ଆହା, ମୋ କାଞ୍ଜି!

ଡ଼.ଅଭୟ କୁମାର ଦାଶ

ବଜାରରେ କାଞ୍ଜି ର ବିଜ୍ଞାପନ ଦେଖି ମନହେଲା, ଅନଲାଇନରେ ମଗାଇବାକୁ। କେତେଦିନ ହେଲା ବିଭିନ୍ନ ମେଡିଆରେ ପ୍ରଚାର ଦେଖିଛି । ଖୁବ୍ବ ବଡ଼ କେବିସି ତାରକା କହିଚାଲିଛନ୍ତି କାଞ୍ଜି ର ଗୁଣଗ୍ରାମ। ତାଙ୍କ ତୁଣ୍ଡରେ ନବରତ୍ନ ତେଲ , ଗୋଡ଼ଫଟା କ୍ରୀମ , ଘଡ଼ି ସାବୁନ କଥା ଅନେକ ଶୁଣିଥିଲି। ତାଙ୍କ କଥାରେ ମୋର ପୁରା ବିଶ୍ୱାସ। ସେଥିପାଇଁ ପିଲାଙ୍କୁ କହି ଅନଲାଇନରେ ମଗେଇ ଦେଇଛି। ସେ କହୁଥିଲେ, ଏ କାଞ୍ଜି ରେ ଇମ୍ୟୁନିଟି ବୁଷ୍ଟର ଗୋଳେଇ ହେଇ ରହିଛି। କରୋନା ପାଖ ମାଡ଼ିବ ନାହିଁ। ମୋ ଜେଜେ ବାପା କବିରାଜ ଥିଲେ , କହନ୍ତି କାଞ୍ଜି ପାଚନ ବର୍ଦ୍ଧକ ବାୟୁ ନାଶକ ଆଦି। ବାମଦେବ ଆୟୁର୍ବେଦ ସ୍ଂହିତା ରୁ ଉଦ୍ଧାର କରି କାଞ୍ଜି ସପକ୍ଷରେ ବହୁତ ବାକ୍ୟ ବାଢ଼ନ୍ତି। ମୁଁ ବି ଖାଇଛି ମୋ ଜେଜେ ମା’ଙ୍କ ହାତ ରନ୍ଧା କାଞ୍ଜି। ସେ ସାବିତ୍ରୀ ପତ୍ର ଛୁଙ୍କ ର ବାସ୍ନା ମୋ ନାକରୁ ଯାଇ ନାହିଁ। କୋରିଆର ରେ ଆସିଥିବା ଟେଟ୍ରାପ୍ୟାକ୍ ଡ଼ବାଟିକୁ ଖୋଲି ଦେଇ ସାବିତ୍ରୀ ପତ୍ର ର ବାସ୍ନାକୁ ଖୋଜୁଥିଲି। ସାଇଟ୍ରିକ୍ ଏସିଡ଼ ସୋଡିୟମ୍ ମେଟା ବାଇସଲ୍ଫେଟ୍ ପ୍ରିଜରଭେଟିଭ୍ , ଏ କେଉଁ କାଞ୍ଜି ? ମନେପଡିଯାଏ ମୋ ଜେଜେ ମା କଥା।


ଜେଜେ ମା ହାତରନ୍ଧା ସାଗୁଆତି । ସେ ଥିଲା ଶୁଦ୍ଧ ଶାକାହାରି ମାତ୍ର ନାତି ନାତୁଣୀ ମାନଙ୍କୁ ଆଇଁଶ ଖାଇବା ଶିଖେଇବାରେ ଥିଲା ତାର ଆନନ୍ଦ । ବାଡ଼ି ଅଗଣାରେ ଗୋଟାଏ ଉଠାଚୁଲି ରେ ମା ସାଗୁଆତି ରାନ୍ଧେ । ସୋରିଷ ମାଲପା ଘଡିରେ ଲୁହା ର ପଳାଟିଏ ବୁଡେଇ ରଖି ଥାଏ । ଡିବିଟାଏ ଲଗେଇ ପାଖରେ ରଖି ଥାଏ। ନଡ଼ିଆ ପତ୍ରରେ ନିଆଁ ଲଗେଇ ଚୁଲିରେ ନିଆଁ ଧରାଏ । ଛୋଟ ଛୋଟ କାଠ ଖଣ୍ଡିଏ ଖଣ୍ଡିଏ ପକେଇ ଦିକି ଦିକି କରି ଜଳାଏ। ସାଗୁଆତି ରେ ଅମୃତଭଣ୍ଡା ଖୀର ଦିଟୋପା ପକେଇ ଦେଲେ ଭଲ ସିଝେ ବୋଲି ମା ର କହିବା କଥା । ସାଗୁଆତି ରୁ କଣ୍ଟା ବାଛି ଆମକୁ ଚଖାଏ। ତା ପରେ ଆମେ ଶିଖି ଯାଉ। ଖାଇବା ଜିନିଷକୁ ହାଡ଼ କହନ୍ତି ନାହିଁ କଣ୍ଟା କହନ୍ତି ବୋଲି ମା ଆମକୁ ଶିଖାଏ । କାର୍ତ୍ତିକ ମଗୁଶିର ମାସ ହେଇ ଗଲେ କାଞ୍ଜି ବେଳ ଆସିଗଲା ଜାଣ। ମଗୁଶିର ମାସ ପୋଢୁଆଁ ଅଷ୍ଟମୀ ବାସି କାଞ୍ଜିଅଁଳା ପୂଜା। ଶୁଖୁଆ ସାତଟିକୁ ବୋହୁଟିଏ କରି ଦୁଇଟି ଚକୁଳି ପିଠା ସହ କାଞ୍ଜିପାଣି ଭୋଗ ଲାଗିବା ବିଧି। ମା ସଠଦୁସିଙ୍କୁ ସଠି ଦୁଇ ଛାଇ ରୁପେ ପୂଜା କରାଯାଏ , ସନ୍ତାନ ମାନଙ୍କ ମଙ୍ଗଳ କାମନା କରି। ଆମ ଘର ମାନଙ୍କରେ ହାଣ୍ଡିଶାଳର ଗୋଟିଏ ଅଲଗା ମହତ୍ତ୍ଵ ଥିଲା , ଯେପରି ଡାକ୍ତର ଖାନାରେ ଅପରେସନ ଥେଟର। ଅଗାଧୁଆ ଅପାଧୁଆ ତା ପାଖରେ ପଶିବା ମନା। ଯୋତା ଚପଲ କି ବାହାର ପିନ୍ଧା ଲୁଗା କଥା ଭୁଲି ଯାଅ। ମାଟି ଗୋବର ରେ ଲିପାପୋଛା ହୋଇ ଚକ ଚକ ହେଉଥାଏ। ପୁରା ଡିସ ଇନ୍ଫେକ୍ଟେଡ଼ ଜୀବାଣୁ ରହିତ ଏରିଆ। ଏ ହାଣ୍ଡିଶାଳ ରେ ନାନା ହାଣ୍ଡି , ତେଲୁଣି , ପରସୁଣିଆ ରହିଥିବା ଆମ ପରମ୍ପରା ର ଏକ ଅଙ୍ଗ। ନୁଆ ହାଣ୍ଡି ଟିଏ ଆସିଲେ ଧୁଆଧୋଇ ହୋଇ ସିନ୍ଦୂର ଲଗେଇ ମଙ୍ଗୁଳେଇବାକୁ ହୁଏ। ତା ପରେ ସେ ହାଣ୍ଡି ର ସିଂହାସନାରୋହଣ ର ଯୋଗ୍ୟତା ହୁଏ ଚୁଲି ଉପରେ ଓ ହାଣ୍ଡି ଶାଳରେ ପ୍ରବେଶ ର ମାନ୍ୟତା ମିଳେ। ହାଣ୍ଡି ଶାଳ ଘରର ଈଶାଣ କୋଣରେ ହେବା ବିଧି । ସେ ହାଣ୍ଡି ଗୁଡିକ ଟଳିପଡିବା ଭୟରେ ଅଳ୍ପ ଟିକେ ଖାଲ ଖୋଳି ଚାରି ପଟେ ହିଡ଼ଦେଇ ଲିପି ପୋଛି ତେଙ୍ଗେଡା ତିଆରି କରାଯାଇଥାଏ। ପୂଜା ବୈଶୋଦେବ , ଶ୍ରାଦ୍ଧ ତର୍ପଣ ,ବାହାବ୍ରତ ଆଦିରେ ହାଣ୍ଡି ଶାଳ ଓ ହାଣ୍ଡିର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତ ଶୁଭାଶୁଭ କାର୍ଯ୍ୟ ରେ ହାଣ୍ଡି ମଙ୍ଗୁଳା ଓ ହାଣ୍ଡି ଶାଳ ବନ୍ଦାପନା ବିଧି।


ପାଗ ହାଣ୍ଡି ମାନଙ୍କ ଧାଡ଼ି ରେ ଗୋଟିଏ କୋଣକୁ ରହିଥାଏ କାଞ୍ଜିପାଣି ହାଣ୍ଡି। ସେଥିରେ ଉସୁନା ପଖାଳ ତୋରାଣି ରୁ କିଛି କିଛି ସଂଗ୍ରହ ହୋଇ ରହେ। ସେ ତୋରାଣି କୁ ଗୋଟିଏ ତେଲୁଣି ବା ପଲମ ଘୋଡ଼ାଇ ରଖାଯାଏ। ହପ୍ତା ଦଶଦିନ ପରେ ସେ ତୋରାଣି ଟିକିଏ ଆମ୍ବିଳା ହୋଇ ଆସିଲେ କାଞ୍ଜିପାଣି ହେବାପାଇଁ ଯୋଗ୍ୟ ବିବେଚିତ ହୁଏ।
ସେଇ ପାଣିରେ ମୁଳା, ଲାଉ ,କଖାରୁ,ବାଇଗଣ ଆଦି ପକେଇ କାଞ୍ଜି ପ୍ରସ୍ତୁତିର ଶୁଭାରମ୍ଭ ହୁଏ। ସାବିତ୍ରୀ ପତ୍ର ଆଃ ସେ ବାସ୍ନା କଥା କହନା। ନହେଲେ ଭୃଷଙ୍ଗ ପତ୍ର ର ଛୁଙ୍କ। ପିଇଦବ କଂସାଏ ଖଣ୍ଡେ। ଯେମିତି ବିଅର ର ବଡ଼ବାପ। ଆଉ ସେ ହାଣ୍ଡି ସେ ହାଣ୍ଡିଶାଳ କାହିଁ ଯେ , ଘର ବଦଳିଲା , ରୋଷଘର ହେଲା କିଚିନ, ହାଣ୍ଡିଶାଳ କୁ ଠେଲି ଦେଇ ଭିତରେ ପଶିଗଲା ଥଣ୍ଡା ଆଲମାରୀ ଟାଏ ଫ୍ରିଜ ନାଁ ରେ । ହାଣ୍ଡି ମାନେ ସବୁ ନିଜ ରାସ୍ତା ବାଛି ନେଇ ବିଦା ହେଇଗଲେ। ପ୍ଲାଷ୍ଟିକ ଡ଼ବାମାନେ ଖୁନ୍ଦି ଖାନ୍ଦି ହୋଇ ଥଣ୍ଡା ଆଲମାରୀ ଭିତରେ ରହିଲେ। କାଞ୍ଜିପାଣି ହାଣ୍ଡି କି ଆଉ କିଏ ପଚାରେ ? ଯେଉଁଠି ଶିଳ ଶିଳୁପୁଆ ଗଗନେ ଉଡ଼ନ୍ତି।ଯାହା ହେଉ କାଞ୍ଜି ଡ଼ବାଟାଏ ଆସିଛି ଯେତେବେଳେ , ଖୋଲି ଦେଇ ଦେଖିଲି ଯେ , ମନ ମାନିଲା ନାହିଁ । ଜେଜେମା ର ହାତ ରନ୍ଧା କାଞ୍ଜି ମନେ ପଡୁଥିଲା। ମନେ ପଡୁଥିଲା ଜେଜେମା । ସେ ଥିଲେ କେତେ ଖୁସି ହେଉ ଥାଆନ୍ତା । ସିଏ କି ଜାଣେ କପିରାଇଟ କଣ ପେଟେଣ୍ଟ କଣ , ଏ ବିଜ୍ଞାପନ କଣ ଏ ସିନେମା ବାବୁ କିଏ , ନିଜକୁ ବଦଳେଇ ନେଇ ଥାଆନ୍ତା ସମୟ ସାଥିରେ। ଯାହା ହେଉ , ପିଲାଏ ତ ଖାଇବେ । ନିଜେ ଆଇଁଶ ଛୁଉଁ ନଥିବା ଜେଜେ ମା, ଲୁଗା ବଦଳାଇ ସାଗୁଆତି ରାନ୍ଧଣା ରେ ଲାଗି ଯାଉଥିଲା ପିଲା ମାନଙ୍କ ଖୁସି ପାଇଁ। ରାନ୍ଧି ବସିଲା ବେଳେ ଜଳାକବାଟି ବାଟେ ଚାହିଁ ଥାଏ , କିଏ ଆସିଲା କି? କାହାର ଦୃଷ୍ଟି ପଡ଼ିଗଲେ ଖାଇବା ଦରବ ପିଲାଙ୍କ ଦିହରେ ଯିବ ନାହିଁ। ସେଥିପାଇଁ ବହୁତ ସଜାଗ ଥିଲା ଜେଜେ ମା।
କାଞ୍ଜି ଥିଲା ଆମ ଓଡିଆ ସଂସ୍କୃତି ର ଅଙ୍ଗ ବିଶେଷ। ଦାସକାଠିଆ ଗାୟକ ମାନେ କାଞ୍ଜିକୁ ନେଇ ଗୀତ ବୋଲନ୍ତି, “ଏଣୁ କାଞ୍ଜି ଗଲା ଖରେ ଯାଇ ପଶିଲା କାହା କାହା ଘରେ।” ଏବେ ସିନେମା ବାବୁଙ୍କ ପାଇଁ ବିଦେଶୀ ଧୁନ୍ ବାଜୁଛି। କାଞ୍ଜିପାଣି ହାଣ୍ଡିରୁ ବାହାରି କାଞ୍ଜି ଟେଟ୍ରାପ୍ୟାକ୍ ରେ ପଶିଛି ଭିନ୍ନ ରୁପନେଇ।

4 thoughts on “ଆହା, ମୋ କାଞ୍ଜି!

  1. ବାସ୍ତବ ଅଭିଜ୍ଞତା ଭରା ଲେଖାଟି ବହୁତ ଉଚ୍ଚକୋଟିର ହୋଇଛି।ପିଲା ଦିନ କଥା ସବୁ ଏବେ ସ୍ଵପ୍ନ ପରି ଲାଗୁଛି।ଏପରି ଏକ ମର୍ମସ୍ପର୍ଶୀ ଲେଖା ପାଇଁ ଡ଼ାକ୍ତର ଅଭୟ ଦାଶ ଙ୍କୁ ଅନେକ ଶୁଭେଚ୍ଛା।

  2. ଚମତ୍କାର ଉପସ୍ଥାପନା। ବର୍ଣ୍ଣିତ ତଥ୍ୟରୁ ଅତ୍ୟନ୍ତ ସ୍ବଳ୍ପ ଅନୁଭବ ମୋର ରହିଛି। ଅନେକ କଥା ଜାଣିବାକୁ ପାଇଲି। ଲେଖକ ଡାକ୍ତର ଦାଶ ଙ୍କୁ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଓ ଧନ୍ୟବାଦ।

  3. ଜୀବନ ସଦାସର୍ବଦା କ୍ରିୟାଶୀଳ। ମଣିଷ, ମଣିଷକୁ ବଦଳାଇବା ମଣିଷ ପଣିଆ। ମଣିଷ ଜୀବନକୁ ତିନି ଭାଗରେ ବିଭକ୍ତ କଲେ ବୁଝିବାକୁ ବିଶେଷ କିଛି ଅସୁବିଧାହେବ ନାହିଁ – ବାଲ୍ୟ ଅବସ୍ଥା, ଯୁବାବସ୍ଥା ଓ ବୃଦ୍ଧାବସ୍ଥା। ଜୀବନ ଯାକ ମଣିଷ ଗୋଟିଏ ବିଷୟରେ ବିଶେଷ ଦୁର୍ବଳତାର ଉର୍ଦ୍ଧକୁ ଯାଇ ପାରେନାହିଁ ତାହା ହେଲା ଖାଇବା।

    ଏହି ରମ୍ୟ ରଚନା ଇତିହାସ, ଭୂଗୋଳ, ବିଜ୍ଞାନ ଏବଂ ଇମୋସନର ଏକ ମାଧୁର୍ଯ୍ୟପୂର୍ଣ ସମାବେଶ।

    ସ୍ନେହ, ଶ୍ରଦ୍ଧା, ଖାଦ୍ୟ ଓ ଖାଦ୍ୟ ପ୍ରଣାଳୀରେ ଥିବା ଆବେଗମୟ ପ୍ରସ୍ତୁତି ଏବଂ ବଣ୍ଟନ ପକ୍ରିୟା ଏକ ଜାତିର ସ୍ୱତନ୍ତ୍ରତା, ଏହା ଏହି ଲେଖା ପ୍ରକାଶ କରୁଛି। ହାଣ୍ଡି ଓ ହାଂଡିଶାଳର ଶୃଙ୍ଖଳା ବର୍ଣ୍ଣିତ ହୋଇଛି। ଓଡ଼ିଆ ଜାତି, ତାର ଖାଦ୍ୟ, ତାର ମୌଳିକ ସ୍ୱାଦ ପାଇଁ ଇତିହାସ ସୃଷ୍ଟି କରିବାରେ ଅଗ୍ରଜ।

    ଜେଜେମାଙ୍କ ନାତି ନାତୁଣୀଙ୍କ ପାଇଁ ଖାଦ୍ୟ ତିଆରିକରି ପରସିବାର ପ୍ରେମ ଯେଉଁ ସ୍ପନ୍ଦନ ସୃଷ୍ଟି କରେ, ଏ ଯୁଗର ମାନବ ପିଢି ତାହା ଅନୁମାନ କରିବା ଅସମ୍ଭବ।

    ଭାତରୁ ତୋରାଣି ଓ ସାମାନ୍ୟ କିଛି ପତ୍ର ଓ ପରିବାରେ କାଞ୍ଜିର ସୃଷ୍ଟି ଉପରେ ବିଶେଷ ଭାବରେ ଆଲୋଚନା ପର ପିଢିଙ୍କ ପାଇଁ ଏକ ଅଭିଧାନ ଭଳି ଆଗ୍ରହ ସୃଷ୍ଟି କରିବାର ଅଭିନ୍ଦନୀୟ ପ୍ରୟାସ ପାଇଁ ଲେଖକଙ୍କୁ ଅନେକ ଅନେକ ଧନ୍ୟବାଦ।

Leave a Reply

Your email address will not be published. Required fields are marked *