ସ୍ମାର୍ଟ୍‌ ଭଗବାନ – ସ୍ମାର୍ଟ୍‌ ଭକ୍ତ

ଲୋରୀ ସ୍ବାଇଁ

 “ଆଦିମ ଯୁଗ ବଦଳି ହେଲାଣି ଆଧୁନିକ ଯୁଗ ।  ସବୁକିଛିରେ ପରିବର୍ତ୍ତନ ଏକ ନୂତନତ୍ବର ଜନ୍ମ । ଯୁଗ ବଦଳିବା ସହ ଯାବତୀୟ ଜିନିଷ ବି ବଦଳି ଯାଉଛି । ଆଧୁନିକତାର ଛାପରେ ହଜି ଯାଉଛି କିଛି ଗୁଣବତ୍ତା , ପୁଣି ସୃଷ୍ଟି ହେଉଛି ବିସ୍ମୟାଭିଭୂତ ଦ୍ରବ୍ଯ – କାର୍ଯ୍ଯ । ବିଜ୍ଞାନର ଅଗ୍ରଗତି ବୈଷୟିକ ଜ୍ଞାନ ପ୍ରଦାନ କରାଇବା ସହ ବିଜ୍ଞ ଭାବରେ ପରିଚିତ କରାଉଥିବା ବେଳେ ଅଜ୍ଞତାରେ ଅନେକ ଅସୁବିଧାର ଖାତ ଭିତରକୁ ଠେଲି ଲହୁଲୁହାଣ କରିଦେଉଛି । ପ୍ରତ୍ଯକ୍ଷରେ ହିଜ୍ଞାନର ମୋହର ପିଟା ହେଉଥିବା ବେଳେ ପରୋକ୍ଷରେ ମୁର୍ଖ ବୋଲି ପରିଚୟ ପ୍ରଦାନ କରୁଛି । ଆଜିର ବିଜ୍ଞାନ ଯୁଗରେ ଆଉ ଅସମ୍ଭବ ବୋଲି ଶବ୍ଦର ପ୍ରୟୋଗ କିଛି ନାହିଁ । ସମସ୍ତେ ବି ବିଜ୍ଞ ବୋଲି ପରିଚୟ ପ୍ରାପ୍ତ ; ସେଥିପାଇଁ ସ୍ମାର୍ଟ୍‌ ଦୁନିଆ , ସ୍ମାର୍ଟ୍‌ ସିଟି , ସ୍ମାର୍ଟ୍‌ ମଣିଷ ଶବ୍ଦ ସମୂହର ଉଦ୍ଭାବନ ହୋଇ ସାରିଛି । ଏହି ସ୍ମାର୍ଟ୍‌ ଶବ୍ଦର ପ୍ରୟୋଗ କରି ମୋର ଏ ରମ୍ଯ ରଚନା “ସ୍ମାର୍ଟ୍‌ ଭଗବାନ – ସ୍ମାର୍ଟ୍‌ ଭକ୍ତ” ପାଠକ ମାନଙ୍କର କରକମଳରେ ଅର୍ପଣ କରିବାକୁ ଯାଉଛି । ଭଗବାନ କରନ୍ତୁ ଏ “ସ୍ମାର୍ଟ୍‌” ଶବ୍ଦ କାହାକୁ ସ୍ମାସ୍‌ ନ କରୁ ; ସମାଜର ହିତାର୍ଥେ ସ୍ବଳ୍ପ ଜ୍ଞାନର ପ୍ରୟୋଗେ ରଚିତ ଏ ରମ୍ଯ ରଚନା କାହାକୁ ଆଘାତ ନ ଦେଉ ।”
     ସ୍ବର୍ଗର ସୁରମ୍ୟ ସ୍ଥାନ ବୈକୁଣ୍ଠ ଭୁବନ । ଏକାଗ୍ର ଚିତ୍ତରେ ଅଷ୍ଟରତ୍ନ ଖଚିତ ସିଂହାସନ ଉପରେ ଉପବେଶନ ପୂର୍ବକ କୌଣସି ଏକ ଚିନ୍ତାରେ ମଗ୍ନ ଭଗବାନ ବିଷ୍ଣୁ । ଦୂରରୁ “ନାରାୟଣ – ନାରାୟଣ” ଶବ୍ଦର ମଧୁର ମୂର୍ଚ୍ଛନା ତୋଳା ସ୍ବରରେ ଏକାଗ୍ରତା ଭଗ୍ନ ଭଗବାନ ବିଷ୍ଣୁଙ୍କର । ଦୃଷ୍ଟି ନିକ୍ଷେପ କଲେ ଦୂରକୁ ; ଦେଖିଲେ ନାରଦଙ୍କର ଆଗମନ । ଭକ୍ତିଭାବରେ ନିମଜ୍ଜିତ ହୋଇ ନାରାୟଣ ଶବ୍ଦର ଉଚ୍ଚାରଣ କରି ପ୍ରବେଶ କଲେ ମହାମୂନୀ ଦେବର୍ଷି ନାରଦ । ସନ୍ନିକଟେ ଉପଗତ ହୋଇ ଭକ୍ତିରେ ପ୍ରଣାମଟେ ବାଢ଼ିଲେ ଦେବର୍ଷି । ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦର କର ପ୍ରସାରିତ ହୋଇଗଲା ନାରଦଙ୍କ ଆଡ଼କୁ । ନାରଦଙ୍କୁ ପଚ଼ାରିଲେ ନାରାୟଣ ଆଶ୍ଚର୍ଯ୍ୟ ଚକିତ ହୋଇ : –
– ଦେବର୍ଷି ! ଆଜି ତୁମର ଏ କି ପ୍ରକାର ବେଶ ପରିପାଟୀ ! ସବୁକିଛି ଚେଞ୍ଜ୍‌ ହୋଇ ଯାଇଛି କ’ଣ ! ତୁମ ଶିରର ଜଟା ଆଉ ତୁମ ବୀଣା କୁଆଡ଼େ ଗଲା ? 

– ନାରାୟଣ ନାରାୟଣ ! ପ୍ରଭୁ ! କାଲି ମର୍ତ୍ତ୍ୟ ମଣ୍ଡଳରେ ଅବତରଣ କରିଥିଲି ମୁଁ । ଆପଣ ତ ଜାଣିଛନ୍ତି ମର୍ତ୍ତ୍ୟରେ ଏବେ ମଡ଼ର୍ଣ୍ଣ୍‌ ଯୁଗ ଚ଼ାଲିଛି । ସମସ୍ତ ମାନବ ଏବେ ମଡ଼ର୍ଣ୍ଣ୍‌ ମ୍ଯାନ୍‌ । ଦେଖିଲି ଗୋଟିଏ ଘର ଭିତରେ କେଶ କଟା ଚ଼ାଲିଛି । ସମସ୍ତେ ଯାଇ କେଶ କାଟୁଛନ୍ତି । ମୁଁ ଭାବିଲି ମୋର ଏ ଜଟା ବହୁଦିନ ହେଲା ରହିଲାଣି। ସେଥିରେ କୀଟ ସବୁ ବି କ୍ରୀଡ଼ା କଲେଣି । ସେଲାଗି ମୁଁ ବି ଭାବିଲି ମୁଁ ଏ ଜଟା କାଟି ଉଡ଼େଇ ଦେବି । ସେଲାଗି ମୋର ଏ ଜଟାକେଶ ଛେଦନ କରିଲି । ଜାଣିଲି ସେଇଟା ସେଲୁନ୍‌ ; ଟିକେ ଫେସ୍‌ୱାସ୍‌ ବି ହୋଇଗଲି । ବୀଣା ଧରି ବୁଲିବାକୁ ଆଉ ଭଲ ଲାଗୁନି । ତାକୁ ମୋ’ ନବରରେ ରଖି ଦେଇ ଆସିଛି । 
– ଭଲ କରିଛ । ଏବେ ପୂରା ବିୟୁଟିଫୁଲ୍‌ ଲାଗୁଛ । ମୁଁ ବି ଭେରି ଇଣ୍ଟରେଷ୍ଟେଡ଼ ; ମୁଁ ବି ମର୍ତ୍ତ୍ୟ ମଣ୍ଡଳରେ ଲ୍ଯାଣ୍ଡ୍‌ କରିବି । ମୋ ଜଟାଜୁଟ ବି ଛେଦନ କରିବି ଭାବୁଛି । ଆଚ୍ଛା ; ଏବେ କହିଲ ଦେବର୍ଷି ; ମର୍ତ୍ତ୍ୟର ନିଉଜ୍‌ ମତେ । 
– ପ୍ରଭୁ ! ଆପଣ ତ ସର୍ବଜ୍ଞାତା ; ମୁଁ ବା ଅଧିକ କ’ଣ କହିବି ? ସୃଷ୍ଟି ସର୍ଜନା ପରର ମର୍ତ୍ତ୍ୟ ଏବେ ପୂରା ବଦଳି ଯାଇଛି । 
– ହଁ, ମୁଁ ତ ଦେଖି ପାରୁଛି । କିନ୍ତୁ ବହୁଦିନ ହେବ ମୁଁ ମର୍ତ୍ତ୍ୟ ମଣ୍ଡଳ ପ୍ରତି ଧ୍ଯାନ ଦେଇନି । କ’ଣ କେମିତି ସବୁ ଚ଼ାଲିଛି କୁହନ୍ତୁ । 
– ସମସ୍ତେ ତ ମଡ଼ର୍ଣ୍ଣ୍‌ ; କଲମି ପ୍ରକ୍ରିୟାର ମଣିଷ । ତାଙ୍କଠୁ ଦେଖି ଆମ ସ୍ବର୍ଗର ଦେବତା ମାନେ ବି ମଡ଼ର୍ଣ୍ଣ୍‌ ହେଇଛନ୍ତି ନା । ସେମାନେ ଯେମିତି ମଡ଼ର୍ଣ୍ଣ୍‌ ଯୁଗର ମଡ଼ର୍ଣ୍ଣ୍‌ ମ୍ଯାନ୍‌ , ଆମେ ବି ସେମିତି ମଡ଼ର୍ଣ୍ଣ୍‌ ଯୁଗର ମଡ଼ର୍ଣ୍ଣ୍‌ ଗଡ୍‌ ନା । ତାଙ୍କ-ଆମ ଭିତରେ ଫରକ ରହିଲା କୋଉଠି ? ମର୍ତ୍ତ୍ୟରେ ବିଜ୍ଞାନ ; ସ୍ବର୍ଗରେ ମଧ୍ଯ ବିଜ୍ଞାନ । ମର୍ତ୍ତ୍ୟରେ ଯାହା , ସ୍ବର୍ଗରେ ମଧ୍ଯ ସେଇଆ ; ଖାଲି ତାରତମ୍ୟ ଯନ୍ତ୍ରପାତିରେ । ସମସ୍ତେ କୁଶଳରେ ଅଛନ୍ତି ପ୍ରଭୁ ।
– ମୋ’ ପରମ ଭକ୍ତ ସାରଥିର ଖବର କ’ଣ ? ତା’ର ସବୁ କୁଶଳ ତ ?
– ହଁ ପ୍ରଭୁ , ସେ ତ ଏବେ କୁଶଳରେ ; ଖାଲି ଏତିକି ସେ ଅମୃତବାଣୀ ଶୁଣେଇବାରୁ ବଞ୍ଚିତ ଅଛି । ସେ ଆପଣଙ୍କ ଆଶୀର୍ବାଦରୁ ଜନ ମଙ୍ଗଳ କାର୍ଯ୍ଯ କଲା ; ତେଣୁ କିଛି ମନବ ସହି ନ ପାରି ମିଥ୍ଯାରୋପ ଲଗାଇ କାରାଗାରକୁ ପଠେଇ ଦେଇଥିଲେ । ଏବେ ସେ କାରାଗାରରୁ ମୁକ୍ତ ହୋଇଛି । ଅଭାବୀ ମାନେ ସିମେଣ୍ଟ୍‌ ଗାଈର କ୍ଷୀର ପାଇ ପାରୁଥିଲେ ; କିଛି ଅର୍ଥ ବଞ୍ଚି ଯାଉଥିଲା । ଏବେ ସେ ସୁଯୋଗ ଆଉ ଜମା ମିଳୁନି । ମାତା ପାର୍ବତୀ ଯେମିତି ହଳଦି ମଳକୁଟିରୁ ଗଣେଶଙ୍କୁ ସୃଷ୍ଟି କଲେ ; ଠିକ୍‌ ସେମିତି ସାରଥି ତା’ ଦେହ ମଳିରୁ ଶୁଭମ୍‌କୁ ସୃଷ୍ଟି କଲେ । ଏ ମଣିଷ ଗୁଡ଼ାକ ତାଙ୍କ ଅଲୌକିକତାକୁ ସହି ନ ପାରି ସତ-ମିଛ କହି ଜେଲ୍‌ ପଠେଇ ଦେଲେ ; ଏବେ ଜେଲ୍‌ରୁ ବାହାରିଲା ପରେ ପୁଣି ତାଙ୍କ ପ୍ରେମରେ ଉବୁଟୁବୁ । ଆପଣ ଦ୍ବାପର ଯୁଗରେ କୃଷ୍ଣ ଅବତାରରେ କରିଥିବା ଲୀଳାଖେଳା ପରି ସେ ବି ଲୀଳାଖେଳା କଲେ ; ଯେହେତୁ ସେ ଆପଣଙ୍କର ଆଜ୍ଞାଧୀନ ପରମ ଭକ୍ତ । ତାକୁ କେନ୍ଦ୍ର କରି ବିରାଟ ସ୍ବର ତୋଳି ତାକୁ ଜେଲ୍‌ ପଠେଇଲେ । ତା’ ପୂର୍ବରୁ କେତେ କିଏ ସାରଥି ଭୂମିକା ନିର୍ବାହ କରିନାହାନ୍ତି କହିଲେ , ଗୁପ୍ତରେ କେତେ ସାରଥି ଲୁକ୍କାୟିତ ଅଛନ୍ତି । ମିଛରେ ବଦନାମ ଦେଇ ଠକ , ଚ଼ୋର , ଲଫଙ୍ଗା , ଡ଼ହରା କହି ଆପଣଙ୍କର ସ୍ମାର୍ଟ୍‌ ଭକ୍ତର କାର୍ଯ୍ଯକଳାପକୁ ପୂରା ସ୍ମାସ୍‌ କରିଦେଲେ ! ନାରାୟଣ – ନାରାୟଣ  , ଏମାନଙ୍କୁ ବାଡ଼ିବସନ୍ତ ପଡ଼ିବନି ! ନନ୍‌ସେନ୍ସ୍‌ ଗୁଡ଼ାକ ; ଏମାନେ ତ କିଛି କରିବେନି , କିଏ କରିଲେ ଏମାନେ ସହିବେନି । 
– କଳିଯୁଗ , ଘୋର କଳିଯୁଗ ଦେବର୍ଷି । ମୋ’ ଭକ୍ତର ଏ ଅପମାନ ମୋର ଅସହ୍ୟବୋଧ ; ମୁଁ ସେମାନଙ୍କୁ ସ୍ମାସ୍‌ କରିଦେବି । 
– ଖାଲି ସେତିକି ନୁହେଁ ପ୍ରଭୁ ; ଆପଣଙ୍କ ନାଁରେ ବି ଯୋଜନା ହୋଇଛି । 
– ମୋ’ ନାଁରେ ଯୋଜନା ! ବୁଝି ପାରିଲିନି ଦେବର୍ଷି । 


– ପ୍ରଭୁ ! ଆପଣ ଶ୍ରୀକ୍ଷେତ୍ରରେ କାଳିଆ ରୂପରେ ପୂଜା ପାଉଛନ୍ତି ନା , ମୁଖ୍ଯମନ୍ତ୍ରୀ “କାଳିଆ ଯୋଜନା” ଲାଗୁ କରିଛନ୍ତି ପରା । ଚ଼ାଷଜମି ଥିବା ଲୋକ ନଥିବା ଲୋକ ସମସ୍ତଙ୍କୁ ବଣ୍ଟା ଚ଼ାଲିଛି ପଇସା କାଳିଆ ଯୋଜନା ଜରିଆରେ । 
– ମୋ’ ନାଁକୁ ବିକି ଏମାନେ କୋଟିପତି ! ମୋ’ ନାଁ ଏମାନଙ୍କ ଗାଁ ! ବାପ୍‌ରେ ବାପ୍‌ , ଏ ମାନବ ଗୁଡ଼ାକ ତ ବଡ଼ ମାରାତ୍ମକ ଲାଗୁଛନ୍ତି ! କେତେବେଳେ ମୋତେ ବି ଶ୍ରୀକ୍ଷେତ୍ରରୁ ଉଠେଇ ବିକ୍ରି କରିଦେବେ ତ ନିଶ୍ଚୟ । ପରମପିତା ବ୍ରହ୍ମଦେବ ଏ ମାନବ ଜାତି ଉତ୍ପତ୍ତି କାହିଁକି କରୁଥିଲେ କେଜାଣି । ସତରେ ଏ କଳାମୁଣ୍ଡିଆଙ୍କୁ ବିଶ୍ବାସ ନାହିଁ ଆଉ । 
– ଆପଣ ଆପଣଙ୍କ କ୍ଷେତ୍ର ଆଡ଼କୁ ଟିକେ ଦୃଷ୍ଟି ନିକ୍ଷେପ କରନ୍ତୁ ପ୍ରଭୁ ; ସବୁକିଛି ବୁଝି ପାରିବେ । ଆପଣଙ୍କର ପ୍ରିୟ କ୍ଷେତ୍ର ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ପାଇଁ ଜବରଦଖଲର ଉଚ୍ଛେଦ ଚ଼ାଲିଛି । ମଠବାଡ଼ି ବି ସ୍ମାସ୍‌ ନବୀନାର ନୂଆ ଚିନ୍ତାଧାରାରେ । 
– ନବୀନା ଶେଷରେ ମଠବାଡ଼ି ବି ଛାଡ଼ିଲାନି ! ଅଭାଗ୍ଯ ଘୋଟିଲା ବୋଧେ ତାକୁ ଆଉ । ଆଚ୍ଛା , ଦେବର୍ଷି ! ମର୍ତ୍ତ୍ୟ ମଣ୍ଡଳ ପରି ଆମ ସ୍ବର୍ଗରେ ଯଦି ସେଇଭଳି ନିୟମ ଲାଗୁ କରି ସ୍ମାର୍ଟ୍‌ ସ୍ବର୍ଗ କରାଯାଏ , ତେବେ କ୍ଷତି କ’ଣ  / 
– କିଛି ନାହିଁ ; ଆମେ ବି ସ୍ମାର୍ଟ୍‌ ହୋଇଯିବା । ମାନବ ଠାରୁ ଦେବଗଣ ଶ୍ରେଷ୍ଠରେ ; ସେମାନେ ଆମ ଠାରୁ ଉଚ୍ଚରେ ରହିବେ ଏଇଟା ଆମ ପାଇଁ ଗ୍ରହଣୀୟ ହେବା ଅନୁଚିତ । 
– ତେବେ ଏ ସ୍ବରର କୋଣେ ଅନୁକୋଣେ ଘୋଷଣା କର ; ପ୍ରଥମେ ମନ୍ତ୍ରୀ ମଣ୍ଡଳ ଗଠନ ହେବ । ତା’ପରେ ଯାହା ହେବ ; ଇଲେକ୍ସନ୍‌ ଡେଟ୍‌ ଫାଇନାଲ କର । 
– ଯଥାଜ୍ଞା ପ୍ରଭୁ ; ମୁଁ ତେବେ ଆସୁଛି । ନାରାୟଣ – ନାରାୟଣ  । (ନାରଦଙ୍କର ପ୍ରସ୍ଥାନ ।)
    ଧିରେ ଧିରେ ପାଦ ଥାପି ପ୍ରବେଶିଲେ ଲକ୍ଷ୍ମୀ ; ଭିତରେ ରହି ସବୁକିଛି ଶୁଣୁଥିଲେ । ନାରାୟଣଙ୍କ ନିକଟରେ ପହଞ୍ଚି କହିଲେ :-
– ହଇକିଏ ! ତମେ କ’ଣ ଇଲେକ୍ସନ୍‌ କରିବାକୁ କହିଲଣି ! ଏସବୁ କ’ଣ ପାଇଁ ଯେ ?
– ମର୍ତ୍ତ୍ୟବାସୀ ସ୍ମାର୍ଟ୍‌ ହେବେ, ଆମେ କାହିଁକି ହେବାନି ? ଆମେ ବି ସ୍ମାର୍ଟ୍‌ ହେବା ; ମନ୍ତ୍ରୀ ମଣ୍ଡଳ ଗଢ଼ିବା । ମୋ’ ନାଁକୁ ମର୍ତ୍ତ୍ୟରେ ବିକ୍ରି କରି, ମତେ ପାଥେୟ କରି ମାନବ ଗୁଡ଼ାକ ମାଲାମାଲ୍‌ ହଉଛନ୍ତି ; ମୋ’ ନାଁରେ ଏଠି ମ ଦେବତା ମାନେ ସକ୍ସେସ୍‌ ହୁଅନ୍ତୁ । 
– ଓକେ , ଆମେ ବି ସ୍ମାର୍ଟ୍‌ ହେବା । ଠିକ୍‌ କହିଛ ।
    ମହାଲକ୍ଷ୍ମୀ ବି ଏଥିରେ ହମତି ପ୍ରକାଶ କଲେ । ସ୍ମାର୍ଟ୍‌ ହେବାର ଯୋଜନାରେ ଲାଗି ପଡ଼ିଲେ ସମସ୍ତେ । ସେପଟେ ନାରଦଙ୍କ ମେସେଜ୍‌ ପାଇବା ପରେ ସବୁ ଦେବତା ଏକତ୍ରିତ ହୋଇ ଦିନେ ଏକ ସଭା କଲେ । ମିଟିଙ୍ଗ୍‌ ଡ଼କାଗଲା ; ସ୍ମାର୍ଟ୍‌ ହେବା ପାଇଁ ଯୋଜନା ଚ଼ାଲିଲା । ଇଲେକ୍ସନର ଦିନ-ବାର ଧାର୍ଯ୍ୟ ହେବାର କଥା ପଡ଼ିଲା । ସ୍ବୟଂ ନାରାୟଣଙ୍କ ବଡ଼ ଭାଇ ବଳରାମ କିନ୍ତୁ ଅନ୍ଯ ଏକ ପ୍ରସ୍ତାବ ଦେଲେ । ସେ କହିଲେ – “ଇଲେକ୍ସନର ଆବଶ୍ଯକତା କ’ଣ ? ଆମେ ସ୍ମାର୍ଟ୍‌ ହେବା କଥା ହେବା , ମନ୍ତ୍ରୀ ମଣ୍ଡଳ ଗଠନ ହେବ ତ ? ଆମେ ଯାହାକୁ ଚ଼ାହିଁବା ତାକୁ ଦାୟିତ୍ବ ଦେବା , ସେ ତୁଲେଇବ । ଏଥିରେ କାହାର ଦ୍ବିମତ ଅଚି କି ?” ବଳରାମ କିନ୍ତୁ ମାପିଚୁପି କଥାଟି କହିଛନ୍ତି । ସ୍ବୟଂ ନାରାୟଣ କଳେ – ବଳେ – କୌଶଳେ ଛଳ କପଟରେ ନିପୁଣ ; ସ୍ବର୍ଗ – ମର୍ତ୍ତ୍ୟ – ପାତାଳ ତିନି ପୁରରେ ବେଶ୍‌ ପ୍ରତିଷ୍ଠିତ । ବଳରାମ କିନ୍ତୁ ଟିକେ ମୋଟା ବୁଦ୍ଧିଆ ; ନାରାୟଣଙ୍କ ପରି ଏତେଟା ବୁଦ୍ଧି ତାଙ୍କର ନାହିଁ । ତେଣୁ ସେ ପ୍ରତିଷ୍ଠିତ ଓ ପରିଚିତ ହେବା ପାଇଁ ଇଚ୍ଛା ପ୍ରକାଶ କରି ଏଭଳି ମନ୍ତବ୍ୟଟିଏ ରଖିଲେ । ତେଣୁ ତାଙ୍କ କଥାକୁ ସମର୍ଥନ ଜଣାଇ ମନ୍ତ୍ରୀ ମଣ୍ଡଳ ଗଠନ କରିବାକୁ ସବୁ ଦେବତା ମାନେ ତାଙ୍କୁ କହିବାରୁ ସେ ମନ୍ତ୍ରୀ ମଣ୍ଡଳର ପ୍ରତିଷ୍ଠାତା ରୂପରେ ଦାୟିତ୍ବ ଗ୍ରହଣ କଲେ । ଗୁରୁ ବୃହସ୍ପତିଙ୍କୁ ବାଚସ୍ପତି ଓ ଇନ୍ଦ୍ରଙ୍କ ସହଧର୍ମିଣୀ ଶଚିଙ୍କୁ ଉପବାଚସ୍ପତି ରୂପେ ଚୟନ କରାଗରା । ସବୁ ଦେବତା ମାନଙ୍କ ସହମତିରେ ବଳରାମ ମନ୍ତ୍ରୀ ପଦ ଗ୍ରହଣ କରିବା ସହ ବିଧାୟକ ଭାବରେ ଦ୍ବିତୀ ନନ୍ଦନ ରବି ଅର୍ଥାତ୍ ସୂର୍ଯ୍ୟ ଦେବତାଙ୍କୁ ସିଲେକ୍ସନ୍‌ କରାଗଲା । ଦେବୀ ଅପର୍ଣ୍ଣା , ଉର୍ବସୀ , ରମ୍ଭା , ଜୟା , ମେନକା ଆଦିଙ୍କୁ ବିଭିନ୍ନ ପରିଚ଼ାଳନା ଦାୟିତ୍ବ ପ୍ରଦାନ କରାଗଲା । 
     ସମସ୍ତେ ସ୍ମାର୍ଟ୍‌ ହେବାର ନିଶାରେ ମସ୍‌ଗୁଲ୍‌ । ସମସ୍ତେ ସବୁ ଦାୟିତ୍ୱ ଗ୍ରହଣ କରି ସାରିବା ପରେ ବାକି ରହିଲେ ସ୍ବୟଂ ନାରାୟଣ ଓ ମହର୍ଷି ନାରଦ । ସଭାରେ ସମସ୍ତେ ପ୍ରେଜେଣ୍ଟ୍‌ ପକେଇ ଥିବା ବେଳେ ଶଙ୍କର କିନ୍ତୁ ସଭାକୁ ଆସି ନଥିଲେ । ବଳରାମଙ୍କ କାର୍ଯ୍ଯକଳାପ ଉପରେ ଶଙ୍କର ସନ୍ତୁଷ୍ଟ ନଥିଲେ । ବାରମ୍ବାର ଚେଷ୍ଟା କରା ଯାଇଛି ଶଙ୍କରଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ କରିବାକୁ । ଉର୍ବସୀ , ନାରଦ ଆଦି ପଲିଟିକ୍ସ୍‌ କରି ଶଙ୍କରଙ୍କୁ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ବ୍ରହ୍ମଦେବ ବି ସଭାକୁ ଆସି ନାହାନ୍ତି । ସତ୍ଯ ଓ ଶିବଙ୍କର ଆବ୍‌ସେଣ୍ଟ୍‌ ଥିଲା ; କିନ୍ତୁ ସୁନ୍ଦର ଅର୍ଥାତ୍ ସ୍ବୟଂ ନାରାୟଣ ପ୍ରେଜେଣ୍ଟ୍‌ ଥିଲେ ମିଟିଙ୍ଗ୍‌ରେ । ଭଗବାନ ନାରାୟଣଙ୍କୁ ବି ପରିଚ଼ାଳନା ଦାୟିତ୍ବରେ ରଖାଗଲା ; ସେ ତ ସହଜେ ଜଣେ ପରିଚ଼ାଳକ ଅର୍ଥାତ୍ ପାଳନକର୍ତ୍ତା । ନାରଦଙ୍କୁ ଗୁପ୍ତଚର ଦାୟିତ୍ବ ଦିଆଗଲା । କଥାରେ ଅଚି – “କଳିଆ ନାରଦ” ; ଗୁପ୍ତଚର ପୋଷ୍ଟ୍‌ଟି ବି ଠିକ୍‌ ଖାପେଇଚି ତାଙ୍କୁ । 
    ନାରଦ ମର୍ତ୍ତ୍ୟ ମଣ୍ଡଳରେ ବୁଲି ଗୁପ୍ତ ଖବର କଲେକ୍ଟ୍‌ କରି କିପରି ସବୁ ଚ଼ାଲିଛି ଜଣାଇଲେ । ମନ୍ତ୍ରୀ ବଳରାମ ମର୍ତ୍ତ୍ୟ ମଣ୍ଡଳରେ କାଳିଆ ଯୋଜନା ପରି ସ୍ବର୍ଗପୁରରେ ବଳିଆ ଯୋଜନା ଆରମ୍ଭ କଲେ । ସମସ୍ତ ଦେବଗଣଙ୍କୁ ବିଭିନ୍ନ ଧନ ଦୌଲତ ଦେଇ ପ୍ରଶଂସିତ ହେବାକୁ ଲାଗିଲେ । ଦିନକର ଘଟଣା ; ଦେବର୍ଷି ନାରଦ ମର୍ତ୍ତ୍ୟ ମଣ୍ଡଳରେ ଲ୍ଯାଣ୍ଡ୍‌ କରି ଗୁପ୍ତ ଭାବରେ ଖବର ସାଉଁଟୁଥିବା ବେଳେ ହଠାତ୍‌ ନଜର ପରିସରକୁ ଆସିଲା ଏକ ରୁମ୍‌ରେ ଚେୟାର ଉପରେ ପ୍ରାୟ କିଛି ବ୍ଯକ୍ତି ବସିଛନ୍ତି ଏବଂ ତାଙ୍କ ସାମ୍ନାରେ ସୁସଜ୍ଜିତ ମଞ୍ଚ ଉପରେ ପାଞ୍ଚ – ସାତ ଜଣ ବ୍ଯକ୍ତି ଭବ୍ଯ ସମ୍ବର୍ଦ୍ଧନାର ସହ ବସିଥିବା ବେଳେ ଚ଼ାଲିଛି ପଦ୍ଯ ଓ ଗଦ୍ୟର ଆବୃତ୍ତି । ଅନୁଧ୍ୟାନ କରି ଜାଣିଲେ ଯାହା , ସ୍ବର୍ଗରେ ମନ୍ତ୍ରୀ ବଳରାମଙ୍କୁ ଜଣାଇବାରୁ ବଳରାମ ବି ସ୍ବର୍ଗପୁରରେ ସେଇଭଳି ପ୍ରୋଗ୍ରାମ ପାଇଁ ମନ୍ତ୍ରୀ ମଣ୍ଡଳ ଡ଼ାକି ମିଟିଙ୍ଗ୍‌ କଲେ । ଦିନ-ବାର ଧାର୍ଯ୍ୟ କରାଗଲା ; ପରିଚ଼ାଳନାକାରୀଙ୍କୁ ଗଦ୍ୟ – ପଦ୍ଯ ସମସ୍ତଙ୍କ ପାକରେ ପହଞ୍ଚିବା ପାଇଁ ପୋଥି ପ୍ରକାଶର ବ୍ଯବସ୍ଥା ପାଇଁ କୁହାଗଲା । ସମସ୍ତେ ନୂଆ ନୂଆ ରଚନାରେ ଲାଗି ପଡ଼ିଲେ । ସମସ୍ତଙ୍କୁ କୁହାଗଲା ଗୋଟିଏ ରଚନା ପାଇଁ ପଚ଼ାଶ ସ୍ବର୍ଣ୍ଣମୁଦ୍ରା ପଡ଼ିବ ; ଭବ୍ୟ ସମ୍ବର୍ଦ୍ଧନା ପାଇଁ ପାଞ୍ଚଶହ ସ୍ବର୍ଣ୍ଣମୁଦ୍ରା ଦେବାକୁ ପଡ଼ିବ । ସମସ୍ତେ ଭବ୍ୟ ସମ୍ବର୍ଦ୍ଧନା ପାଇଁ ଲାଳାୟିତ ହୋଇ ସ୍ବର୍ଣ୍ଣମୁଦ୍ରା ନେଇ ଜଣ ଜଣ କରି ଦେଲେ ମନ୍ତ୍ରୀ ବଳରାମଙ୍କୁ । 

ବାଚସ୍ପତି ବୃହସ୍ପତିଙ୍କ କାନରେ ଏକଥା ପଡ଼ିଲା । ବିଧାନସଭା ଡ଼କାଇ ବିରୋଧ କରି କହିଲେ – “ବିଦ୍ଯାର ବିଡ଼୍ରୟ ନଥାଏ ; ବରଂ ବିଦ୍ଯା ଦାନ କଲେ ନିଜର ମାନ ଓ ବିଦ୍ଯା ରୂପକ ଧନ ପରିବର୍ଦ୍ଧିତ ହୁଏ । ଏସବୁରୁ କ୍ଷାନ୍ତ ରୁହନ୍ତୁ ଏବଂ ନିୟମାନୁସାରେ ରୁଲ୍‌ ରେଗୁଲେସନ୍‌ରେ କାମ କରାଯାଉ ।” ମନ୍ତ୍ରୀ ବଳରାମ ଗୋଟିଏ ଗୁଳିରେ ଦୁଇଟା ଶୀକାର କରିବାକୁ ବସିଥିଲେ । ପ୍ରଥମତଃ ପ୍ରତିଷ୍ଠିତ ହେବା ଏବଂ ଏହାକୁ ବିଜିନେସ୍‌ ବନେଇ ଲାଭବାନ ହେବା । ବାଚସ୍ପତିଙ୍କ କଥା ତାଙ୍କୁ ଅସହ୍ୟବୋଧ ହେଉଥିଲା ଏବଂ କାର୍ଯ୍ୟରେ ଫେଲ୍‌ ହେବାର ଭୟ ଘାରୁଥିଲା । ଭିତରେ ଭିତରେ ଷଡ଼ଯନ୍ତ୍ର କରି ଚ଼ାଲିଥିଲେ ବଳରାମ । ବାଚସ୍ପତିଙ୍କ ପାଖରେ ଭଦ୍ରତାର ପରିଚ଼ୟ ଦେଇ ଓ ତାଙ୍କଠୁ କାମ ହାସଲ କରି ତାଙ୍କୁ ବିତାଡ଼ିତ କରିବାର ଯୋଜନାରେ ଥିଲେ । ନିଆଁରେ ଘିଅ ଢ଼ାଳୁଥିଲେ ସ୍ବୟଂ ନାରାୟଣ । ଧନ ରୋଜଗାରରେ ଗୁପ୍ତଚର ନାରଦ ପୂରା ହେଲ୍ପ୍‌ କରୁଥିଲେ । ଅନେକ ଦେବଂଶୀମାନେ ମନ୍ତ୍ରୀ ବଳରାମଙ୍କୁ ଧନ ଦେଇ ସମ୍ବର୍ଦ୍ଧିତ ହେବାର ଓ ପୋଥିରେ ନିଜ ସୃଷ୍ଟି ଦର୍ଶନର ପ୍ରତୀକ୍ଷାରେ ଥିଲେ । ସମସ୍ତ ଦେବଗଣ ଜଣେ ଜଣେ ସୁନ୍ଦର ସ୍ରଷ୍ଟା ; କିନ୍ତୁ ମନ୍ତ୍ରୀ ବଳରାମ ଏତେ ସୁନ୍ଦର ସ୍ରଷ୍ଟା ନୁହନ୍ତି । ସେ ଟିକେ ଧନବାନ ଥିବାରୁ ଅନେକ ଅପ୍ସରା ତାଙ୍କୁ ଲାଇକ୍‌ କରନ୍ତି । ସେ ତାଙ୍କ ପାଇଁ ସୁନ୍ଦର ରଚନା ତାଙ୍କ ନାମରେ କରି ଦେବଗଣଙ୍କ ଆଗରେ ପଠନ ପାଇଁ ପ୍ରସ୍ତୁତ କରାନ୍ତି ମନ୍ତ୍ରୀ ବଳରାମଙ୍କୁ ।
    ବଳରାମଙ୍କ ବଳିଷ୍ଠ ରଚନା ସମସ୍ତ ଦେବଗଣଙ୍କୁ ହତବାକ କରିଦିଏ । ଚ଼ାହୁଁ ଚ଼ାହୁଁ ଆସିଗଲା ଦିନ ; ଡ଼କାଗଲା ସଭା । ସୁରଗୁରୁ ଶୁକ୍ରାଚାର୍ଯ୍ୟ , ବାୟୁଦେବ , ଅଗ୍ନିଦେବ , ଦେବରାଜ ଇନ୍ଦ୍ର , ଗଣେଶ , ଗାୟତ୍ରୀ , ସାବିତ୍ରୀଙ୍କ ପରି ବଡ଼ ବଡ଼ ଦେବତାଙ୍କୁ ମଞ୍ଚାସୀନ ହେବାକୁ ଇନଭାଇଟ୍‌ କରାଗଲା ; ସ୍ବୟଂ ନାରାୟଣ ସମସ୍ତଙ୍କୁ ଇନ୍‌ଭାଇଟ୍‌ କଲେ । ଫଙ୍କ୍‌ସନ୍‌ କରିବାକୁ ଜାଗା ଖୋଜି ଖୋଜି ଶେଷରେ ଅନ୍ନପୂର୍ଣ୍ଣାଙ୍କ ନବରଟିକୁ ଠିକ୍‌ କଲେ । କାର୍ଯ୍ଯ ଆରମ୍ଭ ହେଲା ; ସମସ୍ତେ ନିଜ ନିଜର ରଚନା ପଠନ ପରେ ସମ୍ବର୍ଦ୍ଧନାର ପର୍ବ ଆସିଲା । ମଞ୍ଚରେ ଥିଲେ ବାଚସ୍ପତି ଦେବଗୁରୁ ବୃହସ୍ପତି । ଅନେକ ଧନ ଦେଇଥିବା ବେଳେ ପ୍ରୋଗ୍ରାମ ସମୟରେ ବି କଲେକ୍ସନ୍‌ ଚ଼ାଲିଥାଏ । ବାଚସ୍ପତିଙ୍କ କହିବାନୁସାରେ ତିନି ଜଣ ଦେବତାଙ୍କୁ ସମ୍ବର୍ଦ୍ଧିତ କରିବା କଥା ; କିନ୍ତୁ ତାଙ୍କ କଥାକୁ ଅବମାନନା କରି ଅନେକଙ୍କୁ ସମ୍ବର୍ଦ୍ଧିତ କରାଗଲା । କିଛିଦିନ ପରେ ସମସ୍ତ ଦେବଗଣଙ୍କ ରଚ଼ନାକୁ ନେଇ ପୋଥି କରି ପ୍ରୋଗ୍ରାମ ପାଇଁ ଲାଗି ପଡ଼ିଲେ ସାରା ମନ୍ତ୍ରୀ ମଣ୍ଡଳ । 
     ମନ୍ତ୍ରୀ ବଳରାମ ଜାଣି ସାରିଥିଲେ ଯେ ବାଚସ୍ପତି ବୃହସ୍ପତି ତାଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି । ତେଣୁ ତାଙ୍କୁ ହଟେଇବାର ଯୋଜନା କଲେ । ଏଥିରେ ଫାଇଦ ନେବାକୁ ଚେଷ୍ଟା କଲେ ଛଳିଆ ନାରାୟଣ ; ସେ ଯେମିତି ସୁଯୋଗ ଉଣ୍ଡି ବସିଥିଲେ । ଦିନେ ମନ୍ତ୍ରୀ ବଳରାମ ନିଜକୁ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ କରି ନେଇ ରଥରେ ଚଢ଼ି ଆସି ପହଞ୍ଚି ଥିଲେ କୁବେରଙ୍କ ନିବାସରେ । ମନ୍ତ୍ରୀ ବଳରାମଙ୍କୁ ଯଥାମାନ୍ଯ ଦେଇ କୁବେର ପାଛୋଟି ନେଲେ ରୁମ୍‌କୁ । ଅନେକ ଆଲୋଚନା ଚ଼ାଲିଲା ; ଭବ୍ୟ ଭୋଜନ ଓ ମଧୁର ବଚନରେ ମନ୍ତ୍ରୀ ବଳରାମ ପୂରା ଖୁସି ହୋଇଗଲେ । ନିଜର ମନ୍ତ୍ରୀ ମଣ୍ଡଳ କଥା ପଡ଼ିବାରୁ କୁବେର ତାଙ୍କୁ ସହାୟତା କରିବାର ପ୍ରତିଶ୍ରୁତି ଦେଇ କହିଲେ – “ଡ଼ୋଣ୍ଟ୍‌ ଓରି  ; ମୁଁ ତୁମ ପାଇଁ ରୁମ୍‌ ବୁକିଂ କରିଦେବି । ଦୁଇ ହଜାର ସ୍ବର୍ଣ୍ଣମୁଦ୍ରା ପଡ଼ିବ ; ମୁଁ ତୁମ ସହ ଅଛି ।” ଏକଥା ସୁଣି ଆନନ୍ଦରେ କୁରୁଳି ଉଠିଲେ ବଳରାମ । ପ୍ରୋଗ୍ରାମ କଥା ପଡ଼ିଲା । କୁବେର କହିଲେ – “କାହାକୁ ସବୁ ଇନ୍‌ଭାଇଟ୍‌ କରୁଛ ?” ମନ୍ତ୍ରୀ ବଳରାମ କହିଲେ କାହାକୁ ଇନ୍‌ଭାଇଟ୍‌ କରୁଛନ୍ତି । ସବୁ ସୁଣି କୁବେର କିଛି ଦେବତାଙ୍କୁ ସମ୍ବର୍ଦ୍ଧିତ ପ୍ରତିଭା କରିବାକୁ ସଜେଷ୍ଟ୍‌ କଲେ । ମନ୍ତ୍ରୀ ବଳରାମ ମନା କରି ଜଣେ – ଦୁଇଜଣଙ୍କ ସଜେସନକୁ ଆକ୍ସେପ୍ଟ୍‌ କଲେ । ସେଠାରୁ ରିଟର୍ଣ୍ଣ୍‌ କରି ପ୍ରୋଗ୍ରାମ ପାଇଁ ଲାଗି ପଡ଼ିଲେ । ଇନ୍‌ଭାଇଟେସନ୍‌ ପ୍ରସ୍ତୁତ କରାଗଲା ; ବାଚସ୍ପତି ବୃହସ୍ପତିଙ୍କୁ ମୁଖ୍ୟ ରୂପରେ ରଖା ଯାଇଥିଲା ଏବଂ ସମ୍ବର୍ଦ୍ଧନାପତ୍ରରେ ବି ଶ୍ରୀଯୁକ୍ତ ମହାମାନ୍ୟ ଦେବଗୁରୁ ବୃହସ୍ପତି ବୋଲି ଉଲ୍ଲେଖ କରାଗଲା । ଇନ୍‌ଭାଇଟ୍‌ ସେଣ୍ଡ୍‌ କରାଗଲା ଦେବରାଜ ଇନ୍ଦ୍ର , ରାଜା ବରୁଣ , ନର୍କାଧୀଶ ଯମ , ସୁରଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପରି ମହାମାନ୍ୟ ପରାକ୍ରମଶାଳୀ ଦେବଗଣଙ୍କୁ । 
   ମନ୍ତ୍ରୀ ମଣ୍ଡଳର ମେମ୍ବରସିପ୍‌ ଭାବରେ ଅନେକଙ୍କ ଠାରୁ ଆଦାୟ କରାଗଲା ରାଶି ରାଶି ସ୍ବର୍ଣ୍ଣମୁଦ୍ରା । ସବୁ ପରେ ଆସିଗଲା ପ୍ରୋଗ୍ରାମ ଡ଼େ ; ବାଚସ୍ପତି ଏସବୁର ଉରାକ ପାଇ ଉପସ୍ଥିତ ନ ହେବାର ଲକ୍ଷ୍ୟ ରଖିଥିଲେ । କିନ୍ତୁ ବାରମ୍ୱାର ତାଙ୍କୁ ସମ୍ବାଦ ପ୍ରେରଣ କରି ପ୍ରୋଗ୍ରାମର ମୁଖ୍ଯ ଭାବରେ ଇନ୍‌ଭାଇଟ୍‌ କରାଗଲ । ବାଧ୍ୟ ହୋଇ ବାଚସ୍ପତି ବି ଯୋଗଦାନ କଲେ । କିନ୍ତୁ ସେଠି ମନ୍ତ୍ରୀ ମଣ୍ଡଳର ମୁଖ୍ଯ ଭାବେ ସମ୍ମାନ ନ ଦେଇ ଗେଷ୍ଟ୍‌ କରି ଦିଆଗଲା । ସ୍ବୟଂ ପରିଚ଼ାଳକ ନାରାୟଣଙ୍କର ଚଞ୍ଚକତା ଏବଂ ଦେବରାଜ ଇନ୍ଦ୍ରଙ୍କ ପାଖରେ ବସିବାର ଅଭିପ୍ସା ତାଙ୍କୁ ସେଦିନ ବାଚସ୍ପତିଙ୍କ ଆସନ ପ୍ରଦାନ କରିଥିଲା । ସତ୍ଯ – ତ୍ରେତା – ଦ୍ବାପର – କଳି , ଚ଼ାରି ଯୁଗରେ ନାରାୟଣଙ୍କର ଛଳ ପାଖରେ ଦେବ-ସୁର-ନର କେହି ତିଷ୍ଠି ପାରି ନାହାନ୍ତି । କଥାରେ ଅଛି ଗୁରୁ ଠାରୁ ଶିଷ୍ୟ ଛ’ ପାଣି ଅଧିକ । ସେହି ଜାଗାରେ ଠିକ୍‌ ସେଇଆ ହେଲା । ଦେବଗୁରୁ ବୃହସ୍ପତିଙ୍କୁ କିଏ ବା ନ ଜାଣେ ? ତିନି ପୁରରେ ସେ ପରିଚିତ ; ଦେବ-ସୁର-ନର ସବୁରି ପାଖରେ ସେ ଆଦରଣୀୟ  । 
   ପ୍ରଭୁ ନାରାୟଣ କିନ୍ତୁ ନିଜର ନୈତିକତାକୁ ଭୁଲି ଯାଇଥିଲେ ସେଦିନ ; ନିଜର କର୍ତ୍ତବ୍ୟକୁ ନିଜେ ପଦାଘାତ କରି ଉଚ୍ଚାସନ ଲୋଭରେ ଯାହା କଲେ ତାହା ନିନ୍ଦନୀୟ ବାସ୍ତବରେ । ସେ ଯାହା ବି ହେଉ , ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବାକୁ ଡ଼ାକି ତାଙ୍କ ଠାରୁ ଧନ ଆଦାୟ କରିବାର କୌଶଳ ମନ୍ତ୍ରୀ ମହୋଦୟଙ୍କ ଠାରୁ ଶିକ୍ଷା କରିବାକୁ ମିଳିଲା । ମହାରାଜ ଇନ୍ଦ୍ରଙ୍କ ହସ୍ତରୁ ସମ୍ବର୍ଦ୍ଧନା ନେବାକୁ ବ୍ଯଗ୍ର ସମସ୍ତେ । ସମସ୍ତଙ୍କ ପାଇଁ ସମ୍ମାନପତ୍ର ପ୍ରସ୍ତୁତି ; ଏମିତିକି ନିଜେ ସମ୍ବର୍ଦ୍ଧନା ଦେଉଥିବା ଲୋକ ବି ସମ୍ବର୍ଦ୍ଧିତ । ମହନ ଋଷି ଓ ତପାଚ଼ାରୀଙ୍କ ନାମରେ ସମ୍ବର୍ଦ୍ଧନା ଦିଆଗଲା । ଋଷି ବାଲ୍ମିକୀ , ସୁରଗୁରୁ , ମହର୍ଷି ବିଶ୍ବାମିତ୍ର , ଋଷି ଭୃଗୁ , ମହର୍ଷି ମନୁ ଏପରି ସବୁ ସମ୍ମାନ ନିଜେ ନିଜେ ହାତେଇ ନେଲେ । ତାଙ୍କ ପରି ହେବାକୁ ସେତିକି ସାଧନା ଦରକାର । ନିଜେ ବିଷ୍ଣୁ ଅର୍ଜୁନଙ୍କୁ କହିତିଲେ – “ଭକ୍ତର ଭକ୍ତି ପାଖରେ ଭଗବାନ ବି ପରାଜିତ ।” ଏଠି କେମିତି ସବୁ ସମସାମୟିକ ତଥା ଭକ୍ତି ଠାରୁ ଭଗବାନ ମହାନ ପାଲଟି ଗଲେ କେଜାଣି । ଜାଣି ଜାଣି ନିଜର ପଦ ମର୍ଯାଦା କ୍ଷୁର୍ଣ୍ଣ କରିବା ସାର ହେଲାନି କି ?
         ମର୍ତ୍ତ୍ୟରେ ମାନବ ମାନଙ୍କର ସ୍ମାର୍ଟ୍‌ ଟାଉନ୍‌କୁ ଲକ୍ଷ୍ୟ କରି ସ୍ବର୍ଗକୁ ସ୍ମାର୍ଟ୍‌ ସିଟିରେ ପରିଣତ କରିବାକୁ ଅଭିନବ ପ୍ରୟାସ କରିତିବା ଯୋଜନାଟି ପ୍ରତ୍ଯେକ ଦେବତାଙ୍କର ପଦ ମର୍ଯାଦାକୁ ସ୍ମାସ୍‌ କରିବାର ବାଟ ଦେଖାଇବ ବୋଲି ତାଙ୍କର ଧାରଣା କ’ଣ ଥିଲା କି ? ନିଜକୁ ପୂରା ସ୍ମାର୍ଟ୍‌ ଭାବି ଷ୍ଟାର୍ଟ୍‌ କରିଦେଲେ ବିଭିନ୍ନ ଉପାୟ । ସ୍ବର୍ଗପୁର ସାରା ଖେଳିଗଲା ଖବର । ନୀତିବାନ ଓ ସତ୍ଯନିଷ୍ଠ ଦେବତା ମାନେ ନିନ୍ଦୁକ ପାଲଟି ଗଲେ । କୈଳାସରେ ତପସ୍ଯାରତ ଶଙ୍କରଙ୍କ ପାଖରେ ପହଞ୍ଚିଲା ଏ ମେସେଜ୍‌ । ଶଙ୍କର ହେଲେ ମଙ୍ଗଳମୟ ; ସମଗ୍ର ସୃଷ୍ଟିର ମଙ୍ଗଳ ବିଧାନ ପାଇଁ ସେ ଚେଷ୍ଟିତ । ଶଙ୍କର ଏ ମେସେଜ୍‌ ପାଇବା ପରେ ବ୍ଯଥିତ ହୋଇ ଚିନ୍ତା କଲେ , ଏମିତି ଯଦି ସ୍ବର୍ଗରେ ହୁଏ ତେବେ ମର୍ତ୍ତ୍ୟରେ ମାନବଙ୍କୁ ଆମେ କି ନୈତିକତା ଶିକ୍ଷା ଦେବା ? ସ୍ବୟଂ ନାରାୟଣ ବି ଏଥିରେ ସାମିଲ୍‌ ! ଏତେ ବିଜ୍ଞ ହୋଇ ସେ ନିଜର ସ୍ଥିତି ଅନୁଧ୍ୟାନ କରି ପାରିଲେନି କି ନୈତିକତାକୁ ସ୍ମରଣ କରି ପାରିଲେନି ! ଏ ଦେବଗଣ ବି ପାଲଟି ଗଲେ ବାଚ଼ାଳ ! ନୋ , ନେଭର୍‌ ; ଆଇ ଡ଼ୋଣ୍ଟ୍‌ ଟଲେଟ୍‌ ଇଟ୍‌ । ହେଭେନ୍‌ରେ ରୁଲ୍‌ ରେଗୁଲେସନ୍‌କୁ ଭାଙ୍ଗୁଥିବା ବାଚ଼ାଳଙ୍କ ପାଇଁ ବିରୋଧର ସ୍ବର ଉଠିବ । ୟେସ୍‌ ; ମୁଁ ସ୍ବର ଉଠାଇବି । କ୍ରୋଧିତ ହୋଇଗଲେ ଶଙ୍କର ; ଏବେ ଆଉ କାହିଁ ବା ନିସ୍ତାର ? ଗର୍ଜି ଉଠି କହିଲେ – “ୱେଟ୍‌ କର ; ମୋର ଥାର୍ଡ୍‌ ଆଇ ଓପନ୍‌ କରିବି । ଆଗ ଏ ସ୍ବର୍ଗପୁର କଥା ବୁଝି ସାରିଲେ ମର୍ତ୍ତ୍ୟପୁରରେ ଲ୍ଯାଣ୍ଡ୍‌ କରିବି । 


      ଶଙ୍କରଙ୍କ ଗର୍ଜନରେ ଥରି ଉଠିଲା ତ୍ରିପୁର ; ବହିଲା ଅଣଚ଼ାସ ବାଆ । ସତେ ଅବା ଆସିଗଲା ଝଡ଼ ବତାସ ; ଟଳମଳ ହେଲା ବାସୁକି । କିଛି ସତ୍ଯନିଷ୍ଠ – ନୀତିବାନ ଦେବତାଙ୍କ ସହିତ ଛଳ – କପଟର ଶିକାର ହୋଇଥିବା ଦେବତା ଶଙ୍କରଙ୍କୁ ସହାୟତାର କର ପ୍ରାରିଲେ । ଆରମ୍ଭ ହେଲା ତାଣ୍ଡବ ; ଟଳି ପଡ଼ିଲା ସ୍ବର୍ଗର ଦେବତା ମାନଙ୍କ ଆସନ । କିଛି କରି ପାରିବାର ଉପାୟ ନ ପାଇ ଶେଷରେ ଶଙ୍କରଙ୍କର ଶରଣାପନ୍ନ ହେଲେ ଅନୀତି ଆଚରି ଥିବା ଦେବକୁଳ । ବିନମ୍ର କ୍ଷମା ପ୍ରାର୍ଥନା ପୂର୍ବକ ନିଜକୁ ସ୍ମାର୍ଟ୍‌ କରିବାକୁ କରିଥିବା ନିନ୍ଦନୀୟ କାର୍ଯ୍ଯ ପାଇଁ ରିଏଲାଇଜ୍‌ କଲେ । ଶେଷରେ ବ୍ରହ୍ମାଙ୍କ ଅନୁରୋଧରେ କ୍ରୋଧରୁ କ୍ଷାନ୍ତ ହେଲେ ମହାରୁଦ୍ର ଶଙ୍କର । କହିଲେ – “ମାନବ ନିଜକୁ ଯେତେ ସ୍ମାର୍ଟ୍‌ ଭାବୁଚି ; ସେ ସେତେ ସ୍ମାର୍ଟ୍‌ ନୁହଁ । ସ୍ମାର୍ଟ୍‌ ଆଳରେ ନିଜକୁ ସ୍ମାସ୍‌ କରିବାର ବାଟ ଦରାଣ୍ଡୁଛି । ସ୍ମାର୍ଟ୍‌ ଭକ୍ତକୁ ଦେଖି ସ୍ମାରଟ୍‌ ଗଡ୍‌ ହେବାକୁ ଚେଷ୍ଟା କରୁଛ ! କ’ଣ ସ୍ବର୍ଗପୁରକୁ ବି ଶ୍ମଶାନରେ ପରିଣତ କରିବ ! ଏସବୁ ସେଇ ସ୍ମାର୍ଟ୍‌ ଭକ୍ତଙ୍କ ପାଇଁ , ଦଉଛି ପାନେ ତାଙ୍କୁ ।” ଶଙ୍କର ରଡ଼ି ଛାଡ଼ି ବୃଷଭକୁ ଡ଼ାକିବରୁ ବୃଷଭ ଆସି ଉପନୀତ ହେଲା । ଏବେ ସେ ଚଲାଇଛନ୍ତି ମର୍ତ୍ତ୍ୟରେ ଲ୍ଯାଣ୍ଡ୍‌ କରିବାକୁ ଯୋଜନା । ବୋଧହୁଏ ଏବେ ସ୍ମାର୍ଟ୍‌ ମର୍ତ୍ତ୍ୟ ସ୍ମାସ୍‌ ପାଲଟିବ । ସ୍ବର୍ଗର ଦେବଗଣଙ୍କର ସ୍ମାର୍ଟ୍‌ ହେବାର ନିଶା ଉତୁରିଲା , ଏବେ ମର୍ତ୍ତ୍ୟରେ ସ୍ମାର୍ଟ୍‌ ହେବାକୁ ଚେଷ୍ଟା କରୁଥିବା ମୁର୍ଖ ଆତ୍ମଘୋଷିତ ଉପାଧିଧାରୀ ସ୍ମାସ୍‌ ହେବାକୁ ୱେଟ୍‌ କରନ୍ତୁ  ।।

Leave a Reply

Your email address will not be published. Required fields are marked *