକୁ ଗମ୍ ଗମ୍ ଝାଳରେ ବୋହି ପଡ଼ୁଥିବା ଲୁହ ସାଙ୍ଗରେ ଯେଉଁ ଦୁଇପଦ କଥା କହୁଥିଲେ ସେଥିରେ ବି ଥିଲା ବିନମ୍ରତା। କିନ୍ତୁ ଅଜୟବାବୁ ତାଙ୍କ ଜିଦ୍‌ରେ ଅଟଳ – ସେ ପନ୍ଦର ଟଙ୍କାରୁ ଗୋଟିଏ ନୂଆ ପଇସା ଅଧିକ ଦେବେ ନାହିଁ।
ବୃଦ୍ଧ ଜଣଙ୍କ ଟିକେ ଉତ୍ତ୍ୟକ୍ତ ହେଲେ ଏବଂ କହିଲେ, “ଆପ୍ ଜବ୍ ବିଶ୍ ରୂପିୟା ନେହିଁ ଦେଙ୍ଗେ,ଏ ପଇସା କୋ ଭି ରଖିୟେ; କାମ୍ ମେ ଆୟେଗା” (ଯଦି ଆପଣ କୋଡ଼ିଏ ଟଙ୍କା ନଦେବେ ସବୁ ପଇସା ରଖନ୍ତୁ ଆପଣଙ୍କର କାମରେ ଲାଗିବ)। ଏତିକି କଥା ଶୁଣିଛନ୍ତି ତ ଅଜୟ ବାବୁ ପନ୍ଦର ଟଙ୍କାକୁ ପର୍ଶରେ ପୂରାଇ ଚାଲିଲେ ଦୁର୍ଗିୟାନା ମନ୍ଦିର ଭିତରକୁ। ମନେ ମନେ ଚିନ୍ତା କରିରଖିଲେ ଯେ ଫେରି ଆସିଲା ବେଳକୁ ଲୋକଟି ତ ନିଶ୍ଚୟ ଥିବ – ତାକୁ କୋଡ଼ିଏ ଟଙ୍କା ଦେଇଦେବେ।
କିନ୍ତୁ ଅଜୟବାବୁଙ୍କ ବିଚାର ଓ ମନକଥା ମନରେ ହିଁ ରହିଗଲା। ତାଙ୍କ ଅହମିକାର ପରାଜୟ ଘଟି ସାରିଥିଲା। ମାଆ ଦୁର୍ଗାଙ୍କର ଦର୍ଶନ ସାରି ଆସିଲା ବେଳକୁ ସମ୍ଭବତଃ ଅଧଘଣ୍ଟାଏ ଯାଇଥିବ। ଯେତେବେଳେ ଅଜୟବାବୁ ମନ୍ଦିରର ଦ୍ୱାର ଦେଶରେ ପହଞ୍ଚନ୍ତି, ନା ଥିଲେ ବୃଦ୍ଧ ପଞ୍ଜାବୀ ରିକ୍ସା ଚାଳକ ନାଁ ଥିଲା ତା’ର ସାଥୀ ରିକ୍ସା। କ୍ଷଣକ ପାଇଁ ବ୍ୟଥିତ ହୋଇପଡ଼ିଲେ ଅଜୟ ବାବୁ। ଦୁଇ ତିନିଜଣ ରିକ୍ସାବାଲାଙ୍କୁ ପଚାରି ବୁଝିଲେ ରିକ୍ସା ଚାଳକ ବିଷୟରେ – କିନ୍ତୁ କେହି ଦେଇପାରିଲେ ନାହିଁ ସଠିକ୍ ଖବର।
ଅଜୟବାବୁ ପୁଣିଥରେ ଗଲେ ଦୁର୍ଗିୟାନା ମନ୍ଦିର ଭିତରକୁ। ପକେଟ୍‌ରୁ ବାହାର କଲେ କୋଡ଼ିଏ ଟଙ୍କା ଏବଂ କ୍ଷେପଣ କଲେ ହୁଣ୍ଡି ଭିତରକୁ। କିନ୍ତୁ…. ମନ ମାନୁ ନ ଥିଲା ଅଜୟ ବାବୁଙ୍କର, ମନ ମାନୁ ନ ଥିଲା ମଧୁସ୍ମିତାଙ୍କର। ମଧୁଙ୍କର ନରମ ସ୍ୱରରେ ସେଇ ଗୋଟିଏ କଥା “ପାଞ୍ଚଟଙ୍କା ମିଶାଇ କୋଡ଼ିଏ ଟଙ୍କା କରି ଦେଇଥିଲେ କ’ଣଟା ଖରାପ ହୋଇଥାନ୍ତା। ସେଇ କୋଡ଼ିଏ ଟଙ୍କା ତ ହୁଣ୍ଡିରେ ପକେଇଲ। କିନ୍ତୁ ଯିଏ ପରିଶ୍ରମ କଲା ତାକୁ ମିଳିଲାକି ? ତା ମୁହଁରୁ ଯେଉଁ ହସ ବାହାରିଥାନ୍ତା ତାହା ହୋଇଥାନ୍ତା ଆମପାଇଁ ଆଶୀର୍ବାଦ। କିନ୍ତୁ ଏବେ… ସବୁ ସେଇ ମାଆ ଦୁର୍ଗାଙ୍କର ଇଚ୍ଛା।” ମାଆ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଉଥିଲେ ମଧୁସ୍ମିତା।
ଦୁର୍ଗିୟାନା ମନ୍ଦିରରୁ ପୁନଶ୍ଚ ରିକ୍ସା ନେଇ ଅଜୟବାବୁ ଯାଉଥିଲେ ସହର ଭିତରକୁ କିଛି ସାମଗ୍ରୀ କିଣିବା ପାଇଁ। ତନ୍ନ ତନ୍ନ କରି ପ୍ରତିଟି ରିକ୍ସାବାଲାର ମୁହଁକୁ ଦେଖୁଥିଲେ – କାଳେ ସେହି ରିକ୍ସାବାଲା ମିଳିଯିବ କି ! ହାତ ଧରି, ଭୁଲ୍ ମାଗି ଗୁଞ୍ଜିଦେବେ କୋଡ଼ିଏ ଟଙ୍କା। ସବୁ ପଗଡ଼ିବନ୍ଧା ରିକ୍ସା ଚାଳକ ଏକାପରି ଦିଶୁଥିଲେ କିନ୍ତୁ ସେଇ ବୃଦ୍ଧଙ୍କର ସେଦିନ ଆଖି ଦୁଇଟି ଆଜିବି ଅଜୟ ବାବୁଙ୍କର ଆଖିଆଗରେ ନାଚିଗଲେ ବ୍ୟଥିତ ହୋଇ ଉଠନ୍ତି ଅଜୟବାବୁ।
ସ୍ୱାଭିମାନୀ ପଞ୍ଜାବୀ ମଉସାଙ୍କର ହୋଇଛି ବିଜୟ। କ୍ଷଣକ ମୋହରେ ଅନ୍ଧ ଅଜୟବାବୁଙ୍କର ହୋଇଛି ପରାଜୟ। ପଞ୍ଜାବ ଧର୍ମଗ୍ରନ୍ଥ ସାହିବରେ ଲେଖା ଅଛି। “ଭଗବାନ ଯେଉଁ ହାତ ଦୁଇଟି ଦେଇଛନ୍ତି ସେଥିରେ ମେହନତ୍ କରି, ରୋଜଗାରକ୍ଷମ ହୋଇ ପରିବାର ପୋଷଣ କରିବ। କାହା ନିକଟରେ ହାତ ପତାଇବ ନାହିଁ କି ଭିକ୍ଷା ମାଗିବ ନାହିଁ।” ଅଜୟବାବୁ ଏହି କଥାଟିକୁ ସାରା ପଞ୍ଜାବ ବୁଲି ଦେଖିଛନ୍ତି କେଉଁଠି ଭିକାରୀଟିଏ ଦେଖିନାହାନ୍ତି – ସେଇ ପଞ୍ଜାବୀ ରିକ୍ସାବାଲାଟି ଷାଠିଏ ବର୍ଷରେ ବି ଟାଣୁଥିଲା ତା’ର ପ୍ରିୟ ରିକ୍ସାଟିକୁ ଯିଏ ଯୋଗାଉଥିଲା ତା’ର ପରିବାର ପାଇଁ ଦି’ଖଣ୍ଡ ରୁଟି।
ଅଜୟବାବୁ ଗୁରୁ ଆଶ୍ରିତ, ନିଘା ପରଂବ୍ରହ୍ମଙ୍କ ସେବାରେ। ପୂଜା, ନାରାୟଣ ସେବା, ମନ୍ଦିର ଗଢ଼ା ପାଇଁ ଅକୁଣ୍ଠିତ ଚିତ୍ତରେ ଦାନ କରନ୍ତି – ଭାବନା ସେଇ କୋଡ଼ିଏ ଟଙ୍କା ଋଣ ଯାହା ସେଇ ରିକ୍ସାବାଲା ମଉସାଟିର ଦୃଷ୍ଟିରେ ଆଜି ପର୍ଯ୍ୟନ୍ତ ଅଜୟ ବାବୁଙ୍କ ପାଖରେ ଅଛି, ଯାହା କଲେ ମଧୁସ୍ମିତାଙ୍କ ତାତ୍ସଲ୍ୟପୂର୍ଣ୍ଣ ବାକ୍ୟରୁ ମୁକ୍ତି ମିଳିବ – ସେଇ ହେବ ପ୍ରାୟଶ୍ଚିତ।
ରାତିପାହିଲେ ବିଶ୍ୱକର୍ମାପୂଜା। ପି.ଏଚ୍‌ଡି. ଅଫିସରେ ହେବ ଜାକ ଜମକରେ ମହାପ୍ରଭୁଙ୍କ ପୂଜା। ପ୍ରତିବର୍ଷ ପରି ରହିଛି, ପାଲା, ପ୍ରବଚନ, ପ୍ରସାଦ ସେବନ- ଯେଉଁଠି ଅଜୟବାବୁ ରହନ୍ତି ତା’ର ଅନତି ଦୂରରେ। ସକାଳୁ ସକାଳୁ କଲିଂବେଲ୍ ବାଜି ଉଠିଲା। ପି.ଏଚ୍‌ଡ଼ି. ଅଫିସର ବାବୁମାନେ ହାତରେ ରସିଦ ବହି ଧରି ଦଣ୍ଡାୟମାନ।
‘ସାର୍ ଚାନ୍ଦା ଦିଅନ୍ତୁ; ବିଶ୍ୱକର୍ମା ପୂଜା ଚାନ୍ଦା’- କର୍ମଚାରୀମାନେ ସମସ୍ତେ ଅଜୟ ବାବୁଙ୍କୁ ମାନନ୍ତି; ତାଙ୍କର ଆଧ୍ୟାତ୍ମିକ ଜ୍ଞାନକୁ ସମ୍ମାନ କରନ୍ତି। ତାଙ୍କ ରଚିତ ଆଧ୍ୟାତ୍ମିକ ପୁସ୍ତକ ସେମାନଙ୍କୁ ଆନନ୍ଦ ଦେଇଛି।
ଅଜୟବାବୁ ପ୍ରଶ୍ନ କଲେ, “କେତେ ଦେବି ? ଆପଣ ଯାହା କହିବେ ତାହା ଅବଶ୍ୟ ମିଳିବ!”
କର୍ମଚାରୀ ଜଣକ କହୁଥିଲେ, “ସାର୍ ଶହେ ଏକ ଦିଅନ୍ତୁ”। ଅଜୟବାବୁ ପ୍ରସ୍ତୁତ ହୋଇ ଆସିଥିଲେ – ହାତରେ ଥିଲା ମନିପର୍ଶ। ମନିପର୍ଶ ଖୋଲୁଛନ୍ତି – ଅଜୟବାବୁ ଦେଖିଲେ ପ୍ରଭୁ ବିଶ୍ୱକର୍ମାଙ୍କ ମୁହଁଟି ଯେମିତି ଠିକ୍ ସେଇ ପଞ୍ଜାବୀ ରିକ୍ସାବାଲା ମୁହଁ ପରି ଦିଶିଗଲା। ଦେଖାଯାଏ ଯେ ଅଧିକାଂଶ ପଞ୍ଜାବୀ ଭାଇ ସଫଳ ମେକାନିକ୍‌ଟିଏ, ଇଞ୍ଜିନିୟରଟିଏ, ଗାଡ଼ି ଚାଳକଟିଏ। ସେଇମାନେ ଚଳନ୍ତି ବିଶ୍ୱକର୍ମା ନୁହନ୍ତି ତ !
ପ୍ରାୟଶ୍ଚିର ସୁଯୋଗ ଭାବି ସେଇ କୋଡ଼ିଏ ଟଙ୍କାର ସୁଧ ସଦୃଶ ଆଉ ଶହେଟଙ୍କା ଯୋଡ଼ି ଅଜୟବାବୁ ବଢ଼ାଇ ଦେଲେ ଦୁଇଟି ଶହେ ଟଙ୍କିଆ ପି.ଏଚ୍‌ଡି. ଅଫିସ୍‌ର କର୍ମଚାରୀଙ୍କ ହାତକୁ। କହୁଥିଲେ, “ଦୁଇଶହ ଏକ କାଟ।” ଅନତି ଦୂରରେ ମଧୁସ୍ମିତା ବୃନ୍ଦାବତୀଙ୍କୁ ଜଳ ଦାନ କରୁଥିଲେ… ମାଆ ଦୁର୍ଗାଙ୍କୁ ଆରାଧନା କରୁଥିଲେ…
ଅଜୟ ବାବୁଙ୍କ ହୃଦ କନ୍ଦରରେ ପ୍ରତିଧ୍ୱନିତ ହେଉଥିଲା – ପ୍ରାୟଶ୍ଚିତ୍ତ… ପ୍ରାୟଶ୍ଚିତ୍ତ…।

2 thoughts on “ପ୍ରାୟଶ୍ଚିତ୍ତ

  1. ଜୟ ଜଗନ୍ନାଥ। ଏକ ବାସ୍ତବଧର୍ମୀ ଗଳ୍ପ।

Leave a Reply

Your email address will not be published. Required fields are marked *