ଗାଁ ଜାଟମୁକୁନ୍ଦ, ଅଟାରୀ ବର୍ଡର ଠାରୁ ଆଠ ଦଶ କିଲୋମିଟର ପଛକୁ । ସେଇ ଗାଁରେ ସିଖ ସମ୍ପ୍ରଦାୟର ଅନେକ ଲୋକ ରହନ୍ତି । ହିନ୍ଦୁ ଓ ସିଖ ପ୍ରାୟ ଅଧା ଅଧା ସଂଖ୍ୟକ ହେବେ । ମିଳିମିଶି ଚଳନ୍ତି । ସବୁ ପର୍ବ ମିଳିମିଶି ପାଳନ୍ତି । ସେଇ ଗାଁରେ ଅଛି ଗୋଟିଏ ସୁନ୍ଦର ଗୁରୁଦ୍ୱାର ମନ୍ଦିର । ସେଇ ଗାଁର ପ୍ରବାସୀ ଭାରତୀୟ ମାନଙ୍କ ସାହାଯ୍ୟରେ ଗଢା ଯାଇଛି । ଚାଷ ଓ ଫୌଜରେ ଚାକିରୀ କରି ଲୋକମାନେ ଚଳନ୍ତି । ପ୍ରାୟ ପ୍ରତି ଘରୁ କିଏ ନା କିଏ ବିଦେଶରେ ଅଛନ୍ତି । ଦୁବାଇ, ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଆଦି ଦେଶରେ କାମ କରି ଘରକୁ ଟଙ୍କା ପଠାନ୍ତି । ଗାଁ ଚାରିପଟେ ଶୋରିଷ, ଗହମ, ଆଖୁ ଓ ଧାନଖେତ ବ୍ୟାପି ଯାଇଥାଏ ଦୁର ରୁ ଦୁରକୁ । ଅଧିକାଂଶ ଲୋକ ଆର୍ମିରୁ ରିଟାୟାର ହୋଇ ନିଜ ଘରେ ରହି ଚାଷବସେ କରାନ୍ତି । ସମସ୍ତଙ୍କ ପାଖରେ ଚାଷ ପାଇଁ ଟ୍ରାକ୍ଟର ଟ୍ୟୁବ୍ ଓଏଲ୍ ବ୍ୟବସ୍ଥା ଅଛି । ଘରେ ଘରେ ମଇଁଷି ଥିବାରୁ ଘିଅ ଦୁଧର ଅଭାବ ନଥାଏ । ଗାଁଠାରୁ ଅଳ୍ପ ଦୁରରେ ଗୋଟିଏ ସ୍ଥାନ ଅଛି ରାମ ତୀର୍ଥ, ସେଇଠି ଲବ କୁଶ ପୂଜା ପାଆନ୍ତି । ସିଖ ଓ ହିନ୍ଦୁ ମିଶି ମନ୍ଦିର ଓ ଗୁରୁଦ୍ୱାରର ରକ୍ଷଣାବେକ୍ଷଣ କରନ୍ତି ।
ସେଇ ଗାଁର ଜସବିନ୍ଦର ସିଂହ ଆର୍ମିରୁ ହାବିଲଦାର ମେଜର ହୋଇ ରିଟାୟାର ହୋଇଥିଲେ ଉଣେଇଶ ଏକସ୍ତରି ପାକିସ୍ଥାନ ଯୁଦ୍ଧ ପରେ ପରେ । କିଛି ଦିନ ଗାଁରେ ବସିଗଲା ପରେ ମନ ଲାଗିଲା ନାହିଁ, ଚାଲି ଆସିଲେ ଦିଲ୍ଲୀ । ସାଙ୍ଗରେ ଆସିଥିଲେ ପତ୍ନୀ ଗୁରିନ୍ଦକୌର୍ । ପ୍ରଥମେ ଜଣେ ସମ୍ପର୍କୀୟଙ୍କ ଘରେ ରହିଲେ ଅଳ୍ପ ଦିନ ପାଇଁ । ଦିଲ୍ଲର ଗୋଟିଏ ପ୍ରାଇଭେଟ୍ ସ୍କୁଲ୍ରେ ଗାର୍ଡ଼ ରୁପେ କାମ ଆରମ୍ଭ କଲେ । ପୁଅଟିଏ ଆର୍ମିରୁ ରିଟାୟାର କରି ଦୁବାଇରେ କେଉଁ ଏକ ତେଲ କମ୍ପାନୀରେ କାମ କରେ, ତା ପରିବାର ସେଇ ଦୁବାଇରେ ରହନ୍ତି । ନିଜ ଘର କକାପୁଅ ଭାଇ ଦାୟିତ୍ୱରେ ଛାଡ଼ି ଚାଲି ଆସିଥିଲେ ଦିଲ୍ଲୀ । ଛୁଟିରେ କେବେ କେବେ ଗାଁକୁ ଗଲେ କିଛିଦିନ ସେଇ ଘରେ ରହି ଫେରି ଆସନ୍ତି । ସ୍କୁଲ୍ ହତା ଭିତରେ ଗୋଟି ରୁମ୍ରେ ଦୁଇପ୍ରାଣୀ ଚଳି ଯାଆନ୍ତି । । ସ୍କୁଲ୍ର ଛୋଟ ବଡ଼ ପିଲାଙ୍କ ସହ ହସି ଖେଳି ଆକଟ କରି ସମୟ ବିତିଯାଏ । ସମସ୍ତଙ୍କ ପାଇଁ ସେ ସର୍ଦାର୍ଜୀ । କିଏ କହେ ସର୍ଦାର୍ ଚାଚା କିଏ ସର୍ଦାର ଅଙ୍କଲ୍ । ସ୍କୁଲ୍ ଅଧିକ ଦିନ ଛୁଟି ହେଲେ ଦିନ କାଟିବା କଷ୍ଟ ହୋଇଯାଏ । ଭାବନ୍ତି ଗାଁକୁ ଚାଲି ଯାଆନ୍ତି ଯାଇ କି ଲାଭ? ଦୁହେଁ ମିଶି ସ୍କୁଲ୍ ବଗିଚାର ଯତ୍ନ ନିଅନ୍ତି, ସମୟ କଟି ଯାଏ । ପ୍ରତି ଗଛ ପାଖକୁ ଯାଇ ପତ୍ରମାନଙ୍କୁ ଆଉଁସି ଦେଇ ତାଙ୍କ ସହ କଥାବାର୍ତ୍ତା ହୁଅନ୍ତି ଫୁଲମାନଙ୍କ ପାଖରେ ବହୁତ ସମୟ ଠିଆ ହୋଇ ରହନ୍ତି । ସନ୍ଧ୍ୟାହେଲେ କୀର୍ତ୍ତନ କରନ୍ତି । ଅପେକ୍ଷା କରି ଥାଆନ୍ତି ନୁଆ ସେସନ୍କୁ ନୁଆ ପିଲା ଆସିବେ ସ୍କୁଲ୍ ଚଳ ଚଞ୍ଚଳ ହୋଇ ଉଠିବା ସମୟକୁ ।
ପ୍ରିନ୍ସ୍ପାଲ ତାଙ୍କୁ ବହୁତ ବିଶ୍ୱାସ କରନ୍ତି । ଅନ୍ୟ ଶିକ୍ଷକ କର୍ମଚାରୀ ମାନେ ତାଙ୍କୁ ଭଲ ପାଆନ୍ତି । ଛୋଟ ଝିଅମାନେ ଚାକିରୀ କରୁଛନ୍ତି ସର୍ଦାର ଜି ତାଙ୍କ ପାଇଁ ପିତୃ ତୁଲ୍ୟ, ସମସ୍ତେ ତାଙ୍କୁ ସମ୍ମାନ ଦିଅନ୍ତି । ପିଲାମାନେ କିଏ ଦୁଷ୍ଟ, କିଏ ଚୃ୍ଚଳ, କିଏ ଟିକିଏ ସୁସ୍ଥ ସମସ୍ତେ ସର୍ଦାର ଜିଙ୍କର ପରିବାର । ଦୁଷ୍ଟ ପିଲାଙ୍କୁ ଠିକ୍ କରିବା ତାଙ୍କୁ ଠିକ ଚଣା । ଫୌଜୀ ଜୀବନରେ ଶିଖିଥିବା ଶୃଙ୍ଖଳାକୁ ବାଣ୍ଟି ଦିଅନ୍ତି ପିଲାଙ୍କ ମଧ୍ୟରେ । କେହି ଭିନ୍ନକ୍ଷମ ପିଲାଟିଏ ଆସିଲେ ତାର ପୁରା ଯତ୍ନ ନେବାକୁ ନିଜର ଦାୟିତ୍ୱ ମନେ କରନ୍ତି । ପିଲାଟିକୁ ଭ୍ୟାନରୁ ଓହ୍ଲାଇବା ଠାରୁ ବସରେ ବସାଇବା ପର୍ଯ୍ୟନ୍ତ ପୁରା ଦାୟିତ୍ୱ ଯେପରି ଆଦରିନିଅନ୍ତି ସ୍ୱେଚ୍ଛାକୃତ ଭାବରେ । ସେଥିପାଇଁ ଅବିଭାବକମାନେ ତାଙ୍କୁ ବହୁତ ସମ୍ମାନ ଦିଅନ୍ତି । କେହି ତାଙ୍କୁ ପଚାରିଲେ ସବୁ ବାହେଗୁରୁ ଇଛା କହି ହସି ଦିଅନ୍ତି । ବୟସ ବଢିବା ସଙ୍ଗେ ଆଖିକୁ ଭଲ ଦିଶୁନାହିଁ ମୋତିଆ ବିନ୍ଦୁ ଅପରେସନ ହୋଇଛି । ସ୍କୁଲ୍ ତାଙ୍କର ଯତ୍ନ ନି, । ପ୍ରିନ୍ସ୍ପିପାଲ ମିସେସ୍ ଖାନ୍ନା ଓ ଚେୟାରମ୍ୟାନ୍ ଉଇଙ୍ଗକମାଣ୍ଟର ଖାନା ତାଙ୍କୁ ବହୁତ ଭଲ ପାଉଥିଲେ । ସରଦାରଜୀଙ୍କର କାହା ବିରୁଦ୍ଧରେ କିଛି ଅଭିଯୋଗ ନଥାଏ । ଭଲରେ ଦିନ କଟିଗଲା । ବୟସ ବଢି ଯିବାରୁ ଶକ୍ତି କମିଗଲା, ସ୍କୁଲ୍ରୁ ବିଦାୟ ନେଇ ଗାଁକୁ ଫେରି ଆସିଲେ । ସ୍ୱାମୀ ସ୍ତ୍ରୀ ଦି ଜଣ, ଆଉ ବଳ କାହିଁ ଯେ ଚାଷ କରିବେ? ଘରେ ଦୁଇଟି ମଇଁଶି ଅଛନ୍ତି, ସେମାନଙ୍କ ଯତ୍ନ ନିଅନ୍ତି, ଗୁରୁଦ୍ୱାରରେ ସେବା ଦିଅନ୍ତି ସମୟ କଟି ଯାଏ । ଆର୍ମିର ପେନ୍ସନ୍ ଯାହା ମିଳେ ଚଳିବାରେ କିଛି ଅସୁବିଧା ହୁଏ ନାହିଁ ।
ଦାଣ୍ଡ ଅଗଣାରେ ବସି ଚାହିଁଛନ୍ତି, ମନେ ପଡୁଥିଲେ ସ୍କୁଲ୍ରେ ଛାଡ଼ି ଆସିଥିବା ବିଗତ ଦିନର ସ୍ମୃତି ସବୁ, ମନେପଡୁଥିଲେ ପିଲାମାନେ । ହଠାତ୍ ପବନ ଆସି ବର୍ଷା ଅସରାଏ ହୋଇଗଲା । ଘଡ଼ି ଦେଖିଲେ, ଦୁଇଟା ବାଜିବ, ଭୋକ ହେଲାଣି ଡାକ ଦେବେକି ଗୁରୁବିନ୍ଦର କୁ? ନା ତାର ବି ତ ବୟସ ହେଲାଣି, ଦିନସାରା କେତେ କାମ କରି ଥକି ଯାଇଥିବ, ଟିକିଏ ବିଶ୍ରାମ କରିଥିବ ବୋଧେ । ଭିତରକୁ ଗଲେ, ଗୁରୁବିନ୍ଦର ଚୁପ୍ ହୋଇ ବସି ଟିଭି ଦେଖୁଥିଲେ । ତାଙ୍କର ବି ଖାଇବା କଥା ମନେ ନାହିଁ, ପ୍ରେସିଡେଣ୍ଟଙ୍କ ହାତରୁ କ୍ୟାଡେଟମାନେ ମେଡାଲ୍ ନେଉଥିବା ଦେଖୁଥିଲେ । ତାଙ୍କ ଆଖି ଅଟକି ଯାଇଥିଲା ବେଷ୍ଟ କ୍ୟାଟେଟ ଛତ୍ରପାଲ ଉପରେ । ସେତିକି ବେଳକୁ ଜସ୍ପିନ୍ଦରଜି ପଛରେ ଠିଆ ହୋଇ ଦେଖୁଥିଲେ, ବଡ଼ ପାଟିରେ କହି ଉଠିଲେ ଆରେ ଏତ ସି ପାଲ୍ । ତୋର ମନେ ଅଛି ନା ସେ ଛତ୍ରପାଲ୍ ବହୁତ ସରାରତି ଥିଲା । ଚାଲିଗଲା ଶଗଡ଼ରେ ହାତ ମାରିବ । ତାକୁ ମୁଁ ଥରେ ଅଧେ ମାଡ଼ ମାରିଛି, ଜୋରରେ ନୁହେଁ ଅଳ୍ପ ଜୋରରେ । ଦୁଷ୍ଟ ନାହିଁ ନୁହେଁ ଚଞ୍ଚଳ ଥିଲା ସିନା ଭଲ ପିଲାଟାଏ । ଦୁଷ୍ଟତା ତା ପାଇଁ ଗୋଟାଏ ଖେଳ, କାହାକୁ ଛାଡ଼ି ଦେବ ନାହିଁ । ତାଆରି କଥା ମୁଁ ବସି ବସି ମନେ ପକାଉଥିଲି । ସେ ଯେଉଁ ଦିନ ସ୍କୁଲ୍ରୁ ପାସ୍ କରି ଗଲା ମୋ ପାଦ ଛୁଇଁ ପ୍ରଣାମ କରିଥିଲା । ସେଦିନ ତାକୁ କୁଣ୍ଢେଇଧରି ମୋ ଆଖିରୁ ଲୁହ ଗଡ଼ି ଆସିଥିଲା । ଯେବେ ଏନ ଡିଏରେ ଯୋଗ ଦେଲା, ଆସିଥିଲା ମୋତେ ଦେଖା କରିବାକୁ । ବାହଗୁରୁ ତାକୁ ଭଲରେ ରଖନ୍ତୁ । ଭୋକ ହେଲାଣି ଚାଲ ଖାଇବା । ମୋତେ ବି ଭୋକ ହେଲାଣି ଟିଭି ଦେଖୁ ଦେଖୁ ଭୁଲି ଯାଇଛି ଖାଇବା କଥା ।
ଗୁରୁଦ୍ୱାରରୁ ଫେରି କିଛି ସମୟ ଦାଣ୍ଡରେ ବସି ପାଖରେ ଥିବା ଗଛମାନଙ୍କୁ ଚାହିଁ ରହିବା ସରଦାରଜୀଙ୍କର ଅନେକ ଦିନର ଅଭ୍ୟାସ । ବସି ରହିବା ଭିତରେ ଜୀବନର କେତେ ସ୍ମୃତି ଅନୁଭୂତି ମାନସ ପଟରେ ଦେଖା ଦିଅନ୍ତି । ଏ ଭିତରେ କେତେ ଦିନେ ବିତି ଗଲାଣି, ଚାହିଁ ଥିଲେ ପାଚେରୀ କାନ୍ଥକୁ, ଯେଉଁ କେତେ ଜାଗାରେ ପାଚେରୀ ଓ ଘରର ଛାତରୁ ଖଣ୍ଡେ ଖଣ୍ଡେ ଛାଡ଼ି ଯାଇଥିଲା ମରାମତି କରି ନାହାନ୍ତି । ସେ ଭଙ୍ଗା ଦାଗ ତାଙ୍କୁ ମନେ ପକାଇ ଦେଉଥିଲା ଇଣ୍ଡୋ ପାକ୍ ବର୍ଡ଼ରରୁ ମୋରଟାର୍ ଗୁଳିର ଆକ୍ରମଣର କାହାଣୀକୁ । ସେହି କାନ୍ଥକୁ ଦେଖି ମନେ ପକାଉଥିଲେ ଉଣେଇଶ ପଞ୍ଚସଠି ଓ ଏକସ୍ତରୀ ଭାରତ ପାକିସ୍ଥାନ ଯୁଦ୍ଧରେ ବିତାଇଥିବା ଦିନମାନଙ୍କୁ ଓ ନିଜର ଫୌଜୀ ଜୀବନର କେତେ ଅନୁଭୂତି ସବୁକୁ । ଏତିକି ବେଳକୁ ଗୋଟିଏ ଜିପ୍ ଆସି ତାଙ୍କ ଘର ପାଖରେ ରହିଲା । ଅଫିସର୍ ଜଣେ ପଚାରୁଥିଲେ ତାଙ୍କ ଘର ଠିକଣା । ସାହିର ପିଲାଟିଏ ସାଙ୍ଗରେ ଆସି ଦେଖାଇ ଦେଲା ହେଇ ତାଉଜି ବସିଛନ୍ତି, ତାଉଜି କିଏ ତୁମକୁ ଖୋଜି ଖୋଜି ଆସିଛନ୍ତି । ସି ପାଲ, ମେଜର ସି ପାଲ, ଟୋପିଟାକୁ କାଢି ଦେଇ ପାଦ ଛୁଇଁ ପ୍ରଣାମ କଲା, ସର୍ଦାର ଜିଙ୍କୁ । ତୁ ଅତି ବିଶିଷ୍ଟ ସେବା ମେଡାଲ୍ ପାଇବା ମୁଁ ଜାଣିଛି । ତୋର ଏନ ଡି ଏ ପାସିଂଗ ଆଉଟ୍ ଦିନ ବେଷ୍ଟ କ୍ୟାଡେଟ୍ ମେଡାଲ୍ ପାଇବା ଟିଭିରେ ଦେଖି ତୋ ଚାଚିକୁ କହୁଥିଲି । ଭଲକଲୁ ଟିକିଏ ମନେକରି ଆସିଗଲୁ । ହଉ ଆସ ହାତ ମୁହଁ ଧୁଅ ଖାଇବା ବେଳ ହୋଇ ଗଲାଣି ଖାଇନବା, ତା ପରେ ଲସି । ଆରେ ଓ ଗୁରବିନ୍ଦର ଦେଖୋ କୌନ ଆୟା ହୈ । ଗୁରୁବିନ୍ଦର କୌର ଆସି ଦେଖନ୍ତି ସି ପାଲ,ସିପାଲ ଚାଚିଙ୍କ ଚରଣ ସ୍ପର୍ଶ କରି ଠିଆ ହୋଇଛି ଜିତେରହୋ ବେଟା କହି ବସିବାକୁ କହିଲେ । ତୁମ ଚାଚାଜି କେ ପାସ୍ ବୈଠୋ, ଦୋ ମିନଟ ମେ ରୋଟି ବନାଦେତିହୁଁ, ଦେର୍ ହୋ ଗୟା ହୈ ଖାନା ପରସ୍ ଦେତି ହୁଁ, ତୁମ ଦୋନୋ ବୈଠ ଯାଓ ।
ଜସ୍ମିନନ୍ଦର ସିଂଘ ଓ ସି ପାଲ ବସି ଗପ କରୁଥାଆନ୍ତି, ସରଦାରଜୀ କହିଲେ ଛତରପାଲ, ତୁ କେଡ଼େ ଦୁଷ୍ଟ ଥିଲୁ ତୋତେ କେତେ ଡାଣ୍ଟ ଲଗାଇଛି । ସବୁ ମନେ ଅଛି ଚାଚାଜି ସେହି ଡାଣ୍ଟ ମୋତେ ଟାରି ଆଣିଛି ଆପ୍ କେ ପାଶ୍, କହୁଥିଲା ସି ପାଲ୍ । ଗୁରୁବିନ୍ଦର ଡାକିବାରୁ ଦୁହେଁ ଯାଇ ଚାରପାଇ ଉପରେ ବସିଲେ ଖାଇବାକୁ । ଗୁରୁବିନ୍ଦର ଗରମ ରୋଟି ଦେଉଥାଆନ୍ତି ଦୁହେଁ ସବଜି ରୋଟି ଦହି, ଆଚାର ସାଲାଡ ଖାଉଥାଆନ୍ତି । ରୋଟି ସହ ଖୁବ୍ ସାରେ ମଖନ ଆହ ମଜା ଆ ଗୟା, କହୁଥିଲା ସିପାଲ୍ । ରୋଜ ରୋଜ ମେସ୍ କା ଖାନେ ସେ ଥକ ଗୟାଥା । ଆଜ ମା କେ ହାଥକା ଖାନା, ମଜ୍ଜା ଆଗୟା । ଖାଇସାରି ହାତ ଧୋଇ ଦୁହେଁ ବସି ଗପ କଲେ । ସିପାଲ୍ ର ସ୍କୁଲ ସାଙ୍ଗମାନେ କିଏ କେଉଁଠି ଅଛନ୍ତି, ପଚାରି ଚାଲି ଥାଆନ୍ତି । ମଝିରେ ଉଠି କହିଲେ, ଦେଖିଆସେ ତୋ ଚାଚି କ’ଣ ଖାଇଲା, ତାକୁ ଗୋଟାଏ ଗରମ ରୋଟି ଦେଇ ଆସେ । ଆସି କରି ବସିଗଲେ ସିାପଲ ପାଖରେ । ନିଜର ଆର୍ମି ଜୀବନର ଅନୁଭୂତି ବର୍ଣ୍ଣନା କରୁଥାଆନ୍ତି । ମୁଁ ଥାଏ ହାବଲଦାର ମେଜର, ଏନ୍ଡିଏରେ ପୋଷ୍ଟିଙ୍ଗ ଥାଏ, ତୁମଭଳି ଟ୍ରେନି ଅଫିସରମାନଙ୍କୁ ଟ୍ରେନିଙ୍ଗ ଦେବାକୁ ହୁଏ, ପିଟି, ପ୍ୟରେଡ ଡିସିପ୍ଲିନ ଆଦି ଶିକ୍ଷା ଦେବାକୁ ହୁଏ । ପିଲାମାନେ ସ୍କୁଲସାରି ଆସି ଥାଆନ୍ତି । ଚପଳତା ଛାଡ଼ି ନଥାଏ, ଦରକାର ପଡ଼ିଲେ ସେମାନଙ୍କୁ ଧମକ ଚମକ ଦେଇ ପନିଶମେଣ୍ଟ ଦେଇ ଠିକ୍ କରୁ ଅଫିସର ପରି ଗଢିବାରେ ସାହାଯ୍ୟ କରୁ । ପାଶିଂ ଆଉଟ୍ ପରେ ସେମାନେ ହୋଇଯାଆନ୍ତି ଅଫିସର । ତା’ପରେ ଆମେ ତାଙ୍କୁ ସାଲ୍ୟୁଟ୍ କରୁ । ସେମାନେ ଆମେ ହାବଲଦାର ବର୍ଦିକୁ ସମ୍ମାନ ଦେଉ । ସେମାନେ ବି ଆମକୁ ଓସ୍ତାଦଜୀର ସମ୍ମାନ ଦିଅନ୍ତି । ଆମେ ମନେ ମନେ ଗର୍ବ କରୁ ଫଲାଣା ଅଫିସର ମୋର ଟ୍ରେନୀ ଥିଲେ । ତୋତେ ଦେଖି ମୋର ସେହି ଓସ୍ତାଦଜି ଦିନ ମନେ ପଡୁଛି । ଆଶୀର୍ବାଦ କରୁଛି ଭଲରେ ରହ, ମନଦେଇ ଦେଶ ପାଇଁ କାମ କର । କିଛି ସମୟ ପରେ ଚାହା ପିଇସାରି, ସିପାଲ ଘଣ୍ଟା ଦେଖିଲା । ସର୍ଦାର୍ ଜି ବୁଝିପାରିଲେ ସିପାଲ ଯିବାକୁ ଚାହୁଁଛି । ସମୟ ହୋଇ ଗଲାଣି, ଛ ଘଣ୍ଟା ପାଇଁ ଛୁଟି ଆଣିଥିଲି । ହଁ ବେଟା, ଦିନ ଥାଇ ପହଞ୍ଚି ଯିବା ଦରକାର । ସିପାଲ୍ ସର୍ଦାର୍ ଜି ଓ ଚାଚିଙ୍କ ପାଦ ଛୁଇଁ ବିଦାୟ ନେଇ ଜିପ୍ ଆଡକୁ ବଢିଲା । ସର୍ଦାର ଜି ତା ସାଙ୍ଗରେ ବଳେଇ ଦେବାକୁ ଜିପ୍ ପର୍ଯ୍ୟନ୍ତ ଗଳେ । ସିପାଲ୍ ଜିପ୍ରେ ବସିବାକୁ ଯାଉଛି, ସରଦାରଜୀ ଆଟେନ୍ ସନ୍ ହୋଇ ସାଲ୍ୟୁଟ କରି କହିଲେ ଜୟ ହିନ୍ଦ ମେଜର ସାହେବ । ବାହେ ଗୁରୁକା କିରପା ରହେ ତୁଝ ପର । ଜିପ୍ଟା ଆଖି ଆଗରୁ ଲୁଚିଯିବା ପର୍ଯ୍ୟନ୍ତ ଠିଆହୋଇ ଚାହିଁ ରହିଥିଲେ, ଚଷମାକୁ ପୋଛି ଫେରି ଆସିଲେ ଅଗଣାରେ ପଡ଼ିଥିବା ଚୌକି ଉପରକୁ । କ୍ଷଣେ ବସି ରହି ହାତ ଯୋଡ଼ି କହୁଥିଲେ ବାହେ ଗୁରୁ ତେରା ଲାଖ୍ ଲାଖ୍ ସୁକ୍ରିୟା ।
Wonderfully narrated heart touching story of humility, simplicity, discipline, and affection blended together